ଭୁବନେଶ୍ବର : ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକ ସ୍ବତନ୍ତ୍ର ପ୍ରକଳ୍ପ ଓ ଆର୍ଥିକ ପ୍ୟାକେଜ ଘୋଷଣା କରିବା ନେଇ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ବିଜେପୁର ବିଧାୟକ ପଦବୀରୁ ଇସ୍ତଫା ଦେବା ପାଇଁ ମୁଖ୍ୟମନ୍ତ୍ରୀ ମନସ୍ଥିର କରିସାରିଥିବା ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।
ଶୁକ୍ରବାର ଏହି ପ୍ରସଙ୍ଗରେ ପ୍ରେସ ବିଜ୍ଞପ୍ତି ଜାରି କରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ଏକାଧିକ ପ୍ରକଳ୍ପ ଘୋଷଣା କରିବା ଆନନ୍ଦର କଥା କିନ୍ତୁ, ମୁଖ୍ୟମନ୍ତ୍ରୀ କେବଳ ବିଜେପୁରର ବିଧାୟକ ନୁହଁନ୍ତି ବରଂ ଓଡ଼ିଶାର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀର ବିକାଶ ଉପରେ ଗୁରୁତ୍ବ ଦେବା ଉଚିତ୍। ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନବୀନବାବୁ ବିଜୟୀ ହେବା ପରେ ବୋଧହୁଏ ବିଜେପୁର ବିଧାୟକ ପଦ ଛାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ଥିର କରିସାରିଛନ୍ତି। ଆଉ ସରକାରୀ ଅର୍ଥରେ ଉପନିର୍ବାଚନ ବୈତରଣୀ ପାରିହେବାକୁ ମୁଖ୍ୟମନ୍ତ୍ରୀ ଯୋଜନା କରିଛନ୍ତି। ଏହା ଗଣତନ୍ତ୍ର ପ୍ରତି ଆଦୌ ଶୁଭଙ୍କର ନୁହେଁ ବୋଲି ପିସିସି ସଭାପତି ସମାଲୋଚନା କରିଛନ୍ତି।
ଶ୍ରୀ ପଟ୍ଟନାୟକ ଆହୁରି ଅଭିଯୋଗ କରି କହିଛନ୍ତି, ଅତୀତରେ ବହୁ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରି ନିର୍ବାଚନ ବୈତରଣୀ ପାର ହେବାର ଦୃଷ୍ଟାନ୍ତ ଦେଖାଇ ସାରିଛନ୍ତି। ୨୦୧୭ ବିଜେପୁର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଏକାଧିକ ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ ମଧ୍ୟ ପ୍ରକଳ୍ପ ଗୁଡ଼ିକର ବର୍ତ୍ତମାନ ସ୍ଥିତି କଣ ରହିଛି ତାହା ସମସ୍ତଙ୍କୁ ଜଣା। ଏବେ ଗତକାଲିର ଘୋଷଣା ବିଜେପୁରବାସୀଙ୍କ ପାଇଁ ଲଲିପପ୍ ଛଡ଼ା ଆଉ କିଛି ନୁହେଁ। ଆଗାମୀ ଉପନିର୍ବାଚନରେ ବିଜେପୁରବାସୀଙ୍କ ସମେତ ଓଡ଼ିଶାବାସୀ ବିଚାରକରି ଏହାର ଦୃଢ଼ ଜବାବ ଦେବେ ବୋଲି ପିସିସି ସଭାପତି ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/niranjan.jpg)