ଭୁବନେଶ୍ବର: ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକରେ ଥିବା ‘ନିରାମୟ’ କେନ୍ଦ୍ରକୁ ୨୪ଘଣ୍ଟା ଖୋଲା ରହିବ। ଏଥିରେ ଖିଲାପ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ‘ନିରାମୟ’ କେନ୍ଦ୍ରଗୁଡ଼ିକର ଯାଞ୍ଚ ପାଇଁ ନିଗମ ପକ୍ଷରୁ ସ୍କ୍ବାଡ୍ ଗଠନ ହେବ ଓ ଅଧିକାରୀମାନେ ଅଚାନକ ଚଢ଼ାଉ କରିବେ। ଔଷଧ ନିଗମର ଔଷଧ ଠିକ୍‌ଭାବେ ‘ନିରାମୟ’ କେନ୍ଦ୍ରକୁ ପହଞ୍ଚୁଛି କି ନାହିଁ, ଯେଉଁ ଔଷଧ ଦିଆଯାଇଥିଲା ତାହା ଉପଲବ୍ଧ ହେଉଛି କି ନାହିଁ ତାହାର ତଦାରଖ କରିବେ ବୋଲି ସୂଚନା ଦେଇଛନ୍ତି ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। 

Advertisment

ଆଜି ରାଜ୍ୟ ଔଷଧ ନିଗମ ବାବଦରେ ବିସ୍ତୃତ ସମୀକ୍ଷା କରାଯାଇଛି। ଶ୍ରୀ ମହାପାତ୍ର କହିଛନ୍ତି ଯେ ଘରୋଇ ଔଷଧ ଦୋକାନଗୁଡ଼ିକର କିଭଳି ଯାଞ୍ଚ କରାଯିବ ତାହାର ତର୍ଜମା କରାଯାଉଛି। ଆଗାମୀ ଦିନରେ ଆବଶ୍ୟକ କର୍ମଚାରୀ ନିୟୋଜିତ କରି ନିଗମର କାର୍ଯ୍ୟଧାରାକୁ ସୁଦୃଢ଼ କରାଯିବ। ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ୱୟଂ ସଂପୂର୍ଣ୍ଣ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି। ଯଥାଶୀଘ୍ର କଲେଜକୁ ସମସ୍ତ ଆବଶ୍ୟକୀୟ ଚିକିତ୍ସା ଉପକରଣ, ଶଯ୍ୟା ତଥା ଅନୁଷଙ୍ଗିକ ସୁବିଧାସୁଯୋଗ ଉପଲବ୍ଧ କରିବା ଉପରେ ଔଷଧ ନିଗମ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବେ।

 ପିଆର୍‌ଏମ୍‌ ମେଡିକାଲ କଲେଜକୁ ସ୍ୱୟଂସମ୍ପୂର୍ଣ୍ଣ କରାଯିବା ଉପରେ ଗୁରୁତ୍ୱ
ରାଜ୍ୟ ଔଷଧ ନିଗମ ସଂପର୍କରେ ସାଧାରଣ ଉଦ୍ୟୋଗ ମନ୍ତ୍ରୀଙ୍କ ସମୀକ୍ଷା

ସେହିପରି ଜିଲ୍ଲା ଚିକିତ୍ସାଳୟଠାରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ରାଜ୍ୟରେ ଥିବା ସମସ୍ତ ସରକାରୀ ମେଡିକାଲ କଲେଜଗୁଡ଼ିକ ନିମନ୍ତେ ଔଷଧ ସାମଗ୍ରୀ ଓ ଡାକ୍ତରୀ ଯନ୍ତ୍ରପାତି କ୍ରୟ ତଥା ବିତରଣ ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। କୋଭିଡ୍‌ ଓ ଏହା ପରବର୍ତ୍ତୀ ସମୟରେ ସମସ୍ତ ସରକାରୀ ଚିକିତ୍ସାଳୟରେ ରୋଗୀମାନଙ୍କ ପାଇଁ ଔଷଧ ପହଞ୍ଚାଇବା କାର୍ଯ୍ୟ ଔଷଧ ନିଗମ ପକ୍ଷରୁ ଜାରି ରହିଛି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଖୁସି, ସଂପୂର୍ଣ୍ଣା ଓ ଔଷଧଯୁକ୍ତ ମଶାରି ବଣ୍ଟନ ପରି ଯୋଜନାଗୁଡ଼ିକର ସଫଳ ରୂପାୟନ ଦିଗରେ ନିଗମ ଦକ୍ଷତାର ସହିତ କାର୍ଯ୍ୟ କରୁଥିବା ଅଧିକାରୀ ସୂଚନା ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଡା.ପୋମା ଟୁଡ଼ୁ, ସାଧାରଣ ଉଦ୍ୟୋଗ ବିଭାଗର ଶାସନ ସଚିବ ଟି.ଆଓ, ସ୍ୱତନ୍ତ୍ର ଶାସନ ସଚିବ ନିହାର ରଞ୍ଜନ ଦାଶ, ଡିଏମ୍‌ଇଟି ପ୍ରଫେସର ଡା.ସନ୍ତୋଷ ମିଶ୍ରଙ୍କ ସମେତ ନିଗମ ଓ ସାଧାରଣ ଉଦ୍ୟୋଗ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।