ବିଜେଡି, ବିଜେପିକୁ ଟାର୍ଗେଟ୍‌ କଲେ ନିରଂଜନ, ଚେଲ୍ଲା କୁମାର

ଜଗତସିଂହପୁର ଟାଉନ୍/ରଘୁନାଥପୁର : କଂଗ୍ରେସ ଓଡ଼ିଶାର ବିକାଶ କରିଥିଲା। କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟର ଦ୍ରୁତ ବିକାଶ ହେବ। ବିଜେଡି ଓ ବିଜେପି ଶାସନରେ ରାଜ୍ୟର ବିକାଶ ଠପ୍ ହୋଇଯାଇଛି। ବିଜେଡି ଓ ବିଜେପି ଭାଇଭାଇ ହୋଇ ଭୋଟରଙ୍କୁ ଭୁଆଁ ‌ବୁଲାଉଛନ୍ତି ବୋଲି ତିର୍ତ୍ତୋଲ ଉପନିର୍ବାଚନ ପ୍ରଚାରକୁ ଆଜି ଓହ୍ଲାଇଥିବା ପିସିସି ସଭାପତି ନିରଂଜନ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ପ୍ରଭାରୀ ଡକ୍ଟର ଏ. ଚେଲ୍ଲାକୁମାର ଓ ଅନ୍ୟ ବରିଷ୍ଠ ନେତାମାନେ ମତ ଦେଇଛନ୍ତି।

ଆଜି ରଘୁନାଥପୁର ଜଇପୁର ବାଲିପଡ଼ିଆରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ କଂଗ୍ରେସର ରାଜ୍ୟ ପ୍ରଭାରୀ ଡକ୍ଟର ଏ. ଚେଲ୍ଲା କୁମାର ଯୋଗଦେଇଥିଲେ। ସେ କହିଥିଲେ ଯେ, ହୀରାକୁଦ ଡ୍ୟାମ୍, ପାରାଦୀପ ପୋର୍ଟ, ତିର୍ତ୍ତୋଲର ସାରଳା ସୂତାକଳ ଭଳି ଅନେକ ବିକାଶମୂଳକ କାମ ହୋଇଥିଲା। ଏବେର ସରକାର କୃଷିମାରଣ ନୀତି ଆପଣାଉଛନ୍ତି। ପୁଞ୍ଜିପତିମାନେ ଚାଷୀଙ୍କୁ ଲୁଟିବା ପାଇଁ ସରକାର ବାଟ ଫିଟାଇଛନ୍ତି। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଏଠି ମେସିନ୍ କାମ କରୁଛି। ନବୀନ ପଟ୍ଟନାୟକଙ୍କୁ କାହିଁକି ଭୋଟ୍ ଦେଉଛନ୍ତି ଲୋକଙ୍କୁ ପଚାରିବାରେ, ସେମାନେ ଟଙ୍କିକିଆ ଚାଉଳ କଥା କହୁଛନ୍ତି। ହେଲେ ଟଙ୍କିକିଆ ଚାଉଳ ବ୍ୟବସ୍ଥା କଂଗ୍ରେସ ସରକାର କରିଥିଲା। ଆଜି ଚାଉଳ ଦେଉଥିବା କହି ଉଭୟ ବିଜେଡି ଓ ବିଜେପି ଭୋଟ୍ ପାଉଛନ୍ତି ବୋଲି ଚେଲ୍ଲାକୁମାର କହିଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡିକୁ ଟାଗେର୍ଟ କରି କହିଛନ୍ତି ଯେ, ‘ ବର୍ଷ ଭିତରେ ବିଜେଡି କେବଳ ଭୋଟ୍ ରାଜନୀତି କରିଛି। ମହିଳା ନିର୍ଯାତନା କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ। ଅର୍ଥନୀତି କ୍ଷେତ୍ରରେ ଭାରତବର୍ଷ ବାଙ୍ଗଲାଦେଶଠାରୁ ନିମ୍ନରେ। କେବଳ ଭାଷଣବାଜି କରି ବିଜେଡି ଓ ବିଜେପି ବାହାସ୍ଫୋଟ ମାରୁଛନ୍ତି। ଦୁଇବର୍ଷ ହେବ ବିଜେପି ଯେଉଁ ବିଲ୍ ଆଣୁଛି ବିଜେଡି ସବୁକୁ ସମର୍ଥନ କରୁଛି। ଚିଟ୍‌ଫଣ୍ତ୍‌ ଦୋଷୀଙ୍କୁ ଲୁଚାଇବା ପାଇଁ ବିଜେଡି ବିଜେପିର ଶରଣ ପଶିଛି। ବିଜେପି ଓ ବିଜେପିଙ୍କର ଭିତିରି ସମ୍ପର୍କ ରହିଛି।’ ତେଣୁ ଏଥର ନିଜର ସ୍ବାଭିମାନ ରକ୍ଷା କରି ଯୋଗ୍ୟ ପ୍ରାର୍ଥୀ ହିଂମାଶୁ ଭୂଷଣ ମଲ୍ଲିକଙ୍କୁ ଭୋଟ୍ ଦେଇ କଂଗ୍ରେସକୁ ବିଜୟୀ କରିବାକୁ ସେ ନିବେଦନ କରିଥିଲେ। କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ବାଳ ଉଦବୋଧନ ଦେଇ ବିଜେପି ଓ ବିଜେଡିର ପ୍ରାର୍ଥୀଙ୍କୁ ସମାଲୋଚନା କରିଥିଲେ। ଉପ ନିର୍ବାଚନ ଆସିବା ବେଳେ ବିଜେଡି ସରକାର ଭୋଟ ପାଇଁ ତିର୍ତ୍ତୋଲେରେ ଦୁଇଟି ସେତୁ ଘୋଷଣା କରିଛନ୍ତି। ବାସ୍ତବରେ ସେତୁ କେବେ ହେବ ନାହିଁ। ଯଦି ଏତେ ଭଲ ଅଛି ସଙ୍ଗଠନ, ଭଲ କାମ କରିଛନ୍ତି, ତେବେ ମାଳ ମାଳ ବିଧାୟକ ଓ ମନ୍ତ୍ରୀ କାହିଁକି ଭୋଟ୍ ଭିକ୍ଷା କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଏଥର କଂ‌ଗ୍ରେସ ନିଶ୍ଚୟ ବିଜୟୀ ହେବ ବୋଲି କହିଛନ୍ତି। ସମାବେଶରେ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ୍ତ ମାଝୀ, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଳିକ ଉଦବୋଧନ ଦେଇଥିବା ବେଳେ ଧର୍ମଶାଳା ବିଧାୟକ ସ୍ମୃତିରେଖା ପହି, ମିଡିଆ ସେଲ୍‌ର ଅଭିଷେକ ମହାନନ୍ଦନ, ପ୍ରତିମା ମଲ୍ଲିକ, ନାରାୟଣ ପ୍ରସାଦ ଜେନା, ଦେବୀପ୍ରସାଦ ନାୟକ, ରଂଜିତା ଜେନା, ପ୍ରତାପ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର