ଭୁବନେଶ୍ବର : ରାଜ୍ୟରେ ମହିଳା ସଶକ୍ତୀକରଣ ଓ ମା’କୁ ସମ୍ମାନ ଆଳରେ ନବୀନ ସରକାର ଗରିବଙ୍କ ଝାଳବୁହା ଧନକୁ ଲୁଟ୍ କରୁଛନ୍ତି। ଏ ସରକାର ଭୋଟ ସର୍ବସ୍ବ ରାଜନୀତି କରୁଛନ୍ତି। ନିର୍ବାଚନ ସମୟ ଆସିଲେ ମହିଳାଙ୍କ ପାଇଁ ମୋବାଇଲ୍ ବଣ୍ଟନଠାରୁ ଆରମ୍ଭ କରି ଅନେକ ଯୋଜନା କରି ସେମାନଙ୍କୁ ପ୍ରଲୋଭିତ କରିଥାନ୍ତି। ଗତ ୧୯ ବର୍ଷରେ ପ୍ରତିବର୍ଷ ମହିଳାଙ୍କ ସୁରକ୍ଷା ପାଇଁ ମାତ୍ର ୧ କୋଟି ଲେଖାଏଁ ବ୍ୟୟବରାଦ କରିଛନ୍ତି। ଗତବର୍ଷ ବଜେଟ୍ରେ ରାଜ୍ୟ ସରକାର ମହିଳା ସଶକ୍ତୀକରଣ ଓ ସ୍ବୟଂ ସହାୟକ ଗୋଷ୍ଠୀ ଯୋଜନାକୁ ମିଶାଇ ମାତ୍ର ୯୭ କୋଟି ରଖିଥିବା ବେଳେ ଚଳିତ ବର୍ଷ ଏହି ପରିମାଣ ୧୦୬୧ କୋଟି ଅର୍ଥାତ୍ ୯୯୩ ପ୍ରତିଶତ ବୃଦ୍ଧି କରିଛନ୍ତି। ଗରିବଙ୍କ ଧନକୁ ରାଜସ୍ବ ଭାବେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଟଙ୍କା ବାଣ୍ଟିଥିବା ଭଳି ଗୁରୁତର ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ।
ଏ ନେଇ ଏକ ପ୍ରେସ୍ ବିବୃତି ଜରିଆରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ୨୦୧୪ ନିର୍ବାଚନ ବୈତରଣୀ ପାର ହେବା ପାଇଁ ମହିଳା ସଶକ୍ତୀକରଣ ଲକ୍ଷ୍ୟ ନେଇ ୩୦.୮୦ କୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବାଣ୍ଟି ବାହାସ୍ପୋଟ ନେଲେ। ପୁଣି ୫ ବର୍ଷ ପରେ ପୁଣିଥରେ ସରକାରକୁ ଫେରିବାର ଆଭିମୁଖ୍ୟ ନେଇ ସରକାର ୨୦୧୮-୧୯ ବଜେଟ୍ରେ ମହିଳାଙ୍କ ପାଇଁ ୧୦୬୧ କୋଟିର ବରାଦ କରିଛନ୍ତି। ଗତ ୪ ବର୍ଷରେ ମହିଳା ସଶକ୍ତୀକରଣ ପାଇଁ ବଜେଟ୍ରେ ଟଙ୍କାଟିଏ ରଖିନଥିବା ବେଳେ ମହିଳାଙ୍କ ପାଇଁ ସରକାରଙ୍କ ଦରଦ କେଉଁଠି ଥିଲା ବୋଲି ସେ ପଚାରିଛନ୍ତି।
ରାଜ୍ୟ ସରକାର ବର୍ଷ ବର୍ଷ ଧରି ମହିଳା ସଶକ୍ତୀକରଣ ନାଁରେ ରାଜକୋଷ ଲୁଟି ଚାଲିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତିି। ୨୦୧୭-୧୮ରେ ମହିଳା କଲ୍ୟାଣ ବିଭାଗର ବଜେଟ୍ ଅର୍ଥ ୨୮୦୧.୬୧ କୋଟି ଥିବା ବେଳେ ହଠାତ୍ ଚଳିତ ବର୍ଷ ଏହା କାହିଁକି ୩୪୪୮.୩୨ େକାଟିକୁ ବୃଦ୍ଧି ପାଇଲା ସେ ନେଇ ଯଦି ସମୀକ୍ଷା ହେବ, ତେବେ ନବୀନଙ୍କ ଭୋଟ ରାଜନୀତିରୁ ପରଦା ହଟିବ। ଯଦି ଦେଶରେ ମହିଳାଙ୍କ ସ୍ବାବଲମ୍ବୀ ତଥା ସଶକ୍ତୀକରଣ ପ୍ରସଙ୍ଗ ଦେଖାଯାଏ, ୨୯ତମ ସ୍ଥାନରେ ଓଡ଼ିଶା ରହିଛି ବୋଲି ଲିଙ୍ଗଗତ ସଶକ୍ତୀକରଣ ମାନଦଣ୍ଡରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ସେହିପରି ୨୦୧୬ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ(ଏନ୍ସିଆରବି) ରିପୋର୍ଟରେ ମହିଳାଙ୍କ ସୁରକ୍ଷା ନେଇ ଓଡ଼ିଶାର ସ୍ଥାନ ସଂପର୍କରେ ପିସିସି ସଭାପତି କ୍ଷୋଭପ୍ରକାଶ କରିଛନ୍ତି।