କାଳିଆ ଟଙ୍କା ଫେରସ୍ତ ପ୍ରସଙ୍ଗରେ ଗର୍ଜିଲେ ନିରଞ୍ଜନ

ନିର୍ବାଚନ ସରିଯିବା ପରେ ଚାଷୀଙ୍କ ପ୍ରତି କାହିଁକି ଏ ଶୋଷଣ?
ଏବେ ଲୋକଙ୍କୁ ପିଠା କ’ଣ ବାନ୍ତି କରି କାଢିବାକୁ କୁହାଯିବ?

ଭୁବନେଶ୍ୱର : ୨୦୧୯ ନିର୍ବାଚନକୁ ଆଖିରେ ରଖି ୨୦୧୮ ଶେଷ ଆଡ଼କୁ ଚାଷୀଙ୍କ ଦରଦି ହୋଇ ‘କାଳିଆ’ ଭଳି ଆର୍ଥିକ ସହାୟତା ରାଜ୍ୟ ସରକାର ଲାଗୁ କଲେ। ବଜେଟ୍‌ରେ ବ୍ୟୟ ବରାଦ ନଥାଇ ଅଧ୍ୟାଦେଶ ବଳରେ ଆକସ୍ମିକ ପାଣ୍ଠିରୁ ଅର୍ଥ କଢ଼ାଯାଇ ପ୍ରାୟ ୫୧ ଲକ୍ଷ ଚାଷୀଙ୍କୁ ବଣ୍ଟନ କରାଗଲା। ଏବେ କରୋନା ସମୟରେ ରୋଜଗାର ନଥିବାରୁ ଚାରିଆଡ଼େ ହାହାକାର ପଡ଼ିଥିବାବେଳେ ସରକାର ଅଯୋଗ୍ୟ ହିତାଧିକାରୀଙ୍କଠାରୁ କାଳିଆ ଟଙ୍କା ଫେରସ୍ତ କରିବାକୁ ପରଵାନା ଜାରି କରିଛନ୍ତି। ଗଣତନ୍ତ୍ରରେ ଏହା କୋଉ ଲୋକ କଲ୍ୟାଣକାରୀ ସରକାରଙ୍କ କର୍ତ୍ତବ୍ୟ? କାଳିଆ ଟଙ୍କା ଫେରସ୍ତ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଏପରି କଡ଼ା ଭାଷାରେ ନିନ୍ଦା କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ ସମାଲୋଚନା କରି କହିଛନ୍ତି ନିର୍ବାଚନ ଥିବାରୁ କାଳିଆ ଯୋଜନା ଆରମ୍ଭ କରାଗଲା। ଏହା କେବଳ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ ହେଉଥିବା ନେଇ ସେତେବେଳେ କଂଗ୍ରେସ ସ୍ବର ଉଠାଇଥିଲା। ପ୍ରତି ଚାଷୀଙ୍କୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେବାକୁ ଘୋଷଣା ହୋଇଥିଲା। ସରକାରୀ ଅଧିକାରୀ ଓ ବିଜେଡି ନେତାଙ୍କ ମଧୁଚନ୍ଦ୍ରିକା ଯୋଗୁ ବହୁ ଯୋଗ୍ୟ ହିତାଧିକାରୀ ଏହି ଯୋଜନାର ସୁଫଳ ପାଇଲେନି। ଏହି ଯୋଜନାରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଥିବା ନେଇ ଅତୀତରେ ବହୁ ପ୍ରମାଣ କଂଗ୍ରେସ ଦେଇଛି। ଫଳରେ ସରକାର ବାଧ୍ୟ ହୋଇ ପୁଣି ଥରେ ହିତାଧିକାରୀ ତାଲିକା ଯାଞ୍ଚ କଲେ। ଯାଞ୍ଚ ପରେ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ବ ଅଯୋଗ୍ୟ ହିତାଧିକାରୀ ଥିବା ସରକାର ହିସାବ କରିଛନ୍ତି। ସେମାନଙ୍କଠାରୁ ଅର୍ଥ ଫେରସ୍ତ ବାବଦରେ ୧୨୦ କୋଟି ଟଙ୍କାରୁ ଅଧିକ ଆଦାୟ ହେବ ବୋଲି ସରକାର ମଧ୍ୟ ହିସାବ ଲଗାଇଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି, ଯେଉଁ ଅଯୋଗ୍ୟ ହିତାଧିକାରୀମାନେ ଟଙ୍କା ନେଲେ ସେମାନେ ଯେତିକି ଦାୟୀ ନୁହଁନ୍ତି ତାଠାରୁ ଅଧିକ ସରକାରୀ ବାବୁମାନେ ଦାୟୀ। ଏଥିପାଇଁ କାଳିଆ ହିତାଧିକାରୀ ତାଲିକାରେ ଅଯୋଗ୍ୟ ବ୍ୟକ୍ତିଙ୍କୁ ସାମିଲ କରିଥିବା ଅଧିକାରୀମାନଙ୍କୁ କାହିଁକି ଦାୟୀ କରାଯିବନି। ଏବେ ଯେତେବେଳେ ଅର୍ଥ ଫେରସ୍ତ କରିବା କଥା ଉଠୁଛି ସେହି ଅର୍ଥ ସମ୍ପୃକ୍ତ ସରକାରୀ ବାବୁମାନଙ୍କ ପାଖରୁ କାହିଁକି ଆଦାୟ କରାଯାଉନି ବୋଲି? ଏ ନେଇ ଏକ ଓଡ଼ିଆ ଢଗର ଉଦାହରଣ ଦେଇ ପିସିସି ସଭାପତି କହିଛନ୍ତି, ସରକାରଙ୍କ ଏପରି ନିଷ୍ପତ୍ତି ପ୍ରମାଣ କରୁଛି ‘ଆତଙ୍କ ପଡ଼ିଲେ ଯାଞ୍ଚନ୍ତି କୁକୁଡ଼ା, ଆତଙ୍କ ସରିଲେ ଦିଅନ୍ତି ନେଫେଡ଼ା’।

ସରକାରଙ୍କ ଆଉ ଗୋଟିଏ ଯୋଜନାର ଉଦାହରଣ ଦେଇ ପିସିସି ସଭାପତି କହିଛନ୍ତି, ସରକାର ନିର୍ବାଚନ ପୂର୍ବରୁ ଗ୍ରାମାଞ୍ଚଳ ଲୋକଙ୍କୁ ସଶକ୍ତ କରିବା ସହିତ ଭିତ୍ତିଭୂମି ନିର୍ମାଣ ପାଇଁ ପିଠା ଯୋଜନା ଆରମ୍ଭ କରିଥିଲେ। କହିଲେ, ଏହି ଯୋଜନା ମାଧ୍ୟମରେ ସରକାରୀ ବ୍ୟବସ୍ଥାରେ ସ୍ବଚ୍ଛତା ଆସିବା ସହ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିବ। ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଯିବ। ଏହି ସମୟରେ ପ୍ରଥମ କରି ପ୍ରଶାସନରେ ସ୍ବଚ୍ଛତା ଆଣିବା ପାଇଁ ଥ୍ରୀ-ଟି(ଟ୍ରାନ୍‌ସପ୍ୟାରେନ୍‌ସି, ଟେକ୍‌ନୋଲୋଜି ଓ ଟିମ୍‌ ଵାର୍କ)ର ପ୍ରଚଳନ ଆରମ୍ଭ ହେଲା। ପ୍ରତି ମାସରେ ଉତ୍ତମ କାର୍ଯ୍ୟ କରିଥିବା ପଞ୍ଚାୟତକୁ ୫ ଲକ୍ଷ ପୁରସ୍କାର ଦେବାକୁ ମଧ୍ୟ ଘୋଷଣା କରାଯାଇଥିଲା। ଏବେ ସେ ଯୋଜନା ଗଲା କୁଆଡ଼େ? ଏହି ଯୋଜନା ଅନ୍ତର୍ଗତ ଆମ ଗାଁ ଆମ ବିକାଶ, ଏଲଇଡି ବଲ୍‌ବ୍‌ ପ୍ରଦାନ, ସମାଜିକ ସୁରକ୍ଷା ବାବଦରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଅର୍ଥ ପ୍ରଦାନ କରାଯାଇଛି। ଏହି ଯୋଜନା କାର୍ଯ୍ୟକାରୀ କରିବାରେ ପାତର ଅନ୍ତର ହୋଇଥିବା ନେଇ ଅଭିଯୋଗ ଉଠିଥିଲା। ଏବେ ଲୋକଙ୍କୁ ବଣ୍ଟାଯାଇଥିବା ପିଠା ଆଦାୟ କରିବାର ସରକାରଙ୍କ ଯୋଜନା ଅଛି କି? ଲୋକେ କଣ ଏହାକୁ ବାନ୍ତି କରି କାଢ଼ିବେ ବୋଲି ପିସିସି ସଭାପତି କଟାକ୍ଷ କରିଛନ୍ତି।

ସେପଟେ ଶ୍ରୀ ପଟ୍ଟନାୟକଙ୍କ ଭଳି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ କାଳିଆକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ନିର୍ବାଚନ ଥିଲା ବୋଲି ଚାଷୀଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କରି ଭୋଟ ହାତେଇବାକୁ ପୁଞ୍ଜି ବିନିଯୋଗ କରିଥିଲେ। ଏବେ ପୁଣି ଥରେ କ୍ଷମତାକୁ ଆସିବା ପରେ ସେହି ଅର୍ଥକୁ ଫେରସ୍ତ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଯାହା ଅତ୍ୟନ୍ତ ନିନ୍ଦନୀୟ। ଖାଲି ସେତିକି ନୁହେଁ, କାଳିଆ ଟଙ୍କା ଫେରସ୍ତ ପାଇଁ ଅଯୋଗ୍ୟଙ୍କୁ ନୋଟିସ କରିବା ଦୁର୍ଭାଗ୍ୟଜନକ।

ସମ୍ବନ୍ଧିତ ଖବର