ଟିକେଟ୍‌ ମିଳିଲେ ଘଷିପୁରାରୁ ଲଢ଼ିବି: ନିରଞ୍ଜନ

ଭଣ୍ଡାରିପୋଖରୀରୁ ବି ପ୍ରାର୍ଥୀ ହେବେ

ଭୁବନେଶ୍ବର/କେନ୍ଦୁଝର : ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ତାଙ୍କର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ତଥା ଘଷିପୁରା ବିଧାୟକ ଓ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ବିଷୋଦ୍‌ଗାର କରିଥିଲେ। ତାଙ୍କୁ କଟାକ୍ଷ କରି କହିଥିଲେ, ନିରଞ୍ଜନଙ୍କୁ କେନ୍ଦୁଝର ଲୋକେ ଜାଣନ୍ତନି। ପଚାରିଥିଲେ, ସେ ଜିଲ୍ଲା ପାଇଁ କ’ଣ କରିଛନ୍ତି। ୨୦୧୪ ନିର୍ବାଚନରେ ମୁଁ ଘଷିପୁରା ଆସନରୁ ୮୮ ହଜାର ଭୋଟ୍‌ ବ୍ୟବଧାନରେ ଜିତିଥିଲି। ଯଦି ତାଙ୍କର ଦମ୍‌ ଅଛି, ସେ ଘଷିପୁରା ଆସନରୁ ମୋ ବିରୁଦ୍ଧରେ ଲଢ଼ନ୍ତୁ। ଦିନକ ତଳେ ଏ ନେଇ ସେ ଗଣମାଧ୍ୟମରେ ନିରଞ୍ଜନଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଥିଲେ।

ସେ ଚ୍ୟାଲେଞ୍ଜର ପ୍ରତିକ୍ରିୟାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ବଦ୍ରି ପାତ୍ରଙ୍କ ଭଳି ହଣାକଟା, ମାରପିଟ୍‌ କରିବାର ଦମ୍‌ ମୋର ନାହିଁ। କିନ୍ତୁ ନିର୍ବାଚନ ଲଢ଼ିବାର ଦମ୍‌ ଅଛି। ମୋ ଦମ୍‌ ଦେଖାଇବା ପାଇଁ ଏଆଇସିସିକୁ ଅନୁରୋଧ କରିଛି। ଯଦି ଏଆଇସିିସିରୁ ଟିକେଟ୍‌ ମିଳେ, ଘଷିପୁରାରୁ ଲଢ଼ିବାକୁ ମୁଁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ତେବେ ୨୦୦୯ ପରଠାରୁ ଘଷିପୁରାରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସେ କହିଥିଲେ। କିନ୍ତୁ ଦଳ ଓ ନିର୍ବାଚନମଣ୍ଡଳୀ ଲୋକେ ଚାହିଁଲେ, ସେଠାରୁ ଲଢ଼ିବେ ବୋଲି ସେ କହିଛନ୍ତି। ତେବେ ସେ (ନିରଞ୍ଜନ) ଘଷିିପୁରା ଓ ଭଣ୍ଡାରିପୋଖରୀରୁ ପ୍ରାର୍ଥୀ ହେବେ ବୋଲି କେନ୍ଦୁଝର ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ନିରଞ୍ଜନ କହିଛନ୍ତି, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ସେଠାକାର ଲୋକେ ଚାହୁଁଛନ୍ତି। ସେମାନଙ୍କର ଆଶା ଭରସାକୁ ଏଡ଼ାଇବା ସମ୍ଭବ ନୁହେଁ। ତେବେ ୨ଟି ଆସନରୁ ଲଢ଼ିବା କ୍ଷେତ୍ରରେ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ସୁଯୋଗ ମିଳିଲେ, ୨ଟି ଆସନରୁ ଲଢ଼ିବାକୁ ସେ ପ୍ରସ୍ତୁତ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ କେନ୍ଦୁଝର ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ପାଟଣା ପାଇଁ ଗୋପେଶ୍ୱର ନାଏକ, ତେଲକୋଇ ପାଇଁ ମୋହନ ହେମ୍ବ୍ରମ, କେନ୍ଦୁଝର ସଦର ପାଇଁ ବିଦ୍ୟାଧର ଦେହୁରୀ, ଚମ୍ପୁଆ ପାଇଁ ଯଦୁମଣି ବାରିକ, ଆନନ୍ଦପୁର ନିର୍ବାଚନମଣ୍ଡଳୀ ପାଇଁ ଜୟଦେବ ଜେନା ଓ କେନ୍ଦୁଝର ଲୋକସଭା କ୍ଷେତ୍ର ପାଇଁ ଡାକ୍ତର ଫକୀର ମୋହନ ନାଏକଙ୍କ ନାମ ଘୋଷଣା କରାଯାଇଛି। କେବଳ ଘସିପୁରା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଘୋଷଣା ଏଯାଏ ହୋଇନି।

କେନ୍ଦୁଝର ରାଜନୀତିରେ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଓ ବିଜେଡି ନେତା ବଦ୍ରି ପାତ୍ରଙ୍କ ମଧ୍ୟରେ ରହିଥିବା ବିବାଦ ପୁରୁଣା ଓ ଜଣାଶୁଣା। ନିକଟରେ ଆନନ୍ଦପୁର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କ ହତ୍ୟା ପରେ ଏହି ବିବାଦ ଆହୁରି ତେଜି ଉଠିଛି। ଏହି ହତ୍ୟାକାଣ୍ଡରେ ବଦ୍ରି ପାତ୍ରଙ୍କ ସଂପୃକ୍ତି ନେଇ ଅଭିଯୋଗ ହେବା ପରେ ସେ ନିରଞ୍ଜନଙ୍କୁ କଟାକ୍ଷ କରିଥିଲେ। ଏହି ପରିପ୍ରେକ୍ଷୀରେ ଘଷିପୁରାରୁ ପ୍ରାର୍ଥୀ ଭାବେ ଛିଡ଼ା ହେବାକୁ ନିରଞ୍ଜନଙ୍କୁ ବଦ୍ରି ଚ୍ୟାଲେଞ୍ଜ ଦେଇଥିଲେ। ଯଦି ଏହି ଆସନରୁ ନିରଞ୍ଜନ ପ୍ରାର୍ଥୀ ହୁଅନ୍ତି, ତେବେ ଉଭୟ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ବଡ଼ ଧରଣର ଲଢ଼େଇ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର