ବାଟବଣା ହେଲାଣି ‘ନିରାମୟ’ ଯୋଜନା

ଏନ୍‌ଏସ୍‌କ୍ୟୁ ଧରୁଛନ୍ତି, ଏକ୍ସପ୍ୟାରି ଔଷଧ ଧରାପଡ଼ିଲାନି କେମିତି ?

ଭୁବନେଶ୍ବର : ୨୦୧୫ ମସିହାରେ ‘ନିରାମୟ’ ଯୋଜନା ଆରମ୍ଭ ହେବା ସମୟରେ ରାଜ୍ୟ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ମାଗଣା ଓ ଗୁଣବତ୍ତା ଔଷଧ ଯୋଗାଇ ଦେବା। ଏଥିପାଇଁ ରାଜ୍ୟ ଔଷଧ ନିଗମ ଗଠନ କରାଯିବା ସହିତ ଓଏସ୍‌ଏମ୍‌ସିଏଲରେ ଏକ କ୍ବାଲିଟି ଆସ୍ୟୁରାନ୍‌ସ ସେଲ୍‌ ରହିଛି। ଏହାର ମୁଖ୍ୟ କାର୍ଯ୍ୟ ହେଉଛି, ଟେଣ୍ଡର ପରେ ଔଷଧ କମ୍ପାନି ଦେଉଥିବା ଔଷଧକୁ ଡାକ୍ତରଖାନାକୁ ବଣ୍ଟନ କରା ନ ଯାଇ ଏହାର ଗୁଣବତ୍ତା ପରୀକ୍ଷା କରିବା। ଯଦି ଔଷଧ ଠିକ୍ ରହିଛି ତାହାଲେ ଡାକ୍ତରଖାନାକୁ ଦିଆଯାଉଛି। ନଚେତ୍ ଔଷଧ ଯୋଗାଣକୁ ବାତିଲ୍ କରି ଦିଆଯାଉଛି।

ତେବେ ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜରେ ଦୁଇଦିନ ତଳେ ରୋଗୀଙ୍କୁ ଏକ୍ସପ୍ୟାରି ବା ଅବଧି ଶେଷ ହୋଇ ଯାଇଥିବା ଔଷଧ ଦିଆଗଲା କିପରି? ଏତେ କମ୍ ଅବଧି ଥିବା ଔଷଧକୁ ନିଗମ କାହିଁକି କିଣିଥିଲା। ଏପରିକି ଔଷଧ ଦେବା ପୂର୍ବରୁ ମଧ୍ୟ ଷ୍ଟୋରରେ ଥିବା ଫାର୍ମାସିଷ୍ଟ ଏହା ଏକ୍ସପ୍ୟାରି ‌ବୋଲି ଦେଖିପାରିଲେ ନାହିଁ। ଉପରଠୁ ତଳ ପର୍ଯ୍ୟନ୍ତ ସମସ୍ତଙ୍କ ଖାମଖିଆଲ ଯୋଗୁଁ ତୃଣମୂଳସ୍ତରରେ ରୋଗୀମାନେ ଗୁଣବତ୍ତା ଔଷଧ ବଦଳରେ ଏକ୍ସପ୍ୟାରି ଔଷଧ ପାଉଛନ୍ତି।

ଦୁଇଦିନ ତଳେ ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ୍ ପୁଡ଼ାପାଲି ଗାଁର ସନ୍ତୋଷ ସାହୁଙ୍କ ଥଣ୍ଡା ଜ୍ବର ହୋଇଥିବାରୁ ସେ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଯାଇଥିଲେ। ଆଉଟଡୋରରେ ଡାକ୍ତର ଦୁଇଟି ଔଷଧ ଲେଖିଥିଲେ। ସନ୍ତୋଷ ‘ନିରାମୟ’ କେନ୍ଦ୍ରକୁ ଯାଇ ଔଷଧ ଆଣିଥିଲେ। ହେଲେ ଏଥିରେ ଗୋଟିଏ ଔଷଧ ଏକ୍ସପ୍ୟାରି ହୋଇଥିବା ଜଣାପଡ଼ିଥିଲା। ଏହାର ପ୍ରସ୍ତୁତି ତାରିଖ ୨୦୧୯ ମସିହା ସେପ୍ଟେମ୍ବର ମାସ ଥିବା ବେଳେ ଚଳିତବର୍ଷ ଅଗଷ୍ଟ ମାସ ଏକ୍ସପ୍ୟାରି ତାରିଖ ଥିଲା। ଏ ନେଇ ସେ ଅଭିଯୋଗ କରିବା ପରେ ହସ୍ପିଟାଲ ଅଧୀକ୍ଷକ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। କେବଳ ବଲାଙ୍ଗୀର ନୁହେଁ, ବାଲେଶ୍ବର ବଡ଼ ଡାକ୍ତରଖାନାରେ କୋଭିଡ ଆକ୍ରାନ୍ତ ଜଣେ ୪ବର୍ଷର ଶିଶୁକନ୍ୟାକୁ ମଧ୍ୟ ଜୁନ୍ ମାସରେ ଏକ୍ସପ୍ୟାରି ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଔଷଧ ଖାଇବା ପରେ ଶିଶୁକନ୍ୟାଟି ଘନ ଘନ ବାନ୍ତି କରିଥିଲା। ପରବର୍ତୀ ସମୟରେ ଶିଶୁକନ୍ୟାଟି ଖାଇଥିବା ଔଷଧର ଏକ୍ସପ୍ୟାରି ଶେଷ ହୋଇଯାଇଥିବା ଜଣାପଡ଼ିଥିଲା। ସାମାଜିକର୍ମ ଶକୁନ୍ତଳା ଦାସ ଏ ସଂପର୍କରେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ। କମିସନ ରିପୋର୍ଟକୁ ଗମ୍ଭୀରତାର ସହ ନେଇ ୨ମାସ ଭିତରେ ରିପୋର୍ଟ ପ୍ରଦାନ କରିବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି।

‘ନିରାମୟ’ ଯୋଜନା ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଓଏସ୍‌ଏମ୍‌ସିଏଲ ୩୪ଟି ଔଷଧ ଯୋଗାଣକାରୀ କମ୍ପାନିକୁ କଳା ତାଲିକାଭୁକ୍ତ କରି ସାରିଛି। ଡାକ୍ତରଖାନାକୁ ଯିବା ପୂର୍ବରୁ ବିଭିନ୍ନ ଲାବୋରେଟାରିରେ ପରୀକ୍ଷା ହେବା ପରେ ଏନ୍‌ଏସକ୍ୟୁ ଜଣାପଡ଼ିଲେ ଏସବୁ କମ୍ପାନିକୁ କଳା ତାଲିକାଭୁକ୍ତ କରାଯାଉଥିବା ନିଗମ ପକ୍ଷରୁ କୁହାଯାଉଛି। ହେଲେ ଏକ୍ସପ୍ୟାରି ଔଷଧ କିଭଳି ନିଗମର ନଜରକୁ ଆସୁନାହିଁ। ନିଗମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର କୌଣସି ମେଡିସିନ୍ ଷ୍ଟୋରରେ ଏକ୍ସପ୍ୟାରି ଔଷଧ ରହିବା ଅସମ୍ଭବ। କାରଣ ଔଷଧ ଏକ୍ସପ୍ୟାରି ହୋଇଗଲେ ତାହା ‌ଔଷଧ ଷ୍ଟୋରରେ ସଫ୍‌ଟୱେୟାର ସହିତ ମ୍ୟାଚ୍ କରି ନ ଥାଏ। ତେଣୁ ସ୍ଥାନୀୟ ଔଷଧ ଷ୍ଟୋରରୁ ଏହାକୁ ବାଦ୍ ଦିଆଯାଇଥାଏ। ହେଲେ କେଉଁ ପରିସ୍ଥିତିରେ ରୋଗୀଙ୍କୁ ଏକ୍ସପ୍ୟାରି ଔଷଧ ଦିଆଯାଇଛି ତାହାର ତଦନ୍ତ ହେବା ପରେ ହିଁ ସ୍ପଷ୍ଟ ହୋଇପାରିବ। ଏ ସଂପର୍କରେ ଓଏସ୍‌ଏମ୍‌ସିଏଲର ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ କୌଣସି ଉତ୍ତର ଦେଇ ନ ଥିଲେ।

 

ସମ୍ବନ୍ଧିତ ଖବର