ନିରାକାରପୁର : ସ୍ବାସ୍ଥ୍ୟ ସେବାରେ ଉନ୍ନତି ପାଇଁ ପ୍ରତିବର୍ଷ ବିଭିନ୍ନ ଯୋଜନାରେ ରାଜକୋଷରୁ ପାଣି ପରି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଉଦାସୀନତା ଯୋଗୁଁ ଏହା ତଳ ସ୍ତରରେ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ପରିସ୍ଥିତି ଏମିତି ଯେ ଡାକ୍ତରଖାନା ବାରଣ୍ଡାରେ ରୋଗୀ ସେବା ହେଉଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି ନିରାକାରପୁର ସ୍ବାସ୍ଥ୍ୟସେବା କେନ୍ଦ୍ର କ୍ଷେତ୍ରରେ।
ଦୀର୍ଘଦିନ ହେବ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ଗୃହ ନିର୍ମାଣ ସରିଥିଲେ ସୁଦ୍ଧା ବିଭାଗୀୟ ଅବହେଳା ପାଇଁ ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଯଦ୍ବାରା ଝାଡାବାନ୍ତି, ଜ୍ବର କିମ୍ବା ଅନ୍ୟାନ୍ୟ ଆକସ୍ମିକ ଦୁର୍ଘଟଣାଜନିତ ରୋଗୀଙ୍କୁ ବାଧ୍ୟବାଧକତାରେ ବାରଣ୍ତାରେ ପଡିଥିବା କାଠ ବେଞ୍ଚ୍ରେ ଚିକିତ୍ସା କରାଯାଉଛି। ମେଡିକାଲ ପରିସରରେ ଅଦ୍ୟାବଧି ଥିବା ୪ଟି କୋଠରୀ ମଧ୍ୟରୁ ୨ଟି କୋଠରୀରେ ୨ଜଣ ଡାକ୍ତର ରୋଗୀ ଦେଖୁଥିବାବେଳେ ଅନ୍ୟ ଦୁଇଟି କୋଠରୀରେ ଫାର୍ମାସିଷ୍ଟ ଓ ଷ୍ଟୋର କାର୍ଯ୍ୟ ଚାଲିଛି। ପୂର୍ବରୁ ଥିବା ରୋଗୀସେବା ଗୃହଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯିବା କାରଣରୁ ରୋଗୀସେବାରେ ବ୍ୟାଘାତ ହୋଇଛି। ଫଳରେ ଦୈନିକ ରୋଗୀମାନଙ୍କୁ ସାଲାଇନ୍ ଦିଆଯିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଚିକିତ୍ସା ବାରଣ୍ତାରେ କରାଯାଉଥିବା ଦେଖିବାକୁ ମିଳୁଛି।
ସୂଚନା ଯୋଗ୍ୟ ଯେ, ନିରାକାରପୁର ସ୍ବାସ୍ଥ୍ୟ କେନ୍ଦ୍ରଟି ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ବରେ ଅବସ୍ଥିତ ଥିବା ଯୋଗୁଁ ଏହାର ଯଥେଷ୍ଟ ଗୁରୁତ୍ବ ରହିଛି। ଏତଦ୍ବ୍ୟତୀତ ଆଖପାଖର ପ୍ରାୟ ୧୦ରୁ ଊର୍ଦ୍ଧ୍ବ ପଞ୍ଚାୟତର ଲୋକେ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ଏବେ ବର୍ଷାଋତୁ ଚାଲିଥିବା କାରଣରୁ ଝାଡ଼ାବାନ୍ତି ସହିତ ଜ୍ବର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏ ପରିସ୍ଥିତିରେ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଡାକ୍ତରଖାନାର ନୂତନ ଗୃହକୁ କାର୍ଯ୍ୟରେ ଲଗାଇବା ପାଇଁ ସାଧାରଣରେ ଦାବି ହେଉଛି।