ଉପନିର୍ବାଚନ ପୂର୍ବରୁ ଗର୍ଜିଲେ ନିରଞ୍ଜନ : ବିଜେଡି-ବିଜେପି ମଧ୍ୟରେ ସଂପର୍କ କ’ଣ ଜଣାଅ?

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କଲେ, ଉପନିର୍ବାଚନ ପୂର୍ବରୁ ଉତ୍ତର ମାଗିଲେ

ଭୁବନେଶ୍ୱର : ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ନବୀନଙ୍କ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏକ ଭିଡିଓ ବାର୍ତ୍ତା ଜାରି କରି ଶ୍ରୀ ପଟ୍ଟନାୟକ ବିଜେଡି-ବିଜେପି ମଧ୍ୟରେ କିଭଳି ଅଘୋଷିତ ମେଣ୍ଟ ହୋଇଛି, ତାର ପର୍ଦ୍ଦାଫାସ୍‌ କରିବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିବା ସହିତ ଉପନିର୍ବାଚନ ପୂର୍ବରୁ ଏହାର ଉତ୍ତର ମିଳିବା ଦରକାର ବୋଲି ଆଶା ପ୍ରକଟ କରିଛନ୍ତି।

ଶ୍ରୀ ପଟ୍ଟନାୟକ ପଚାରିଛନ୍ତି, ଆରଏସ୍‌ଏସ୍‌ ଓ ବିଜେପି ସହ ବିଜେଡିର ସମ୍ପର୍କ କଣ? ତାହା ଜନସାଧାରଣଙ୍କ ଆଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ଏବେ ଆମେ ଦେଖୁଛୁ ବିଜେପି ପକ୍ଷରୁ ଯେତେ ବିଲ ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାରେ ଆସୁଛି ସବୁ ବିଲ୍‌କୁ ବିଜେଡି ସମର୍ଥନ କରୁଛି। ସଂଖ୍ୟାଲଘୁଙ୍କ କ୍ଷତି କରିବା ପାଇଁ ଯେଉଁ ଏନଆର୍‌ସି ଓ ସିଏଏ ବିଲ ଆସିଲା ତାକୁ ବିଜେଡି ସମର୍ଥନ କଲା। ଗରିବଙ୍କୁ ଶୋଷଣ କରି ଶିଳ୍ପପତିଙ୍କୁ ସାହାଯ୍ୟ କରିବା ପାଇଁ ଚାଷୀମାନଙ୍କ ବିରୋଧରେ ଯେଉଁ ବିଲ୍‌ ଆସିଲା ତାକୁ ବି ବିଜେଡି ସମର୍ଥନ କଲା। କେବଳ ସେତିକି ନୁହେଁ, ଶ୍ରମିକ ମାନଙ୍କ ବିରୋଧରେ ଯେଉଁ ଆଇନ ତିଆରି ହେଲା ଯେ ୮ ଘଣ୍ଟାରୁ ୧୨ ଘଣ୍ଟା କାର୍ଯ୍ୟ କରିବା ପାଇଁ; ତାକୁ ବି ବିଜେଡି ସମର୍ଥନ କରିଛି। ଏସବୁ କାହିଁକି, ତାହା ରାଜ୍ୟବାସୀଙ୍କର ଜାଣିବା ଅଧିକାର ରହିଛି।

ନବୀନଙ୍କ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଦେଶରେ ବେକାରି ସମସ୍ୟା ବୃଦ୍ଧି ପାଉଛି। ଉଭୟ ପ୍ରଧାନମନ୍ତ୍ରୀ ଓ ଆପଣ (ମୁଖ୍ୟମନ୍ତ୍ରୀ)ଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ଏହି ସମସ୍ୟା ଦୂର ହେଲା ନାହିଁ। ଯାହା ଫଳରେ ଦୀର୍ଘ ୪୫ ବର୍ଷ ମଧ୍ୟରେ ସର୍ବାଧିକ ସ୍ତରରେ ବେକାରି ସମସ୍ୟା ପହଞ୍ଚିଲା। ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ମହିଳାମାନେ ସୁରକ୍ଷିତ ନାହାନ୍ତି। ଜିଏସ୍‌ଟି ବିଲ୍‌କୁ ବି ବିଜେଡି ସମର୍ଥନ କରିଛି, ଯଦିଓ ଓଡ଼ିଶା ରାଜ୍ୟ ଜିଏସଟି ବାବଦରେ ଯାହା ପାଇବା କଥା ତାକୁ ନ ଦେଇ କେନ୍ଦ୍ର ଋଣ କରିବାକୁ କହିଛି। ଏଥିରେ ବି ବିଜେଡି ସମ୍ମତି ଜଣାଇଛି। ଏ କ୍ଷେତ୍ରରେ ମଧ୍ୟ ବିଜେଡି କେନ୍ଦ୍ର ବିରୋଧରେ ପାଟି ଫିଟାଇଲା ନାହିଁ କାହିଁକି, ତାହା ରାଜ୍ୟବାସୀଙ୍କ ଆଗରେ ମୁଖ୍ୟମନ୍ତ୍ରାୀ ପ୍ରକାଶ କରିବା ଦରକାର।

ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଆହୁରି ପଚାରିଛନ୍ତି ଯେ ସବୁ କଥାରେ ଆପଣ ବିଜେପିକୁ ସମର୍ଥନ ଦେଉଛନ୍ତି। ଯେଉଁ ସବୁ ଶିଳ୍ପ କାରଖାନା କଂଗ୍ରେସ ସମୟରେ ହୋଇଥିଲା ତାହା ବର୍ତ୍ତମାନ ସମୟରେ ବନ୍ଦ ହୋଇପଡିଛି। ବିଜେପି ସରକାରରେ ତୈଳଦରଠୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ହେଉଥିଲେ ମଧ୍ୟ ଆପଣ ପଦୁଟିଏ ପାଟି ନ ଫିଟାଇବା କାରଣ କଣ ଆପଣଙ୍କୁ ଭଲ ଭାବେ ଜଣା। ତାହା କହିବେ କି ବୋଲି ନିରଞ୍ଜନ ପଚାରିଛନ୍ତି। ସଂଖ୍ୟାଲଘୁଠାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ସବୁଥିରେ ଆପଣ ଓ ଆପଣଙ୍କ ଦଳ ବିଜେଡି ବିଜେପିକୁ ସମର୍ଥନ କରି ଆସୁଛି। ତେଣୁ ଆପଣଙ୍କ ବିଜେଡି ଓ ବିଜେପି ଭିତରେ ଫରକ କଣ ବୋଲି ପ୍ରଶ୍ନ ପଚାରିଛନ୍ତି ଶ୍ରୀ ପଟ୍ଟନାୟକ।

ନିରଞ୍ଜନ କହିଛନ୍ତି; ଆଜି ସେହିପରି କରୋନା ମହାମାରିରେ ସାରା ବିଶ୍ୱରେ ଭାରତ ଦ୍ବିତୀୟରେ ଆସି ପହଞ୍ଚିଥିବାବେଳେ ଓଡିଶା ରାଜ୍ୟ ଭାରତରେ ୮ମ ସ୍ଥାନରେ ପହଞ୍ଚିଲାଣି। ତାହା କେବଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ। ଓଡ଼ିଶାରେ ମାସ୍କ କିଣାରୁ ଆରମ୍ଭ କରି ଭେଣ୍ଟିଲେଟର କିଣା ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଛି। ତଳୁ ଉପର ଯାଏ ସମସ୍ତେ ଦୁର୍ନୀତିରେ ସମ୍ପୃକ୍ତ। ଏବେ ଟଙ୍କିକିଆ ଚାଉଳର ବାହାଦୁରି ନେଉଛନ୍ତି ଉଭୟ ବିଜେଡି ଓ ବିଜେପି; ଯାହାକି ପ୍ରକୃତରେ ୟୁପିଏ ସରକାରର ଅବଦାନ। କେଉଁ ପରିପ୍ରେକ୍ଷୀରେ ଆପଣ ଆଜି ସେହି ବିକାଶ କଥା କହୁଛନ୍ତି ଏବଂ ୨୧ ବର୍ଷ ଶାସନରେ ଆପଣ କଣ ବିକାଶ କାର୍ଯ୍ୟ କରିଛନ୍ତି ତାହା ଜନସାଧାରଣ ଜାଣିବା ଉଚିତ। ତେଣୁ ସେ ପୁରୁଣା ବାଜା ବଜେଇ ଅର୍ଥ ବଳରେ ବା ଶାସନ ବଳରେ ଯେଉଁ ଭୋଟ ପ୍ରଚାର କରୁଛନ୍ତି ତାହା କେବଳ ପ୍ରଚାର, ପ୍ରତିଶ୍ରୁତି ଓ ପ୍ରତାରଣା ପାଇଁ ବୋଲି ନିରଞ୍ଜନ ଅସନ୍ତୋଷ ଝାଡ଼ିଛନ୍ତି।

ଏଥିସହିତ ନିଜେ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ନ ଯାଇ ଘରେ ସୁରକ୍ଷିତ ରହିବା ବେଳେ ଶହ ଶହ ଲୋକଙ୍କୁ ଏକାଠି କରି ଭର୍ଚୁଆଲ ରାଲିରେ ବକ୍ତବ୍ୟ ଦେଇ ସେମାନଙ୍କୁ ବିପଦ ମୁଖକୁ ଠେଲି ଦେଉଛନ୍ତି କାହିଁକି ବୋଲି ଶ୍ରୀ ପଟ୍ଟନାୟକ କଟାକ୍ଷ କରିଛନ୍ତି ଏବଂ ପଚାରିଛନ୍ତି ଯେ ଜନସାଧାରଣଙ୍କ ଜୀବନ କଣ ମୂଲ୍ୟବାନ ନୁହେଁ କି? ରାଜ୍ୟସଭା ନିର୍ବାଚନରେ ସମ୍ପୂର୍ଣ ରୂପେ ଆତ୍ମସମର୍ପଣ କରି ଗୋଟିଏ ଆସନ ବିଜେପିକୁ ଦେବା ପଛରେ କଣ ସିବିଆଇକୁ ଡର ନିହିତ ଅଛି କି? ଏସବୁ ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଦେବା ଉଚିତ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର