ତିରୁଅନନ୍ତପୁରମ୍: କେରଳରେ ନିପା ଭାଇରସ୍ ପ୍ରକୋପ ବଢ଼ିଚାଲିଛି। କୋଝିକୋଡ଼ରେ ଶୁକ୍ରବାର ଆଉ ଜଣେ ନିପା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକୁ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ପୂର୍ବରୁ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନକୁ ବନ୍ଦ ରଖାଯାଇଥିଲା। ସଂକ୍ରମିତଙ୍କ ଚିକିତ୍ସା ପାଇଁ ଭାରତ ଅଷ୍ଟ୍ରେଲିଆରୁ ଅଧିକ ଆଣ୍ଟିବଡି ଟିକା କିଣିବାକୁ ଯାଉଛି ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) କହିଛି। ଆଉ ୨୦ ଡୋଜ୍ ମୋନୋକ୍ଲୋନାଲ ଆଣ୍ଟିବଡି ଖୁବ୍ଶୀଘ୍ର ଭାରତ ଆସିବ ବୋଲି ଜଣାପଡ଼ିଛି। କୋଝିକୋଡ଼ ଜିଲ୍ଲାରେ ଜଣେ ୩୯ ବର୍ଷୀୟ ବ୍ୟକ୍ତିଙ୍କ ନମୁନା ପଜିଟିଭ୍ ଆସିବା ପରେ ନିପା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ସଂକ୍ରମଣ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହେବା ପରେ ଏବେ ସକ୍ରିୟ ମାମଲା ୪ରେ ପହଞ୍ଚିଛି। କେରଳର ପଞ୍ଚମ ନିପା ରୋଗୀ ଭାବେ ଜଣେ ୨୪ ବର୍ଷୀୟ ସ୍ୱାସ୍ଥ୍ୟକର୍ମୀ ଚିହ୍ନଟ ହୋଇଥିଲେ। ସଂକ୍ରମଣ ବଢ଼ିବା ପରେ କେରଳରେ ସତର୍କ ସୂଚନା ଜାରି କରାଯାଇଛି। ପଡ଼ୋଶୀ କର୍ଣ୍ଣାଟକ ମଧ୍ୟ ସୁରକ୍ଷା ନିର୍ଦ୍ଦେଶାବଳି ଜାରି କରିଛି। କେରଳରେ ନିପା ଭାଇରସ୍ ଷ୍ଟ୍ରେନ୍ ହେଉଛି ବାଂଲାଦେଶୀ ଭାରିଆଣ୍ଟ ଯାହା ମଣିଷଠାରୁ ବ୍ୟାପିଥାଏ ଏବଂ କମ୍ ସଂକ୍ରମଣ ସତ୍ତ୍ୱେ ଏହାର ମୃତ୍ୟୁ ହାର ଅଧିକ।
ଏହି ଭୂତାଣୁ, ଯାହାର କୌଣସି ଟିକା ନାହିଁ, ସଂକ୍ରମିତ ବାଦୁଡ଼ି, ଘୁଷୁରି କିମ୍ବା ମଣିଷର ଶାରୀରିକ ତରଳ ପଦାର୍ଥ ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ୟାପିଥାଏ ଏବଂ ସଂକ୍ରମିତଙ୍କ ମଧ୍ୟରେ ମୃତ୍ୟୁ ହାର ୭୫ ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ। ରାଜ୍ୟରେ ଚତୁର୍ଥ ଥର ପାଇଁ ଏହି ଭୂତାଣୁ ସଂକ୍ରମଣ ଚିହ୍ନଟ ହୋଇଛି। ୨୦୧୮ ଓ ୨୦୨୧ରେ କୋଝିକୋଡ଼ରେ ଏବଂ ୨୦୧୯ରେ ଏର୍ଣ୍ଣାକୁଲମରେ ଏହା ଚିହ୍ନଟ ହୋଇଥିଲା। କେରଳରେ ନିପା ଭାଇରାସ ପ୍ରକୋପ ନେଇ ଏବେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସାବରିମାଲା ଯାତ୍ରା ଆରମ୍ଭ ହେବା ବେଳେ ଆବଶ୍ୟକ ଗାଇଡଲାଇନ୍ ଜାରି କରିବାକୁ କେରଳ ହାଇକୋର୍ଟ ଗତକାଲି ରାଜ୍ୟ ସରକାରଙ୍କୁ କହିଛନ୍ତି। ଅଦାଲତ ଟ୍ରାଭାଙ୍କୋର ଦେବସ୍ବମ୍ ବୋର୍ଡ କମିସନରଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରି ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ କହିଛନ୍ତି।
କେରଳରେ ମାରାତ୍ମକ ନିପା ଭୂତାଣୁ ସଂକ୍ରମଣକୁ ନେଇ ସୋସିଆଲ ମିଡିଆ ଜରିଆରେ ମିଥ୍ୟା ଖବର ପୋଷ୍ଟ କରିଥିବା ଅଭିଯୋଗରେ କେରଳ ପୁଲିସ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। କେରଳ କୋଝିକୋଡ଼ରେ ନିପା କଣ୍ଟେନମେଣ୍ଟ ଜୋନରେ କଟକଣା ଜାରି ରହିଛି ଏବଂ ଏହି ରୋଗର ନିୟନ୍ତ୍ରଣ ଲାଗି ସରକାରୀ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବା ପାଇଁ ଶୁକ୍ରବାର ନମାଜକୁ ବାତିଲ କରାଯାଇଛି। କେରଳର କୋଝିକୋଡ଼ ଜିଲ୍ଲାରେ ନିପା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ରବିବାର ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଏକ ସପ୍ତାହ ପାଇଁ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଶୁକ୍ରବାର ଘୋଷଣା କରିଛନ୍ତି। ପୂର୍ବରୁ ସରକାର ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ।
ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଅଧ୍ୟକ୍ଷତାରେ ଆଜି ଏକ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ ସମସ୍ତ ସମ୍ଭାବ୍ୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ଭୟଭୀତ ହେବାର କୌଣସି କାରଣ ନାହିଁ। ବର୍ତ୍ତମାନ ଚିହ୍ନଟ ନିପା ରୋଗୀଙ୍କ ସଂସ୍ପର୍ଶ ତାଲିକାରେ ୧୦୮୦ ଜଣ ଥିବା ବେଳେ ସେଥିମଧ୍ୟରେ ୩୨୭ ଜଣ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି। କୋଝିକୋଡ଼ ବ୍ୟତୀତ ସଂସ୍ପର୍ଶ ତାଲିକାରେ ପଡ଼ୋଶୀ ଜିଲ୍ଲାରୁ ୨୯ ଜଣ ଥିବା ବେଳେ ମାଲାପୁରମ୍ର ୨୨ ଜଣ, କନ୍ନୁର ଓ ତ୍ରିସୁରର ୩ ଜଣ ଲେଖାଏଁ ଏବଂ ୱାୟନାଡର ଜଣେ ଅଛନ୍ତି। ହାଇ ରିସ୍କ ବର୍ଗରେ ୧୭୫ ଜଣ ସାଧାରଣ ଲୋକ ଥିବା ବେଳେ ୧୨୨ ଜଣ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି। ସଂସ୍ପର୍ଶ ତାଲିକାରେ ଥିବା ଲୋକଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/s960_COVID_960x640.jpg)