ରାଜ୍ୟରେ ପରିବର୍ତନର ସୁଯୋଗ ଆସିଛି: ନିରଞ୍ଜନ

ଭିଡିଓ ବାର୍ତାରେ ରାଜ୍ୟ ଓ କେନ୍ଦ୍ରକୁ ଟାର୍ଗେଟ୍‌

ଭୁବନେଶ୍ବର : ଆସନ୍ତା ୧୬ତାରିଖରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ଏହି ଉପଲକ୍ଷେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭିଡିଓ ବାର୍ତାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାଗ‌େର୍ଟ୍‌ କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତ ୨୨ବର୍ଷ ଧରି ଓଡ଼ିଶାରେ ଦୁର୍ନୀତି, ଭ୍ରଷ୍ଟାଚାର, ମିଥ୍ୟା ପ୍ରତିଶ୍ରୁତି ଓ ପ୍ରଚାରରେ ସରକାର ଚାଲିଛି। ଲୋକଙ୍କୁ ସବୁବେଳେ ଲୋଭ ଦେଖାଇ ଗଣତନ୍ତ୍ରକୁ ବ୍ୟବସାୟୀକରଣ କରାଯାଇଛି। ଏଭଳି ପରିସ୍ଥିତିରେ ରାଜ୍ୟର ବିକାଶ ସମ୍ଭବ ନୁହେଁ। ପିଲାଙ୍କ ପାଇଁ ଚାକିରି ନାହିଁ, ମହିଳମାନେ ନିର୍ଯାତିତ। ଚାଷୀଙ୍କ କଥା କହିଲେ ନ ସରେ। ନିକଟରେ ବଜେଟ୍ ପାରିତ ହୋଇଥିବା ବେଳେ ଚାଷ ଉପରେ ନିର୍ଭରଶୀଳ ଚ‌ାଷୀଙ୍କ ପାଇଁ ବଜେଟ୍‌ରେ କିଛିନାହିଁ। କେତେକ ମୁଷ୍ଟିମେୟ ପୁଞ୍ଜିପତିଙ୍କ ସଂପତ୍ତି ବଢ଼ିବାରେ ଲାଗିଛି। ଗରିବ, ମଧ୍ୟବିତ୍ତଙ୍କ ରୋଜଗାର କମିବାରେ ଲାଗିଛି। କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ଲୋକ ଦେଖାଣିଆ ଭାବେ ଅଲଗା ବୋଲି କହୁଛନ୍ତି। ମାତ୍ର ଭିତିରିଆ ଏକ ହୋଇ ଦେଶର ପୁଞ୍ଜିପତିଙ୍କୁ ସହଯୋଗ କରୁଛନ୍ତି। ତେଣୁ ରାଜ୍ୟରେ ପରିବର୍ତନର ଏକ ସୁଯୋଗ ଆସିଛି। ଆସନ୍ତା ୧୬ତାରିଖରୁ ‌ଭୋଟ୍ ପ୍ରକ୍ରିୟାରେ ଅଂଶଗ୍ରହଣ କରି ଦେଶ ଓ ରାଜ୍ୟରେ କିଭଳି ଶାସନ ଚାଲିଛି ତାହା ସଂପର୍କରେ ବିଚାର କରିବାକୁ ଶ୍ରୀ ନଟ୍ଟନାୟକ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର