ପ୍ରତି ମୃତକ ପରିବାରକୁ ୧୦ ଲକ୍ଷ ଟଙ୍କା ଦିଅ: ନିରଞ୍ଜନ

ଭୁବନେଶ୍ବର : ମହାନଦୀ ପୋଲରୁ ତଳକୁ ବସ୍‌ ଖସିପଡ଼ିବା ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ପ୍ରତ୍ୟେକ ବସଯାତ୍ରୀଙ୍କ ପରିବାରବର୍ଗଙ୍କୁ ଅନ୍ୟୂନ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ପ୍ରଦେଶ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି।

ଏକ ପ୍ରେସ ବିବୃତିରେ ପିସିସି ସଭାପତି କହିଛନ୍ତି, ରାଜ୍ୟରେ ସଡ଼କ ଦୁର୍ଘଟଣା ଏବଂ ମୃତାହତ ସଂଖ୍ୟା ଗତ ୫ ବର୍ଷ ମଧ୍ୟରେ ଯଥେଷ୍ଟ ବୃଦ୍ଧିପାଇଥଥିବା ଦର୍ଶାଇ ଏଥିପାଇଁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ, ଆଂଚଳିକ ପରିବହନ ଅଧିକାରୀ ଏବଂ ଟ୍ରାଫିକ ପୋଲିସ ଦାୟୀ ‌େବାଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ସଡ଼କ ଭିତ୍ତିଭୂମିର ବିକାଶ କରାଯାଉନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ୨୦୯ଟି ବ୍ଲାକସ୍ପଟ ଚିହ୍ନଟ କରାଯାଇଥିଲେ ମଧ୍ୟ ସେଠାରେ ଦୁର୍ଘଟଣା ହ୍ରାସ ପାଇଁ ପଦକ୍ଷେପ ନିଆଯାଉନାହିଁ। ସେଥିମଧ୍ୟରେ କଟକ ଉପକଂଠ ମହାନଦୀ ସେତୁ ଅନ୍ୟତମ। ଅଧିକାଂଶ ସଡ଼କ ଦୁର୍ଘଟଣା ଦ୍ରୁତ ଗାଡିଚାଳନା, ମଦ୍ୟପାନ କରି ଗାଡି ଚାଳନା, ଅସାବଧାନତା, ଗାଡି ଚାଳନା ସମୟରେ ମୋବାଇଲ ଫୋନ ବ୍ୟବହାର ଆଦି କାରଣରୁ ଘଟୁଛି। ଏଥିପ୍ରତି ତୁରନ୍ତ ଦୃଷ୍ଟି ଦିଆଯାଇ ଦୁର୍ଘଟଣା ଓ ମୃତାହତ ସଂଖ୍ୟା ରୋକିବାକୁ ପିସିସି ସଭାପତି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର