ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ : ଦୀର୍ଘ ଓ ସ୍ବଳ୍ପ ମିଆଦୀ କାର୍ଯ୍ୟପନ୍ଥା ସ୍ଥିର କରନ୍ତୁ ସରକାର

ଭୁବନେଶ୍ବର : ବାହାର ରାଜ୍ୟରେ ଥିବା ଓଡ଼ିଆ ଶ୍ରମିକ ରାଜ୍ୟକୁ ଫେରିବାକୁ ବ୍ୟାକୁଳ ହେଲେଣି। ସରକାରଙ୍କ ଆକଳନ ଅପେକ୍ଷା ବାହାର ରାଜ୍ୟରେ ବହୁ ଅଧିକ ଶ୍ରମିକ ଫସି ରହିଛନ୍ତି। ଯଦି ତାଲାବନ୍ଦ ଅବଧି ମେ ୩ ତାରିଖରୁ ଅଧିକ ଦିନ ବୃଦ୍ଧି ନ ହୁଏ, ତାହେଲେ ତାଲାବନ୍ଦ ପ୍ରତ୍ୟାହାର ପରେ ରାଜ୍ୟକୁ ପ୍ରବାସୀ ଶ୍ରମିକଙ୍କ ସୁଅ ଛୁଟିବ। ଏମାନଙ୍କ ଜୀବନ ଜୀବିକା ପାଇଁ ସରକାର ଏବେଠାରୁ ଦୀର୍ଘ ମିଆଦୀ ଓ ସ୍ବଳ୍ପ ମିଆଦୀ କାର୍ଯ୍ୟପନ୍ଥା ସ୍ଥିର କରିବା ଦରକାର। ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ସମ୍ପର୍କରେ ଉଦବେଗ ପ୍ରକାଶ କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ଏପରି ଚିଠି ଲେଖିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ।

ଚିଠିରେ ଶ୍ରୀ ପଟ୍ଟନାୟକ ଦରତି, ଏହି ପରିସ୍ଥିତିର ମୁକାବିଲା ପାଇଁ ସରକାର ସମାଜର ପ୍ରତ୍ୟେକ ବର୍ଗର ପରାମର୍ଶ ଓ ସାହାଯ୍ୟ ନେବା ଆବଶ୍ୟକ। ଆମେ ସମସ୍ତ ସମ୍ମିଳିତ ଭାବେ ଏହି ସମସ୍ୟା ସହିତ ଲଢ଼ିବା ବେଳେ ସବୁ ରାଜନୈତିକ ଦଳ, ନାଗରିକ ସମାଜ, ତୃଣମୂଳ ସ୍ତରରେ କାର୍ଯ୍ୟରତ ବିଭିନ୍ନ ସଂଗଠନ, ବିଭିନ୍ନ ବର୍ଗର ବ୍ୟବସାୟୀ ଓ ସମାଜସେବା କ୍ଷେତ୍ରରେ ନିୟୋଜିତ ବିଭିନ୍ନ ସଂଗଠନମାନଙ୍କର ପରାମର୍ଶ ନେବା ଦରକାର।

ନିଜ ଭିଟାମାଟିକୁ ଫେରିବା ପରେ ଏହି ଶ୍ରମିକମାନଙ୍କୁ ନେଇ ରାଜ୍ୟରେ ଯେଭଳି ସମସ୍ୟା ଦେଖାଦେବ, ତାହାର ମୁକାବିଲା କରିବା ପାଇଁ ଏକ ଜାତୀୟ ଟାସ୍କ୍‌ ଫୋର୍ସ୍‌ ଗଠନ ନେଇ ଅନେକ ସଂଗଠନ ଦାବି କରୁଛନ୍ତି। କାରଣ ବିଭିନ୍ନ ରାଜ୍ୟରେ କାମ କରୁଥିବା ଏହି ଶ୍ରମିକମାନଙ୍କର ସମସ୍ୟା ଏକ ଆନ୍ତଃରାଜ୍ୟ ସମସ୍ୟା। ରାଜ୍ୟ-ରାଜ୍ୟ ମଧ୍ୟରେ ସମ୍ବଳର ପ୍ରତିବଦଳ ନ ହେଲେ, ଏହି ସମସ୍ୟାକୁ କୌଣସି ଗୋଟିଏ ରାଜ୍ୟ ମୁକାବିଲା କରିବା କଷ୍ଟକର ହେବ। ପ୍ରବାସୀ ଶ୍ରମିକମାନଙ୍କ ପଞ୍ଜୀକରଣ ପାଇଁ ପଞ୍ଚାୟତକୁ ସରକାର କ୍ଷମତା ପ୍ରଦାନ କରିଛନ୍ତି। ଏହା ସ୍ବାଗତଯୋଗ୍ୟ। ଏହାଦ୍ବାରା ସେସବୁ ଶ୍ରମିକମାନଙ୍କ ଏବର ସ୍ଥିତି ଓ ସମସ୍ୟା ସମ୍ପର୍କରେ ଆମକୁ ନିଶ୍ଟୟ ତଥ୍ୟ ମିଳିପାରିବ। ଏଥିସହିତ ସେମାନେ ଯଦି ନିଜ ଗାଁକୁ ଫେରି ଆସିବାକୁ ଚାହିଁବେ, ତାହେଲେ ସେମାନଙ୍କୁ ଥଇଥାନ କରିବା ନେଇ ଆକଳନ ମଧ୍ୟ କରାଯାଇପାରିବ।

ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ସ୍ବଳ୍ପମିଆଦୀ ଥଇଥାନ କାର୍ଯ୍ୟକ୍ରମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟଦିବସକୁ ୨୦୦ ଦିନକୁ ବୃଦ୍ଧି କରାଯାଉ। ଏଭଳି ପରିସ୍ଥିତିରେ ସେମାନଙ୍କ ପାଇଁ ଏହା ଯଥେଷ୍ଟ ସହାୟକ ହେବ। ଏହି ଶ୍ରମିକମାନେ ବିନା କାମ ଓ ବିନା ରୋଜଗାରରେ ମାସାଧିକ କାଳ ବସିଲେଣି। ଅତିକମ୍‌ରେ ଆଗାମୀ ମାସ ମଧ୍ୟ ସେମାନେ ଏହିପରି ବିନା ରୋଜଗାରରେ ରହିବେ। ସେମାନଙ୍କ ଭିତରୁ ଅଧିକାଂଶଙ୍କ ପାଖରେ ଆଦୌ ପଇସା ନାହିଁ। ଖାଦ୍ୟ ପାଇଁ ବହୁ କଷ୍ଟ ସ୍ବୀକାର କରୁଛନ୍ତି। ଏପରି ଦୟନୀୟ ସ୍ଥିତିରେ ଥିବା ପଞ୍ଜୀକୃତ ଶ୍ରମିକମାନଙ୍କ ଆକାଉଣ୍ଟକୁ ସରକାର ତୁରନ୍ତ ୫ ହଜାର ଟଙ୍କା ପଠାନ୍ତୁ। ଯଦି ସରକାରଙ୍କ ତଥ୍ୟ ଅନୁସାରେ ପ୍ରବାସୀ ଶ୍ରମିକମାନଙ୍କ ସଂଖ୍ୟା ୫ ଲକ୍ଷ ବୋଲି ଆକଳନ କରାଯାଇଛି, ତାହେଲେ ସେଥିପାଇଁ ରାଜକୋଷରୁ ୨୫୦ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ଏତିକି ଅର୍ଥ ରାଜ୍ୟ ସରକାର ମଧ୍ୟ ଦେଇପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଶ୍ରମିକମାନେ ଫେରିବା ପରେ ସେମାନଙ୍କୁ ସଙ୍ଗରୋଧରେ ରଖିବା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। କରୋନା ମହାମାରୀ କୌଣସି ଜାତି ବା ଶ୍ରେଣୀର ବାଛ ବିଚାର ରଖେନାହିଁ। ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ପ୍ରବାସୀ ଶ୍ରମିକମାନେ ଦୁର୍ବଳ ବର୍ଗର ହେବା ସହ ସେମାନଙ୍କ ଭିତରୁ ଅଧିକାଂଶ ଦଳିତ ଓ ଆଦିବାସୀ ଶ୍ରେଣୀର ଅଛନ୍ତି। ତେଣୁ ସଙ୍ଗରୋଧ କେନ୍ଦ୍ରରେ ସେମାନଙ୍କୁ ରଖିବାବେଳେ ଯେମିତି କୌଣସି ପ୍ରକାର ଜାତିଭେଦ ଓ ସାମାଜିକ ଭେଦଭାବର ଶିକାର ନ ହୁଅନ୍ତି, ସେଥିପ୍ରତି ସରକାର ଯତ୍ନଶୀଳ ହେବେ। ନିଜର ଜୀବନ ଜୀବିକା ପାଇଁ ସେମାନ ବହୁ କଷ୍ଟ ସ୍ବୀକାର କରି ନିଜ ଘର ଓ ପରିବାରଠାରୁ ଦୂରରେ ରହୁଛନ୍ତି। ବିପଦରେ ପଡ଼ି ଯେତେବେଳେ ସେମାନେ ଘରକୁ ଫେରୁଛନ୍ତି, ସେମାନଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର