ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କ ଓଡ଼ିଶା କନେକ୍ସନ: ଏଠି ଅଭ୍ୟାସ କରିଥିଲେ, ଟୋକିଓରେ କମାଲ କଲେ

ଭୁବନେଶ୍ୱର: ଅଲିମ୍ପିକ୍ସରେ ଆଜି ଜାଭଲିନ ଥ୍ରୋରେ ସ୍ବର୍ଣ୍ଣ ଜିତି ଭାରତ ପାଇଁ ଗର୍ବ ଆଣିଛନ୍ତି ନୀରଜ ଚୋପ୍ରା | ଖାଲି ଗର୍ବ ନୁହେଁ ବରଂ ଭାରତର ୧୨୫ ବର୍ଷର ସ୍ବପ୍ନକୁ ପୂରଣ କରିଛନ୍ତି ଜାଭଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା | ତେବେ ନୀରଜଙ୍କ ସ୍ବର୍ଣ୍ଣ ବିଜୟ ପଛରେ ଓଡ଼ିଶାର ବି କିଛି ମାତ୍ରାରେ ସମ୍ପର୍କ ରହିଛି | ଅନେକଙ୍କ ପାଇଁ ଏହି କଥାଟି ଅଜଣା ହୋଇଥାଇପାରେ | କିନ୍ତୁ ନୀରଜଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇପାରିଛି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ | କଳିଙ୍ଗ ଷ୍ଟାଡିୟମର ବକ୍ଷରେ ନୀରଜ ଅଭ୍ୟାସ କରିଛନ୍ତି, ଆଉ ଟୋକିଓରେ ଦେଖାଇଛନ୍ତି ନିଜର କୃତିତ୍ୱ | ଏହି କାହାଣୀ ୨୦୨୦ ମସିହାର | ୨୦୨୦ ମସିହା ଡିସେମ୍ବରରେ ନୀରଜ ଆସିଥିଲେ କଳିଙ୍ଗ ଷ୍ଟାଡିୟମ |

ପଞ୍ଜାବର ପଟିଆଲାରେ ଥିବା ନେତାଜୀ ସୁଭାଷ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟ୍ସରେ ନୀରଜଙ୍କ ସହ ଅନ୍ୟ ଖେଳାଳି ଅଭ୍ୟାସ କରୁଥିବାବେଳେ ପ୍ରବଳ ଥଣ୍ଡା ଯୋଗୁଁ ଅଭ୍ୟାସରେ ବାଧା ଉପୁଜିଥିଲା | ଆଉ ଅପେକ୍ଷାକୃତ କମ ଥଣ୍ଡା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମକୁ ପରିବର୍ତ୍ତନ ହୋଇଥିଲା ଟ୍ରେନିଂ କ୍ୟାମ୍ପ | ନୀରଜଙ୍କ ସହ ସେତେବେଳେ ଜାଭଲିନ୍‌ ଫିଙ୍ଗାଳି ଶିବପାଲ ସିଂହ, ଅନୁ ରାଣୀ, ରୋହିତ ଯାଦବ ଓ ରାଜେନ୍ଦର ସିଂହ ଓଡିଶା ଆସିଥିଲେ | ଓଡ଼ିଶାରେ ରହିଥିଲେ ଆଉ ପ୍ରତିଦିନ କଳିଙ୍ଗ ଷ୍ଟାଡିୟମ ଯାଇ ଟ୍ରେନିଂ ନେଇଥିଲେ |

ସେତେବେଳେ ନୀରଜ କହିଥିଲେ ଯେ, ‘ଅଲିମ୍ପିକ୍ସ ପାଇଁ ଏଠାକୁ ଅଭ୍ୟାସ କରିବାକୁ ଆସିଛି | ୨୦୧୭ ଏସିଆନ ଚମ୍ପିୟାନସିପରେ ମୁଁ ଏଠାରେ ସ୍ବର୍ଣ୍ଣ ଜିତିଥିଲି | ଏହି ସହର ସହ ଅନେକ ସ୍ମୃତି ମୋର ଜଡିତ ହୋଇ ରହିଛି | ଅଲିମ୍ପିକ୍ସରେ ସଫଳ ହେବା ପାଇଁ ଯଥାସାଧ୍ୟ ଚେଷ୍ଟା କରିବି’ | ସେଦିନ ଯାହା କହିଥିଲେ ଆଜି କାମରେ କରି ଦେଖାଇଦେଇଛନ୍ତି ନୀରଜ ଚୋପ୍ରା |

ସମ୍ବନ୍ଧିତ ଖବର