ରାଜ୍ୟରେ ୩୮ଶହରୁ ଅଧିକ ଡାକ୍ତର ପଦବି ଖାଲି, କାଗଜ କଲମରେ ଚିକିତ୍ସା କରୁଛନ୍ତି ସରକାର: ନିରଞ୍ଜନ

ଭୁବନେଶ୍ୱର : ରାଜ୍ୟରେ ୩୮ଶହରୁ ଅଧିକ ଡାକ୍ତରୀ ପଦବି ଖାଲି ପଡ଼ିଛି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସିଏଚ୍‌ସି, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବା ସିଏଚ୍‌ସି, ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬୭୧୯ ଡାକ୍ତର ପଦବି ରହିଥିବା ବେଳେ ରାଜ୍ୟରେ ୨୮ଶହ ଡାକ୍ତର କାର୍ଯ୍ୟ କରୁଛନ୍ତି। ସ୍ୱାସ୍ଥ୍ୟସେବା ନାଁରେ ଏକାଧିକ ଯୋଜନା କରୁଥିବା ରାଜ୍ୟ ସରକାର କେବଳ କାଗଜ କଲମରେ ଚିକିତ୍ସା କରୁଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଏକ ପ୍ରେସ୍‌ ବିବୃତିରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟରେ ୧୬୦୯ ସ୍ୱାସ୍ଥ୍ୟ ଅଧିକାରୀ ଓ ୨୭୫ ଦନ୍ତ ଚିକିତ୍ସକ ପଦବି ଖାଲି ପଡ଼ିଥିବା ନେଇ ଭୁଲ ତଥ୍ୟ ପ୍ରଦାନ କରିଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସସି ଜରିଆରେ ପିଏଚ୍‌ସି, ସିଏଚ୍‌ସି, ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ନିଯୁକ୍ତି ପାଇଥଇବା ଡାକ୍ତରଙ୍କ ମଧ୍ୟରୁ ଅନେକ ସ୍ନାତକୋତ୍ତର କରିବାକୁ ଚାଲିଯାଇଛନ୍ତି ବା ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁପସ୍ଥିତ ରହୁଛନ୍ତି। ମାତ୍ର ସେମାନଙ୍କ ସଂଖ୍ୟାକୁ ହିସାବକୁ ନିଆଯାଉନାହିଁ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍‌ଓର ନିୟମ ଅନୁସାରେ ପ୍ରତି ୧ହଜାର ରୋଗୀ ପିଛା ଜଣେ ଡାକ୍ତର ରହିବା କଥା। ମାତ୍ର ଦେଶରେ ୧୧ହଜାର ୮୨ରୋଗୀଙ୍କ ପାଇଁ ଜଣେ ଡାକ୍ତର ରହିଥିବା ବେଳେ ରାଜ୍ୟରେ ଏହି ସ୍ଥିତି ଆହୁରି ସଂକଟଜନକ। ଡାକ୍ତର ଅଭାବରୁ ଗାଁ ଓ ଅର୍ଧ ସହରାଞ୍ଚଳରେ ରୋଗୀମାନେ ଚିକିତ୍ସା ପାଇପାରୁ ନାହାନ୍ତି। ସରକାର ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଖୋଲିବାରେ ଲାଗିଛନ୍ତି। ମାତ୍ର ସେଠାରେ ଶିକ୍ଷାଦାନ କରିବାକୁ ଆବଶ୍ୟକ ସଂଖ୍ୟାରେ ଅଧ୍ୟାପକ, ଟ୍ୟୁଟର, ପ୍ରଫେସର ଓ ଆସୋସିଏଟ ପ୍ରଫେସରଙ୍କ ଅଭାବ ରହିଛି। ସ୍ୱାସ୍ଥ୍ୟସେବା ନାଁରେ ଏକାଧିକ ଯୋଜନା ହେଉଛି, ମାତ୍ର ଡାକ୍ତର ପଦବି ପୂରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।

ଶ୍ରୀ ପଟ୍ଟନାୟକ ଆହୁରିମଧ୍ୟ କହିଛନ୍ତି ଯେ, ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରୁ ପ୍ରତ୍ୟେକ ଦିନ ୪ଶହରୁ ୫ଶହ ରୋଗୀ, ୨୨ଟି ଉପଖଣ୍ଡସ୍ତରୀୟ ହସ୍ପିଟାଲରେ ୩୫୦ରୁ ୪ଶହ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୨ଶହରୁ ୨୫୦ ରୋଗୀ, ପିଏଚ୍‌ସିକୁ ୩ଶହ ରୋଗୀ ବହିର୍ବିଭାଗକୁ ଆସୁଛନ୍ତି। ମାତ୍ର ଅନେକ ସ୍ଥାନରେ ଜଣେ ହେଲେ ଡାକ୍ତର ନାହାନ୍ତି। ସ୍ୱାସ୍ଥ୍ୟସେବା ନାଁରେ ବିପୁଳ ଅର୍ଥ ସରକାର ଖର୍ଚ କରୁଥିବା ସତ୍ୱେ ରୋଗୀମାନେ କାହିଁକି ଘରୋଇ ଡାକ୍ତରଖାନାକୁ ଯାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର