କେବଳ ବୁଝାମଣାପତ୍ର ସ୍ବାକ୍ଷରର ସରକାର: ନିରଞ୍ଜନ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ କେବଳ ନିର୍ବାଚନ ପ୍ରଚାର ଏବଂ ବିଭିନ୍ନ କ୍ଷେତ୍ରରେ ନିଜର ଦୋଷ ଦୁର୍ବଳତା ଲୁଚାଇବାର ଏକ ପ୍ରୟାସ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତିି।

ଆଜି ଏକ ପ୍ରେସ୍‌ ବିବୃତିରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୧୬ରେ ପ୍ରଥମ ଥର ପାଇଁ ଆୟୋଜିତ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଅନୁଯାୟୀ ରାଜ୍ୟ ସରକାର ୧୨୪ଟି ଶିଳ୍ପ ପ୍ରତିଷ୍ଠା ପାଇଁ ବୁଝାମଣା‌ପତ୍ର ସ୍ବାକ୍ଷର ହୋଇଥିଲା। ସେଥିମଧ୍ୟରୁ ମାତ୍ର ୬୪ଟି ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଗତ ନଭେମ୍ବର ୩ ତାରିଖରେ ୧୫ଟି ଉଦ୍ୟୋଗର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମାତ୍ର ୩ଟି ଉଦ୍ୟୋଗରୁ ଉତ୍ପାଦନ ଆରମ୍ଭ ହୋଇଛି। ଏଥିରୁ ମେକ୍‌ ଇନ୍‌ ଓଡ଼ିଶା କେତେ ସଫଳ, ତାହା ଲକ୍ଷ୍ୟ କରିବା କଥା। ଗତ କନ୍‌କ୍ଲେଭ୍‌ ଆୟୋଜନରେ ୨୦ କୋଟି ଖର୍ଚ ହୋଇଥିଲା। ଏଥର ତା’ଠାରୁ ଯଥେଷ୍ଟ ଅଧିକ ଖର୍ଚ କରାଯାଉଛି। ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ବିଜେଡି ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ସେ କହିଛନ୍ତିି ଯେ ଗତ ୧୮ ବର୍ଷରେ ରାଜ୍ୟରେ ଶିଳ୍ପାୟନ ଏକ ତାମ୍‌ସା ଭଳି ହୋଇଛି। ଇଜ୍‌ ଅଫ ଡୁଇଂ ବିଜିନେସ୍‌ରେ ଓଡ଼ିଶାର ସ୍ଥାନ ୧୪ଶ ସ୍ଥାନକୁ ଖସିଛି। ରାଜ୍ୟର ୮୫ ଲକ୍ଷରୁ ଅଧିକ ଯୁବକ ଯୁବତୀ ବେକାର। ଶତାଧିକ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗରେ ତାଲା ପଡ଼ିଛି। ଶିଳ୍ପ ସ୍ଥାପନ ପାଇଁ କଞ୍ଚାମାଲ, ଜମି, ପରିବେଶ ମଞ୍ଜୁରି ପ୍ରଦାନ ଆଦି କ୍ଷେତ୍ରରେ ସରକାର ସହଯୋଗ ଯୋଗାଇଦେବାର ଆବଶ୍ୟକତା ରହିଛି। ତେବେ ରାଜନୈତିକ ଶତ୍ରୁତା ମଧ୍ୟ ଶିଳ୍ପ ସ୍ଥାପନ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରୁଛି। ରାଜ୍ୟ ସରକାର କେବଳ ବୁଝାମଣାପତ୍ର ସ୍ବାକ୍ଷର କରିବାର ସରକାର ପାଲଟିଥିବା ପିସିସି ସଭାପତି ଅଭିଯୋଗ କରିଛନ୍ତିି। ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ଅମ୍ବାନୀ, ଆଦାନୀଙ୍କ ଭଳି ଶିଳ୍ପପତିଙ୍କ ଦ୍ବାରା ଶିଳ୍ପ ସ୍ଥାପନର ଯେତିକି ଆବଶ୍ୟକତା ରହିଛି, ଆମ୍ବ, ମକା, ଅଦା, ତେନ୍ତୁଳି, ବିଲାତି ବାଇଗଣ ଭଳି କୃଷିଜାତ ସାମଗ୍ରୀ ପ୍ରକ୍ରିୟାକରଣ ଶିଳ୍ପର ଆବଶ୍ୟକତା ମଧ୍ୟ ସେତିକି ରହିଛି। ଶୀତଳ ଭଣ୍ଡାର ଅଭାବରୁ ରାଜ୍ୟର ଚାଷୀ ଅଭାବୀ ବିକ୍ରି କରି ବିପୁଳ କ୍ଷତି ସହୁଛି। ରାଜ୍ୟ ସରକାର ରାଜ୍ୟ ଭିତର ଉଦ୍ୟୋଗୀମାନଙ୍କ ମନରେ ବିଶ୍ବାସ ଜନ୍ମାଇବାରେ ବିଫଳ ହୋଇଛନ୍ତି। ବିଜୁବାବୁ କଳିଙ୍ଗ ନଗରରେ କଦମ୍ବ ଗଛ ପୋତି ଶିଳ୍ପାୟନର ଆରମ୍ଭ କରିଥିଲେ। ରାଜ୍ୟ ସରକାର ସେ ଦିଗରେ କେତେ କଦମ ଆଗକୁ ବଢ଼ିଛନ୍ତି ବୋଲି ସେ ପଚାରିଛନ୍ତିି।

ସମ୍ବନ୍ଧିତ ଖବର