‘ଖାଲି ପକେଟରେ ଆସି ମାଗଣାରେ ଚିକିତ୍ସା’ର ବିକଳ ଚିତ୍ର : ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବୁର୍ଲା ବଡ଼ ମେଡିକାଲର ନିରାମୟ କେନ୍ଦ୍ରରେ ମାଗଣା ଔଷଧ ପାଉନାହାନ୍ତି ରୋଗୀ

ସମ୍ବଲପୁର : ଅକ୍ଟୋବର ୨ ତାରିଖରୁ ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ସରକାରୀ ‌ମେଡିକାଲକୁ ଆସୁଥିବା ରୋଗୀ ଖାଲି ପକେଟରେ ଆସି ମାଗଣାରେ ଚିକିତ୍ସା ପାଇପାରିବେ ବୋଲି ଘୋଷଣା ହୋଇଛି। କିନ୍ତୁ ଏହି ଯୋଜନା କାର୍ଯ୍ୟକାରୀ ନହେଉଣୁ ଝୁଣ୍ଟିବାରେ ଲାଗିଲାଣି। ବିନା ଟଙ୍କାରେ ସମ୍ପୂର୍ଣ୍ଣ ଚିକିତ୍ସା ତ ଦୂରର କଥା ସାମାନ୍ୟ ଔଷଧ ଓ ରୋଗ ନିରୂପଣ ମଧ୍ୟ ସମ୍ବଲପୁରରେ ସମ୍ଭବ ହେଉନି। ଅନ୍ୟ ଉପାନ୍ତ ଅଞ୍ଚଳ କଥା ଦୂରେ ଥାଉ ଖୋଦ୍‌ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବୁର୍ଲା ବଡ଼ ମେଡିକାଲରେ ଯୋଜନାର ଏଭଳି ସ୍ଥିତି ଲାଗି ରହିଛି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିରାମୟ କେନ୍ଦ୍ରରେ ମୋଟ ୧୭୦ଟି ଔଷଧର ତାଲିକା ରହିଥିବା ସମୟରେ ଏଠାରେ ୭୦ରୁ ଅଧିକ ଔଷଧ ଉପଲବ୍ଧ ନାହିଁ। ଫଳରେ ସେମାନେ ବାଧ୍ୟ ହୋଇ ଘରୋଇ ଔଷଧ ଦୋକାନରୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି। ନିରାମୟ କେନ୍ଦ୍ରରେ ସମସ୍ତ ଔଷଧ ମିଳୁନଥିବା ସମୟରେ ରୋଗୀଙ୍କୁ ଅନ୍ୟ ଯୋଜନା ମାଧ୍ୟମରେ ବି ଔଷଧ ଯୋଗାଇ ଦିଆଯାଉନି। ଏନେଇ ଏଡିଏମ୍‌ଓ ମେଡିକାଲ ଡା.ଅଶୋକ ଦାଶଙ୍କୁ ପଚାରିବାରେ ସରକାର ଯାହା ଯୋଗାଉଛନ୍ତି, ତାହା ଦିଆଯାଉଛି ବୋଲି କହିଥିଲେ। ତେବେ ନିରାମୟରେ ଉପଲବ୍ଧ ହେଉନଥିବା ଔଷଧ ମେଡିକାଲର ନିଜସ୍ବ ପାଣ୍ଠି, ଓଏସ୍‌ଟିଏଫ ଓ କ୍ୟାମ୍ପସ ମେଡିକାଲରୁ ମଧ୍ୟ ରୋଗୀଙ୍କୁ ଔଷଧ ଯୋଗାଇ ଦିଆଯିବା ନେଇ ସରକାରଙ୍କ ପକ୍ଷରୁ ଥିବା ବ୍ୟବସ୍ଥା ସମ୍ପର୍କରେ ପଚାରିବାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ପଙ୍କଜିନୀ ପଣ୍ଡା ଏସମ୍ପର୍କରେ କୌଣସି ଉତ୍ତର ଦେଇନଥିଲେ।

ସମ୍ବଲପୁର ଗସ୍ତରେ ଆସିଥିବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଯୁଗ୍ମ ନିର୍ଦେଶକ ଡା.ପରେଶ ଚନ୍ଦ୍ର ମିଶ୍ର ମଧ୍ୟ ଅନୁରୂପ କଥା ଦୋହରାଇବା ସହ ସରକାରଙ୍କ ଏହି ଯୋଜନାକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରାଇବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଥିଲେ। କିନ୍ତୁ ସମ୍ବଲପୁରର ସ୍ଥିତି ଦେଖିଲେ ସରକାର ନା ମେଡିକାଲ କର୍ତ୍ତୃପକ୍ଷ କେହି ମଧ୍ୟ ଏହି ଯୋଜନା ପାଇଁ ପ୍ରସ୍ତୁତ ନଥିବା କୁହାଯାଉଛି। ଦିନକୁ ଅତିକମ୍‌ରେ ୬ଶହ ରୋଗୀ ଆସୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତି ସାଧାରଣ ଜ୍ବର, ଥଣ୍ଡା, କାଶ, ପେନ୍‌ ରିଲିଫ ଭଳି ଔଷଧ ଉପଲବ୍ଧ ନାହିଁ। ସେପଟେ, ଶିଶୁ ରୋଗ ବିଭାଗର ଡାକ୍ତର ଲେଖୁଥିବା ୮୦ ପ୍ରତିଶତ ଔଷଧ ନିରାମୟ କେନ୍ଦ୍ରରେ ଉପଲବ୍ଧ ହେଉନି। ଏଭଳି ସ୍ଥିତିରେ ମେଡିକାଲକୁ ଆସୁଥିବା ରୋଗୀ ନିରାମୟ କେନ୍ଦ୍ରକୁ ଯାଇ ଫେରି ଆସୁଛନ୍ତି ନହେଲେ ଘରୋଇ ମେଡିକାଲକୁ ଯାଇ କିଣିବାକୁ ବାଧ୍ୟ ହେଉଛନ୍ତି। ମିଳିଥିବା ତଥ୍ୟ ମୁତାବକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଲିକାଭୁକ୍ତ ହୋଇଥିବା ମୋଟ ୧୭୦ଟି ଔଷଧ ମଧ୍ୟରୁ ୧୧୮ଟି ବଟିକା ରହିଛି। ଏହା ମଧ୍ୟରୁ ୪୪ଟି ବଟିକା ନିରାମୟରେ ଉପଲବ୍ଧ ନାହିଁ। ତାଲିକାଭୁକ୍ତ ଥିବା ୧୯ଟି ଅଏଣ୍ଟମେଣ୍ଟ ଓ ଡ୍ରପ୍‌ ମଧ୍ୟରୁ ୧୦ଟି ଉପଲବ୍ଧ ନାହିଁ। ସେହିଭଳି ୩୩ଟି ଇଞ୍ଜେକ୍ସନ ମଧ୍ୟରୁ ୯ଟି ଉପଲବ୍ଧ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର