କଂଗ୍ରେସକୁ ମୋଦୀଙ୍କ ଆକ୍ଷେପ ନେଇ ନିରଞ୍ଜନଙ୍କ ପ୍ରତିକ୍ରିୟା, ‘କ୍ଷମତା ପାଇଁ ବିଜେପି ନୀଚ ରାଜନୀତି କରୁଛି’

ଭୁବନେଶ୍ବର : କଂଗ୍ରେସ ସର୍ବପୁରାତନ ଜାତୀୟ ସ୍ତରର ରାଜନୈତିକ ଦଳ। ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତୀୟ ସମ୍ବିଧାନର ପ୍ରଣେତା ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ଭଳି ବ୍ୟକ୍ତିତ୍ବଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଓ ପରିଚାଳିତ ହେଉଛି। ଦେଶବାସୀଙ୍କ ମଧ୍ୟରେ ଜାତି, ଧର୍ମ, ବର୍ଣ୍ଣ, ମଠ ମନ୍ଦିର, ମସ୍‌ଜିଦ୍‌, ଗୀର୍ଜାକୁ ନେଇ କଂଗ୍ରେସ କେବେହେଁ ବିଭାଜନର ମଂଜି ବୁଣିନାହିଁ। ବରଂ ଏହା ଦେଶକୁ ସ୍ବାଧୀନତା ଆଣିଦେବା ସହିତ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବାକୁ ପ୍ରଚେଷ୍ଟା ନିରନ୍ତର ଜାରି ରଖିଛି। ଏ କଥା ଦେଶବାସୀ ଜାଣନ୍ତି। ଭାରତୀୟ ଜନତା ପାର୍ଟି(ବିଜେପି)ର ନୀତି ଆଦର୍ଶ ମଧ୍ୟ ଦେଶବାସୀ ଜାଣନ୍ତି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଯେଉଁଭଳି ଆକ୍ଷେପ କରିଛନ୍ତି ତାହାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଖଣ୍ଡନ କରିଛନ୍ତି।

ଆଜି ଏ ନେଇ ‌ପିସିସି ସଭାପତି ଏକ ପ୍ରେସ୍‌ ବିବୃତିରେ କହିଛନ୍ତିି ଯେ ଚୌକି ଦଖଲ ପାଇଁ ବିଜେପି ସବୁକିଛି କରିପାରୁଛି। ଗୋଆ, ମଣିପୁର ଭଳି ରାଜ୍ୟର ଉଦାହରଣ ଦେଇ ସେ କହିଛନ୍ତି ଯେ ଏଥିରେ କିଏ‌ ଚୌକିରେ ବସିବାକୁ ହୀନ ରାଜନୀତି କରୁଛି ତାହା ଜନସାଧାରଣ ବିଚାର କରିବେ। କଂଗ୍ରେସ ଅହିଂସା ନୀତିରେ ବିଶ୍ବାସ କରେ। ଦେଶର ଏକତା, ଅଖଣ୍ଡତା, ସାର୍ବଭୌମତା ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ବିଜେପି ଜନସାଧାରଣଙ୍କ ମଧ୍ୟରେ ଜାତି, ଧର୍ମ, ବର୍ଣ୍ଣକୁ ନେଇ ବିଷ ମଂଜି ବୁଣିବାରେ ଲାଗିଛି। ଏହା ଚୌକି ଦଖଲ ପାଇଁ ବାରମ୍ବାର ନିଜର ନୀତି ବଦଳାଇବାରେ ଲାଗିଛି। ଏଭଳି ଏକ ରାଜନୈତିକ ଦଳ କଂଗ୍ରେସର ନୀତି ଆଦର୍ଶ ପ୍ରତି ଅଙ୍ଗୁଳି ନିର୍ଦେଶ କରିବା ହାସ୍ୟାସ୍ପଦ ବୋଲି ନିରଞ୍ଜନ କହିଛନ୍ତି। କଂଗ୍ରେସ ନେତୃତ୍ବରେ ଦେଶର ସାର୍ବଭୌମତ୍ବ ବଜାୟ ରହିନଥିଲେ ଆଜି ମୋଦୀ କେଉଁଠି ଥାନ୍ତେ ବୋଲି ସେ ପ୍ରଶ୍ନ କରିଛନ୍ତି। ମୋଦୀ କେବଳ ମିଛ କଥା କହି ଲୋକଙ୍କୁ ଭୂଆଁ ବୁଲାଇ ଚାଲିଛନ୍ତି। ଦେଶରେ ଏକଛତ୍ର ଶାସନ କରିବା ପ୍ରୟାସ କରୁଛନ୍ତି ବୋଲି ପିସିସି ସଭାପତି ଅଭିଯୋଗ କରିଛନ୍ତିି।

ସମ୍ବନ୍ଧିତ ଖବର