ବାତ୍ୟା ପ୍ରତିଶ୍ରୁତି ରଖିପାରିଲେନି ସରକାର: ନିରଞ୍ଜନ

ଭୁବନେଶ୍ବର : ବାତ୍ୟା ଫନି ପରବର୍ତୀ ବିପର୍ଯ୍ୟୟକୁ ମୁକାବିଲା କରିବା କ୍ଷେତ୍ରରେ ରାଜ୍ୟ ସରକାର ବିଫଳ। ବାତ୍ୟା ପ୍ରଭାବିତମାନଙ୍କୁ ରିଲିଫ, ପାଣି, ବିଜୁଳି ଆଦି ଦେବେ ବୋଲି ରାଜ୍ୟ ସରକାର ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ସେସବୁ ପାଳନ କରିପାରି ନାହାନ୍ତିି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରି କହିଛନ୍ତିି।

ବାତ୍ୟା ପ୍ରଭାବିତ ପୁରୀ, ବ୍ରହ୍ମଗିରି, ସାତପଡ଼ା, କୋଣାର୍କ ଆଦି ଅଞ୍ଚଳ ଗସ୍ତ କରି ଫେରିବା ପରେ ଆଜି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ବାତ୍ୟା ପ୍ରପୀଡ଼ିତ ଲୋକମାନେ ନାହିଁ ନଥିବା ଦୁର୍ଦଶାରେ ଥିବା କହିଥିଲେ। ୧୫ ଦିନ ପର୍ଯ୍ୟନ୍ତ ମାଗଣାରେ ରନ୍ଧାଖାଦ୍ୟ ଦେବେ ବୋଲି ରାଜ୍ୟ ସରକାର କହିଥିଲେ। କିନ୍ତୁ ଦିନେ କି ଦୁଇଦିନ ଦେଇ ବନ୍ଦ କରିଦେଲେ। ଯେଉଁମାନଙ୍କର ଘରର ଛାତ ଉଡ଼ିଯାଇଛି, ସେମାନଙ୍କ ଦୁଃଖ ଦୁର୍ଦଶାର ସୀମା ନାହିଁ। ପିଇବାକୁ ପାଣି ନାହିଁ କି ଖାଇବା ପାଇଁ କିଛି ମିଳୁନାହିଁ। ବାତ୍ୟା ବଡ଼ ବିପଦ ସୃଷ୍ଟି କରିବ ବୋଲି ସାମ୍ବାଦିକମାନେ ଯେଉଁଭଳି ବ୍ୟାପକ ଭାବେ ସଚେତନତା ସୃଷ୍ଟିକଲେ। ଏହା ଫଳରେ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଗଲା। ସେ ଯାହାହେଉ ଏହା ସ୍ବାଗତଯୋଗ୍ୟ। କିନ୍ତୁ ବାତ୍ୟା ପରବର୍ତୀ ସ୍ଥିତି ପରଖିବାକୁ କେହି ନାହାନ୍ତି ବୋଲି ସେ କହିଥିଲେ।

ବରିଷ୍ଠ କଂଗ୍ରେସ ନେତା ଡ. ରାମଚନ୍ଦ୍ର ଖୁଣ୍ଟିଆ କହିଲେ ଯେ ରାଜ୍ୟର ଅନେକ ଲୋକ କାମଦାମ ନ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତିି। କିନ୍ତୁ ଅନ୍ୟ ରାଜ୍ୟର ହଜାର ହଜାର ଲୋକ ବିଜୁଳି ସେବା ସଜାଡ଼ିବାକୁ ଆମ ରାଜ୍ୟକୁ ଆସୁଛନ୍ତି। ଏହା ଦୁର୍ଭାଗ୍ୟଜନକ। ଗତ ୧୯ ବର୍ଷ ଭିତରେ ରାଜ୍ୟ ସରକାର ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ କିଛି ପଦକ୍ଷେପ ନେଲେ ନାହିଁ। ସମୁଦ୍ର କୂଳରେ ହେନ୍ତାଳ ବଣ ହେଉ ବା ସମୁଦ୍ର ତଟବର୍ତୀ ଲୁଣାବନ୍ଧ ନିର୍ମାଣ ଦିଗରେ କିଛି କରିନାହାନ୍ତି। ମୋଦୀ ସରକାର ପ୍ରାୟ ୧୩ ଶହ ‌େକାଟିର ସହାୟତା ଦେଇଛନ୍ତି। କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଟେଲିଫୋନ ଅଚଳ ହେବା ଘଟଣାରୁ ସରକାରଙ୍କ ବାତ୍ୟା ପ୍ରସ୍ତୁତି କିଭଳି ତାହା ସ୍ପଷ୍ଟ। ବାତ୍ୟା ଫନି ଯୋଗୁଁ ଲକ୍ଷ ଲକ୍ଷ ଚାଳଘର ଉଡ଼ିଗଲା। ତେବେ ସରକାର ଗରିବ ଲୋକଙ୍କ ପାଇଁ କେତେ ବିଜୁ ପକ୍କାଘର, ଇନ୍ଦିରା ଆବାସ କରିଛନ୍ତି ବୋଲି ଶ୍ରୀ ଖୁଣ୍ଟିଆ ପ୍ରଶ୍ନ କରିଥିଲେ। ପୁରୀ ମୁଖ୍ୟ ଡାକ୍ତରଖାନାର ଆଇସିୟୁ, ଶିଶୁ ବିଭାଗ ଆଦି ଭାଙ୍ଗିଯିବା ନେଇ ପିସିସି ଗଣମାଧ୍ୟମ ବିଭାଗ ମୁଖ୍ୟ ସତ୍ୟ ପ୍ରକାଶ ନାୟକ କ୍ଷୋଭ ପ୍ରକାଶ କରିଥିଲେ। ସେଠାରୁ ଅନ୍ୟ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର ହୋଇଥିବା ରୋଗୀମାନଙ୍କ ଚିକିତ୍ସା ବାବଦରେ ଖର୍ଚ ସରକାର ବହନ କରିବାକୁ ସେ ଦାବି କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପ ସଭାପତି ଶିବାନନ୍ଦ ରାୟ, ବିସ୍ମୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର