ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ନିରଞ୍ଜନ

ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଭକ୍ତଙ୍କ ଇସ୍ତଫା, ପରାଜୟର ଅନୁସନ୍ଧାନ ପାଇଁ ୨୧ଜଣିଆ କମିଟି

ଭୁବନେଶ୍ବର : ଚଳିତ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି। ଏଥିପାଇଁ ନିଜକୁ ଦାୟୀ କରି ପିସିସି ସଭାପତି ପଦରୁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ। ସେ ତାଙ୍କ ଇସ୍ତଫାପତ୍ରକୁ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଥିବା କହିଛନ୍ତି।

ସେହିପରି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବରିଷ୍ଠ ନେତା ଭକ୍ତଚରଣ ଦାସ ମଧ୍ୟ ଇସ୍ତଫା ଦେଇଛନ୍ତି।

ଆଜି ଗଣମାଧ୍ୟମକୁ ବିବୃତି ଦେଇ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିବା ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ। ତେବେ ସେ କଂଗ୍ରେସ ଦଳରେ ଅଛନ୍ତି ଏବଂ ରହିବେ। ଦଳକୁ ମଜବୁତ୍‌ କରିବା ଦିଗରେ ଉଦ୍ୟମ ଜାରି ରଖିବେ। ‘‘ନିର୍ବାଚନରେ ମୁଁ ହାରିଛି। ଦଳ ବି ହାରିଛି। ତେବେ ଦଳର ବିପର୍ଯ୍ୟୟ ପାଇଁ ମୁଁ ସଂପୂର୍ଣ୍ଣ ରୂପେ ଦାୟୀ। ଏହି ନିର୍ବାଚନରେ ଦୀର୍ଘ ୧୨ ମାସର କଠିନ ପରିଶ୍ରମ, ନିରବଚ୍ଛିନ୍ନ ଉଦ୍ୟମ ସତ୍ତ୍ବେ ପରିଣାମ ନୈରାଶ୍ୟଜନକ ହୋଇଛି। ଏଥର ନିର୍ବାଚନ‌େର କଂଗ୍ରେସ ୮୭ଟି ନୂଆ ମୁହଁ ଦେଇଥିଲା। ରାଜନୀତିର ଏବେ ବ୍ୟବସାୟୀକରଣ ହୋଇଗଲାଣି। ଓଡ଼ିଶାରେ ସବୁ ଥାଇ ସୁଦ୍ଧା ବିକାଶ ଆଖିଦୃଶିଆ ହୋଇନାହିଁ। ନବୀନ ବାବୁ ୨୦ ବର୍ଷ ଧରି କ୍ଷମତାରେ ଅଛନ୍ତି। ଆହୁରି ୫ ବର୍ଷ ରହିବେ।

ଦଳର ଭବିଷ୍ୟତ ସଂପର୍କରେ ଗଭୀର ବିଶ୍ବାସ ପ୍ରକାଶ କରି ସେ କହିଲେ, ଦଳରେ ଯେଉଁ ନୂଆ ମୁହଁ ଅଛନ୍ତି ସେମାନେ ଭବିଷ୍ୟତରେ ମହାଦ୍ରୁମ ହୋଇ ଦଳକୁ ମଜ୍‌ବୁତ୍‌ କରିବେ। କଂଗ୍ରେସର ନୀତିମାର୍ଗ ଦେଶ ପାଇଁ ଶ୍ରେଷ୍ଠ। ମୁଁ କଂଗ୍ରେସରେ ଥିଲି ଓ ଅଛି। ଆମ ଉପରେ ସାଧାରଣ ଲୋକଙ୍କ ବିଶ୍ବାସ ବୁଦ୍ଧି ପାଇଲାନି। ଏଣୁ ଦଳର ବିପର୍ଯ୍ୟୟ ଘଟିଲା। ଏହି ବିପର୍ଯ୍ୟୟ ପାଇଁ ମୁଁ ଦାୟୀ। ଏଥିପାଇଁ ଏଆଇସିସି ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ମୋ ଇସ୍ତଫାପତ୍ର ଗ୍ରହଣ କରିବାକୁ ଅନୁରୋଧ କରିଛି।’’

କଂଗ୍ରେସ ଦଳର ବିପର୍ଯ୍ୟୟ ପାଇଁ ଅନେକ କାରଣ ରହିଛି। ସେଥିମଧ୍ୟରୁ ଅନେକ ଆଭ୍ୟନ୍ତରୀଣ ବ୍ୟାପାର। ସେ କଥା ଦଳ ବାହାରେ କହିବା ଉଚିତ ନୁହେଁ। ତେବେ ସେହି କାରଣଗୁଡ଼ିକ ଖୋଜି ବାହାର କରିବା ପାଇଁ ସେ ୨୧ଜଣିଆ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରିଛନ୍ତି। କମିଟିର ଅଧ୍ୟକ୍ଷ ବରିଷ୍ଠ ନେତା ନରସିଂହ ମିଶ୍ର ଥିବା ବେଳେ ଚିରଞ୍ଜୀବ ବିଶ୍ବାଳ, ପ୍ରଦୀପ ମାଝୀ, ତାରାପ୍ରସାଦ ବାହିନୀପତି, ଗଣେଶ୍ବର ବେହେରା, ମହମ୍ମଦ ମୋକିମ୍‌, ଜର୍ଜ ତିର୍କୀ, ସନ୍ତୋଷ ସିଂ ସାଲୁଜା, ଯଜ୍ଞେଶ୍ବର ବାବୁ, ସୁରେଶ ରାଉତରାୟ, ନଳିନୀ ମହାନ୍ତି, ସତ୍ୟଶିବ ଦାସ, ରମେଶ ଜେନା, ଭୁଜବଳ ମାଝୀ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସତ୍ୟପ୍ରକାଶ ନାୟକ, ଜ୍ଞାନଦେବ ବେହୁରିଆ, ବଟକୃଷ୍ଣ ତ୍ରିପାଠୀ, ଶିବାନନ୍ଦ ରାୟ, ସସ୍ମିତା ବେହେରା, ବନ୍ଦିତା ପରିଡ଼ା ସଦସ୍ୟ ରହିଛନ୍ତି। ଆଗାମୀ ଏକ ମାସ ମଧ୍ୟରେ ଦଳର ପରାଜୟର କାରଣ ଖୋଜି ପିସିସି ଓ ଏଆଇସିସିକୁ ପ୍ରଦାନ କରିବାକୁ ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କ ସମେତ ସମସ୍ତ ସଦସ୍ୟଙ୍କୁ ସେ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ପିସିସି ସଭାପତିଙ୍କ ଇସ୍ତଫା ପରେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଭକ୍ତଚରଣ ଦାସ। ସେ ନିଜର ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ ହାରିଥିବା ନେତା ବାଟ ଛାଡ଼ିଲେ, ନୂଆ ପିଢ଼ି ଆସିବେ। ଚଳିତ ନିର୍ବାଚନରେ ଭକ୍ତଚରଣ ଦାସ କଳାହାଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ସେ ୩ ଲକ୍ଷ ୧୯ ହଜାର ୨୦୨ଟି ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତିି।

ସମ୍ବନ୍ଧିତ ଖବର