ନିରାକାରପୁର : କେନ୍ଦ୍ର ସରକାର ସ୍ବଚ୍ଛତା ଉପରେ ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। ମାତ୍ର କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ନିରାକାରପୁର ଷ୍ଟେସନ୍ରେ ବ୍ୟବହାର ଉପଯୋଗୀ ଶୌଚାଳୟ ନ ଥିବାରୁ ଲୋକେ ଖୋଲାସ୍ଥାନରେ ମଳତ୍ୟାଗ କରିବାକୁ ଏକ ରକମ ବାଧ୍ୟ ହେଉଛନ୍ତି। ରେଳ ବିଭାଗ ଶୌଚାଳୟ ତ ନିର୍ମାଣ କରି ଦେଇଛି, ମାତ୍ର ଏଥି ପାଇଁ ଅନ୍ୟାନ୍ୟ ବ୍ୟବସ୍ଥାକୁ ଅଣଦେଖା କରିଥିବାରୁ ଏହି ଶୌଚାଳୟ ଲୋକଙ୍କ କାମରେ ଲାଗୁ ନାହିଁ।ପୂର୍ବତଟ ରେଳବାଇର ନିରାକାରପୁର ରେଳଷ୍ଟେସନ ଉପରେ ଖୋର୍ଦ୍ଧା, ବେଗୁନିଆ, ରଣପୁର, ସତ୍ୟବାଦୀ, କଣାସ ଆଦି ନିର୍ବାଚନ ମଣ୍ତଳୀର ଶତାଧିକ ଜନସାଧାରଣ ନିର୍ଭର କରନ୍ତି। ଯାତ୍ରୀଙ୍କ ଆବଶ୍ୟକତା ଦୃଷ୍ଟିରୁ ଏହି ଷ୍ଟେସନ୍ରେ ହୀରାଖଣ୍ତ, ଇଷ୍ଟକୋଷ୍ଟ, ରାଜ୍ୟରାଣୀ, ବିଶାଖା ଭଳି ଏକ୍ସପ୍ରେସ ଟ୍ରେନ୍ ସହ ସମସ୍ତ ପାସେଞ୍ଜର ଟ୍ରେନ୍ର ରହଣୀ ଥିବାରୁ ବହୁ ଯାତ୍ରୀ ଏହି ଷ୍ଟେସନରେ ଟ୍ରେନ୍ ଧରିବାକୁ ଅପେକ୍ଷା କରିଥାନ୍ତି। ମାତ୍ର ଏହି ଷ୍ଟେସନରେ ଶୌଚାଳୟ ସମସ୍ୟା ଯୋଗୁଁ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି।
ସୂଚନା ଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଦାବି କରାଯିବା ପରେ ରେଳବାଇ କର୍ତ୍ତୃପକ୍ଷ ନିରାକାରପୁର ଷ୍ଟେସନରେ ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମୁତାବକ ଲକ୍ଷଲକ୍ଷ ଟଙ୍କା ବିନିମୟରେ ଶୌଚାଳୟ ନିର୍ମାଣ କରାଯାଇଛି। ଏହି ଶୌଚାଳୟ ନିର୍ମାଣ ପରେ ଯାତ୍ରୀମାନଙ୍କ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ଗତ ୩ବର୍ଷରୁ ଊର୍ଦ୍ଧ୍ବ ହେବ ଶୌଚାଳୟ ନିର୍ମାଣ ଶେଷ ହୋଇଥିଲେ ବି ଏହା ଲୋକଙ୍କ କାମରେ ଲଗି ପାରି ନାହିଁ। ଏପରିକି ବ୍ୟବହାର ପୂର୍ବରୁ ଏହା ଭାଙ୍ଗିରୁଜି ଗଲାଣି। ବିଶେଷ କରି ଶୌଚାଳୟ ପାଇଁ ପାଣିର ବ୍ୟବସ୍ଥା କରାଯାଇ ନ ଥିବାରୁ ଏହା ବ୍ୟବହାର ହୋଇ ପାରୁ ନାହିଁ। ଫଳରେ ଯାତ୍ରୀଙ୍କ ଶୌଚାଳୟ ଜନିତ ସମସ୍ୟା ଯଥାପୂର୍ବଂ ତଥା ପରଂ ରହିଛି। କେନ୍ଦ୍ର ସରକାର ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଉଥିବା ବେଳେ କେନ୍ଦ୍ର ସରକାରଙ୍କ ପ୍ରମୁଖ ବିଭାଗ ରେଳବାଇର କେତେକ ଅଧିକାରୀଙ୍କ ଅପରିଣାମଦର୍ଶୀ କାର୍ଯ୍ୟ ଯୋଗୁଁ ଯାତ୍ରୀମାନେ ବାଧ୍ୟ ହୋଇ ଏଣେତେଣେ ମଳତ୍ୟାଗ କରୁଛନ୍ତି। ଏଥି ପାଇଁ ଷ୍ଟେସନର ପରିବେଶ ପ୍ରଦୂଷିତ ହେଉଛି। ଅନୁରୂପ ଭାବେ ଷ୍ଟେସନ୍ରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଟ୍ୟାପ୍ରେ ଦିନ ପାଣି ଆସିଲେ ଅନ୍ୟଦିନେ ବନ୍ଦ ରହୁଛି। ପାଣିଟାଙ୍କି ସଫା କରା ନଯିବା କାରଣରୁ ଶିଉଳି ସହିତ ଗୁଣ୍ତଯୁକ୍ତ ପାଣି ବାହାରୁ ଥିବା ଯାତ୍ରୀମାନେ ଅଭିଯୋଗ କରୁଛନ୍ତି।