ଟିଟିଲାଗଡ଼ରେ ଜିଲ୍ଲା ଯୁବ କନ୍ଧ ସମାଜର ବିକ୍ଷୋଭ, ନିରଞ୍ଜନ ବିଶିଙ୍କ କୁଶପୁତ୍ତଳିକା ଦାହ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଚିବ ତଥା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି ଜିଲ୍ଲା ଯୁବ କନ୍ଧ ସଂଗଠନ। ଶୁକ୍ରବାର କନ୍ଧ ସମାଜ ଟିଟିଲାଗଡ଼ସ୍ଥିତ ମାଁ ଘଣ୍ଟାଶୁଣି ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଆସିଥିଲା। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଆଦିବାସୀ ନେତା ନିରଞ୍ଜନ ବିଶିଙ୍କ ବିରୋଧରେ ଗର୍ଜିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଥିଲା। ପରେ ନିରଞ୍ଜନଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

ସମାଜର ଜିଲ୍ଲା ସଭାପତି ସୁରେଶ ଭୋଇଙ୍କ ନେତୃତ୍ବରେ ଆନ୍ଦୋଳନକାରୀମାନେ ନିରଞ୍ଜନ ବିଶିଙ୍କୁ ଆଦିବାସୀ ସମାଜରୁ ବାସନ୍ଦ କରିବାକୁ ଦାବି କରିବା ସହ ଜାତି ସମାଜ ପ୍ରତି ବିଶ୍ବାସଘାତ କରିଥିବା ଅଭିଯୋଗ କରିଥିଲେ। ସଂଘର ଶତାଧିକ ସଦସ୍ୟ ପାରମ୍ପରିକ ଅସ୍ତ୍ରଶସ୍ତ୍ର ତଥା ବାଦ୍ୟଯନ୍ତ୍ର ଧରି ରାଜ୍ୟ ସରକାର, ବିଜେଡି ତଥା ନିରଞ୍ଜନ ବିଶିଙ୍କ ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେପଟେ କିଛିଦିନ ପୂର୍ବରୁ ଟିଟିଲାଗଡ଼ସ୍ଥିତ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ କାର୍ଯ୍ୟାଳୟରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ କର୍ମକର୍ତ୍ତାମାନେ ନିରଞ୍ଜନଙ୍କୁ ସମର୍ଥନ ଦେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

ଅନ୍ୟପକ୍ଷରେ ଶୁକ୍ରବାର ସହରରେ ଜିଲ୍ଲା ଯୁବ ଆଦିବାସୀ କନ୍ଧ ସମାଜ ଖୋଲା ଖୋଲି ଭାବେ ନିରଞ୍ଜନଙ୍କୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିବାରୁ ଏବେ ଆଦିବାସୀ ସଂଘରେ ବିରାଟ ଫାଟ ସୃ୍ଷ୍ଟି ହୋଇଥିବା ସ୍ପଷ୍ଟ ହୋଇଛି। ଜିଲ୍ଲା ଯୁବ କନ୍ଧ ସମାଜ ଆଗାମି ଦିନରେ ନିରଞ୍ଜନ ବିଶିଙ୍କୁ ଆଦିବାସୀ ସମାଜରୁ ବାସନ୍ଦ କରିବା ଦାବି ନେଇ ତୀବ୍ର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ଧନେଶ୍ବର ମାଝି, ଟିଟିଲାଗଡ଼ ନଗର ସଭାପତି ସୁରେଶ ଭୋଇ, କିରଣ ଭୋଇ, ବନିତା ପ୍ରଧାନୀ, ଦୁଲାର ଭୋଇ, ଜୟଗୋପାଳ ଭୋଇ, ଦିଶୁମନୀ ପ୍ରଧାନୀ, ତୁଳସୀ ଭୋଇ, ବାଳଗୋବିନ୍ଦ ମାଝୀ, ପ୍ରଦୀପ ମାଝୀ, ଖୁସିରାମ ଜାନୀ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର