ଘାରିଲା କରୋନା ଭୟ : ‘ନିରାମୟ’‌ରେ ଔଷଧ ଯୋଗାଣ ପାଇଁ ସମୟ ମାଗିଲେ ୧୦ରୁ ଅଧିକ କମ୍ପାନି

ପର୍ଯ୍ୟାୟକ୍ରମେ ଔଷଧ ଯୋଗାଇବାକୁ ଅନୁମତି ଦେବ ଔଷଧ ନିଗମ, ୫ ମାସ ପାଇଁ ଔଷଧ ମହଜୁଦ ରହିଛି

ଭୁବନେଶ୍ବର : ଚୀନ୍‌ରେ କରୋନା ସଂକମଣ ଭାରତୀୟ ଔଷଧ ବଜାର ଉପରେ ଏହାର ପ୍ରଭାବ ପକାଇଛି। ଭାରତର ଅଧିକାଂଶ ଔଷଧୀୟ କମ୍ପାନି ଚୀନ୍‌ରୁ ଔଷଧ ପ୍ରସ୍ତୁତି ପାଇଁ କଞ୍ଚାମାଲ ମଗାଉଥିବା ବେଳେ କରୋନା ପାଇଁ ଏହା ପ୍ରଭାବିତ ହୋଇଛି। ଏପରିକି ରାଜ୍ୟ ଔଷଧ ନିଗମକୁ ଔଷଧ ଯୋଗାଉଥିବା ରାଜ୍ୟ ବାହାରର ଅଧିକାଂଶ ଔଷଧ କମ୍ପାନି ଏବେ ସମୟ ମାଗିବା ଆରମ୍ଭ କରିଛନ୍ତି। ଗତ କିଛିଦିନ ଭିତରେ ରାଜ୍ୟ ବାହାରର ୧୦ରୁ ଅଧିକ କମ୍ପାନି ଔଷଧ ଯୋଗାଣରେ ବିଳମ୍ବ ହେବା ସଂପର୍କରେ ରାଜ୍ୟ ଔଷଧ ନିଗମକୁ ସୂଚନା ଦେଇସାରିଛନ୍ତି। ଯାହା ଫଳରେ ‘ନିରାମୟ’ ଯୋଜନାରେ ସରକାରୀ ଡାକ୍ତରଖାନଗୁଡ଼ିକୁ ଔଷଧ ଯୋଗାଣ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ତେବେ ରାଜ୍ୟରେ ଏବେ ୫ମାସର ଔଷଧ ମହଜୁଦ ରହିଥିବାରୁ ଭୟର କୌଣସି କାରଣ ନ ଥିବା ରାଜ୍ୟ ଔଷଧ ନିଗମ ପକ୍ଷରୁ କୁହାଯାଇଛି। ଏପରିକି ଯେଉଁ କମ୍ପାନିମାନେ ସମୟ ମାଗିଛନ୍ତି ସେମାନଙ୍କୁ ପର୍ଯ୍ୟାୟକ୍ରମେ ଔଷଧ ଦେବା ପାଇଁ ଅନୁମତି ପ୍ରଦାନ କରିବା ନେଇ ନିଗମ ଯୋଜନା ଆରମ୍ଭ କରିଛି। ଆଜି ଏ ସଂକ୍ରାନ୍ତରେ ନିଗମରେ ହେବାକୁ ଥିବା ବୈଠକରେ ନିଷ୍ପତ୍ତି ହୋଇପାରେ ବୋଲି ସୂଚନା ମିଳିଛି।

ରାଜ୍ୟରେ ସରକାରୀ ଡାକ୍ତରଖାନାଗୁଡ଼ିକରେ ‘ନିରାମୟ’ ଯୋଜନାରେ ରାଜ୍ୟ ଔଷଧ ନିଗମ ମାଗଣାରେ ଔଷଧ ଯୋଗାଉଛି। ଏଥିପାଇଁ ୫୭୦ ଜରୁରୀ ଔଷଧକୁ ଚିହ୍ନଟ କରିଛି ନିଗମ। ତହିଁରୁ ୧୦୬ଟି ଔଷଧ ଅତି ଜରୁରୀ ଔଷଧ ବା ଇଡିଏଲ୍‌ ରହିଛି। ଏହି ଇଡିଏଲ୍ ମଧ୍ୟରୁ ଅଧିକାଂଶ ଔଷଧ ଯୋଗାଣରେ ବିଳମ୍ବ ହେବ ବୋଲି ଔଷଧ କମ୍ପାନିମାନେ ନିଗମକୁ ସତର୍କ କରିଛନ୍ତି। ଏଥିପାଇଁ ଔଷଧ କମ୍ପାନିମାନେ କେତେଦିନ ସମୟ ମାଗିଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ଯୋଗାଣ ବିଳମ୍ବ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।

ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ କହିଛନ୍ତି, ଏବେ ନିଗମ ପାଖରେ ଆସନ୍ତା ୫ମାସ ପାଇଁ ଔଷଧ ମହଜୁଦ ରହିଛି। ଯେଉଁ କମ୍ପାନିମାନେ ଔଷଧ ଯୋଗାଇବା ଲାଗି ସମୟ ମାଗିଛନ୍ତି ସେମାନଙ୍କୁ ପର୍ଯ୍ୟାୟକ୍ରମେ ଔଷଧ ଯୋଗାଇବା ଲାଗି ନିଷ୍ପତ୍ତି ହୋଇଛି। ଏଥିପାଇଁ ତାମିଲନାଡ଼ୁ‌ ସରକାର ସ୍ଥାନୀୟ ଔଷଧ ନିଗମ ପାଇଁ ଯେଉଁ ନିୟମ କାର୍ଯ୍ୟକାରୀ କରିଛନ୍ତି ତାହାର ଅନୁକରଣ କରାଯିବ ବୋଲି ଯୋଜନା ହୋଇଛି। ଏହି ନିୟମ ଲାଗୁ ହେଲେ କେବଳ ସମୟ ମାଗିଥିବା କମ୍ପାନିମାନଙ୍କ ପାଇଁ ନୁହେଁ; ବରଂ ସମସ୍ତଙ୍କ ପାଇଁ ଏହା କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ତ‌ାମିଲନାଡ଼ୁରେ ଥିବା ଔଷଧ ନିଗମ ପର୍ଯ୍ୟାୟକ୍ରମେ ‌ଔଷଧ ଯୋଗାଣ ପାଇଁ ନେଇଥିବା ନିୟମ ଅନୁସାରେ, ୫୦ ପ୍ରତିଶତ ପର୍ଯ୍ୟନ୍ତ ଔଷଧ ପାଇଁ ୬୦ଦିନ, ବଳକା ୩୦ ପ୍ରତିଶତ ୪୫ ଦିନ ଏବଂ ଅନ୍ୟ ବଳକା ଔଷଧ ପରବର୍ତୀ ସମୟରେ ଯୋଗାଇବାର ନିୟମ ରହିଛି। ଯଦି ରାଜ୍ୟ ଔଷଧ ନିଗମ ଏହି ନିୟମକୁ ଅନୁକରଣ କରେ ତାହାଲେ ‘ନିରାମୟ’କୁ ଔଷଧ ଯୋଗାଉଥିବା ରାଜ୍ୟ ବାହାରର ଔଷଧ କମ୍ପାନିମାନେ ଔଷଧ ଯୋଗାଇବା ପାଇଁ ବେଶ୍ କିଛିମାସ ସମୟ ଲାଗିପାରେ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର