ବିଜେପିର ନିକଟତର ହେବାକୁ ଉଦ୍ୟମ କରୁଛନ୍ତି ନବୀନ: ନିରଞ୍ଜନ

ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଗଜୁର୍ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ବିଜେପି ଆଡ଼କୁ ଢଳୁଛନ୍ତିି। ବିଜେପିର ନିକଟତର ହେବାକୁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଗତକାଲି ନୂଆଦିଲ୍ଲୀର ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ଏ ନେଇ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ପିସିସି ସଭାପତି କହିଲେ ଯେ ପୂର୍ବରୁ ସମଦୂରତା କଥା କହୁଥିବା ନବୀନ ଏବେ ବିଜେପିର ନିକଟତର ହେଉଛନ୍ତି। ବିଜେଡିକୁ ଚିଟ୍‌ଫଣ୍ଡ ଭୟ ଘାରିଛି। କାଳେ ସିବିଆଇ ଚଢ଼ଉ ହେବ ସେ ନେଇ ନବୀନ ବିଜେପିର ନିକଟତର ହେବାକୁ ଉଦ୍ୟମ କରୁଛନ୍ତି ବୋଲି ନିରଞ୍ଜନ କହିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶାର ବିକାଶରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ବ ରହିଛି। ଯଦି ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏପରି ମନ୍ତବ୍ୟ ଦେଇଛନ୍ତି, ଏପରି ସଂପର୍କ ରହିବା ସ୍ବାଗତଯୋଗ୍ୟ ବୋଲି ନିରଞ୍ଜନ କହିଥିଲେ। ପିସିସି ସଭାପତିଙ୍କ ଏଭଳି ମନ୍ତବ୍ୟ ନେଇ ଜବାବ ରଖିଛନ୍ତି ଉଭୟ ବିଜେଡି ଓ ବିଜେପି। ଉଭୟ ଦଳ ପକ୍ଷରୁ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ସୌଜନ୍ୟମୂଳକ ଥିଲା। ଏଥିରୁ ରାଜନୀତି ବାହାର କରିବା ସ୍ପୃହଣୀୟ ନୁହେଁ।

ସମ୍ବନ୍ଧିତ ଖବର