ପିସିସି ପରିବର୍ତ୍ତନ ନେଇ ମୁହଁ ଖୋଲିଲେ ନିରଞ୍ଜନ: ଆଗରୁ ଇସ୍ତଫା ଦେଇସାରିଛି, ଏଆଇସିସି ହାତରେ ନିଷ୍ପତ୍ତି

ପ୍ରତି ୨/୩ବର୍ଷରେ ପିସିସି ପରିବର୍ତନ ହୁଏ

ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରଠାରୁ ରାଜ୍ୟରେ ନେତୃତ୍ବ ପରିବର୍ତନ ଚର୍ଚା‌ ଜୋର ଧରିଛି। ନିକଟରେ ୫ଟି ରାଜ୍ୟରେ ପିସିସିରେ ପରିବର୍ତନ ହୋଇଥିବାରୁ ଓଡ଼ିଶାରେ ମଧ୍ୟ ଏଥର ପରିବର୍ତନ ହେବ ବୋଲି ଆଲୋଚନା ହେଉଛି। ତେବେ ନେତୃତ୍ବ ପରିବର୍ତନ ନେଇ ଆଜି ମୁହଁ ଖୋଲିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବହୁ ଆଗରୁ ସେ ଇସ୍ତଫା ଦେଇସାରିଛି। ଏଆଇସିସି ହାତରେ ନିଷ୍ପତ୍ତି ରହିଛି। ଇସ୍ତଫାପତ୍ର ସାର୍ବଜନୀନ କରିବାର କୌଣସି ଆବଶ୍ୟକତା ନାହିଁ। ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର। ପ୍ରତି ୨/୩ବର୍ଷରେ ଥରେ ପିସିସି ପରିବର୍ତନ ହୁଏ। ଏଥିରେ କିଛି ନୂଆ କଥା ନାହିଁ। ୨୦୧୯ ମସିହାରେ ମଧ୍ୟ ଇସ୍ତଫା ଦେଇଥିଲି। ପିସିସିରେ ପରିବର୍ତନ ହେଉ। ସଭାପତି ପାଇଁ ରାଜ୍ୟ କଂଗ୍ରେସରେ ବହୁ ଯୋଗ୍ୟ ବ୍ୟକ୍ତି ରହିଛନ୍ତି। ତେବେ ସଭାପତି ଯିଏ ହେଉନା କାହିଁକି ତାଙ୍କୁ ସହଯୋଗ କରିବି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

କିଛିଦିନ ପୂର୍ବରୁ ବିଧାୟକ ସୁରେଶ ରାଉତରାୟ ରାଜ୍ୟରେ ନେତୃତ୍ବ ପରିବର୍ତନ ନେଇ ଏକ ଫର୍ମୁଲା ଗଣମାଧ୍ୟମ ଆଗରେ ରଖିଥିଲେ। ସୁର କହିଥିଲେ ପିସିସି ସଭାପତି ପାଇଁ ୧୩/୧୪ଜଣଙ୍କ ନାଁ ଚର୍ଚା ହେଉଛି। କିଏ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ତ ଆଉ କିଏ ବରିଷ୍ଠଙ୍କୁ ପିସିସି ସଭାପତି କରିବାକୁ କହୁଛନ୍ତି। ଆଉ କେତେଜଣ ଯୁବ ଗୋଷ୍ଠୀଙ୍କୁ ଦାୟିତ୍ବ ଦିଆଗଲେ ଭଲ ବୋଲି ଯୁକ୍ତି ବାଢ଼ୁଛନ୍ତି। କିନ୍ତୁ ମୋ ମତରେ ଜଣେ ଷ୍ଟ୍ରଙ୍ଗମ୍ୟାନ୍‌କୁ ସଂଗଠନ ଦାୟିତ୍ବ ଦିଆଯାଉ। ଯାହାର ରାଜ୍ୟ ପାଇଁ ଅବଦାନ ଥିବ ଓ ଯିଏ ସଂଗଠନ ଭିତରେ ରହିଥିବେ।

ଏହାସହ ଓଡ଼ିଶାକୁ ୪ଟି ଜୋନ୍‌ରେ ଭାଗ କରାଯାଉ। ୪ କାର୍ଯ୍ୟକାରୀ ସଭାପତି, ୮ଜଣ ଉପ-ସଭାପତି ଓ ୨୦ଜଣ ସାଧାରଣ ସଂପାଦକଙ୍କୁ ନିଯୁକ୍ତ କରାଯାଉ। ସେମାନେ ଲୋକଙ୍କ ପାଖକୁ ଯିବେ ଓ ଲୋକଙ୍କ ସମସ୍ୟା ବୁଝିବେ। ତାହାଲେ ଯାଇ କଂଗ୍ରେସ ରାଜ୍ୟରେ ଆଗେଇବ। ଯେଉଁମାନେ ପିସିସି ସଭାପତି ହେବେ ବୋଲି କହୁଛନ୍ତି ‌ନିର୍ବାଚନ ବେଳେ ସେମାନେ କେଉଁଠି ଥିଲେ ? ‌ସେମାନେ ନିର୍ବାଚନ ପ୍ରଚାରରେ ଗଲେ ନାହିଁ କି ଟଙ୍କାଟିଏ ମଧ୍ୟ କାଢ଼ିଲେ ନାହିଁ। କେବଳ ନିରଞ୍ଜନ ବାବୁଙ୍କୁ ଖରାପ କହିଦେଲେ ଚଳିବ ନାହିଁ। ସେ ଜଣେ ଭଲ ଲୋକ ବୋଲି ସୁର କହିଥିଲେ।

ସମ୍ବନ୍ଧିତ ଖବର