ମୋଦିଙ୍କୁ ନିରଞ୍ଜନଙ୍କ ପ୍ରଶ୍ନ : ଜୁନ୍‌ ସରିଲା, ବର୍ଧିତ ସହାୟକ ମୂଲ୍ୟ ଘୋଷଣା କାହିଁ?

ଭୁବନେଶ୍ୱର : ପ୍ରତିବର୍ଷ ଖରିଫ ଋତୁ ଆରମ୍ଭ ହେବା ମାତ୍ରେ କେନ୍ଦ୍ର ସରକାର ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଥାନ୍ତି। ଗତ ବଜେଟ୍‌ରେ ମୋଦି ସରକାର ଘୋଷଣା କରିଛନ୍ତି, ଚାଷୀଙ୍କ ଫସଲ ଖର୍ଚ ଉପରେ ୫୦ ପ୍ରତିଶତ ଅଧିକ ଏମ୍‌ଏସ୍‌ପି ଧାର୍ଯ୍ୟ କରାଯିବ। ଏମ୍‌ଏସ୍‌ପି ଜୁନ୍‌ ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ସୁଦ୍ଧା ଘୋଷଣା କରାଯିବା କଥା। ଜୁନ୍‌ ମାସ ସରିଲାଣି। ଖରିଫ ଋତୁ ଚାଷ ଆରମ୍ଭ ହେଲାଣି। କିନ୍ତୁ ବର୍ଧିତ ଏମ୍‌ଏସ୍‌ପି ଘୋଷଣା କରାଯାଇନଥିବାରୁ ଚାଷୀମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଫଳରେ ଚାଷ କାମ ବାଧାପ୍ରାପ୍ତ ହେଲାଣି। ବର୍ଧିତ ହାରରେ ସହାୟକ ମୂଲ୍ୟ ଘୋଷଣା କେବେ କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଚାରିଛନ୍ତି।

ଆଜି ଏକ ପ୍ରେସ୍‌ ବିବୃତି ଜରିଆରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ୨୩ଟି ଫସଲ ପାଇଁ କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିଥାନ୍ତି। ବର୍ତମାନ ସୁଦ୍ଧା ସହାୟକ ମୂଲ୍ୟ ଧାର୍ଯ୍ୟ ହୋଇନଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଫଳରେ ଜୁନ୍‌ ୩୦ ତାରିଖ ସୁଦ୍ଧା ଯେତିକି ଜମିରେ ଚାଷ ହେବା କଥା ସେତିକି ଜମିରେ ଚାଷକାମ ଆଗେଇ ପାରିନାହିଁ। ଏହାର କାରଣ ହେଉଛି ଯେ ଚାଷୀମାନେ ସହାୟକ ମୂଲ୍ୟ ଘୋଷଣାକୁ ଅପେକ୍ଷା କରୁଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତିି, ଏମ୍‌ଏସ୍‌ପି ଧାର୍ଯ୍ୟ କରିବା ଦାୟିତ୍ୱ ରାଜ୍ୟମାନଙ୍କୁ ଦେବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। କିଛି ବେସରକାରୀ ସଂସ୍ଥା ଏହି ଦାୟିତ୍ୱ ତୁଲାଇବେ। ଏହା ଦ୍ୱାରା କେନ୍ଦ୍ର ସରକାର ନିଜ ଉପରୁ ଦାୟିତ୍ୱ ଖସାଇ ଦେବାକୁ ଉଦ୍ୟମ କରୁଛନ୍ତି। ଏହି ମର୍ମରେ ନୀତି ଆୟୋଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୩ଟି ପ୍ରସ୍ତାବ ଦିଆଯାଇଛି। ସେହି ପ୍ରସ୍ତାବଗୁଡ଼ିକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ମନ୍ତ୍ରିସ୍ତରୀୟ ଗୋଷ୍ଠୀ ଆଲୋଚନା, ସମୀକ୍ଷା କରୁଛନ୍ତି। ଏହି ଗୋଷ୍ଠୀ କେବେ ଏମ୍‌ଏସ୍‌ପି ଘୋଷଣା କରିବେ ଜଣାପଡ଼ୁନାହିଁ। କେନ୍ଦ୍ରର ଏଭଳି କାଳକ୍ଷେପଣ ନୀତି ଚାଷୀଙ୍କ ପାଇଁ କାଳ ହେବାକୁ ଯାଉଛି। ଗତବର୍ଷ ଏହି ସମୟ ସୁଦ୍ଧା ଚାଷୀମାନେ ଯେତିକି ଅଞ୍ଚଳରେ ଚାଷକାମ କରିଥିଲେ, ଏବର୍ଷ ତାହା ହ୍ରାସ ପାଇଛି। ଏଣୁ, ମୁଖ୍ୟ ଫସଲଗୁଡ଼ିକ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ତୁରନ୍ତ ଘୋଷଣା କରିବାକୁ ପିସିସି ସଭାପତି ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ପ୍ରସଙ୍ଗ କେନ୍ଦ୍ର ନିକଟରେ ଉପସ୍ଥାପନ କରିବାକୁ ସେ କହିଛନ୍ତିି।

ସମ୍ବନ୍ଧିତ ଖବର