ଆତଙ୍କବାଦୀଙ୍କ କାପୁରୁଷ କାର୍ଯ୍ୟକୁ ନିରଞ୍ଜନଙ୍କ ଦୃଢ଼ ନିନ୍ଦା

ଭୁବନେଶ୍ବର : ଜମ୍ମୁ ଓ କଶ୍ମୀରର ଫୁଲୱାମାଠାରେୁ ଗୁରୁବାର ହୋଇଥିବା ଭୟାବହ ଆତଙ୍କୀ ଆକ୍ରମଣକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଦୃଢ଼ ନିନ୍ଦା କରିଛନ୍ତି । ସହିଦ ଯବାନଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏଭଳି ଦୁଃଖ ସମୟରେ ଭଗବାନ ସହାୟ ହୁଅନ୍ତୁ। ଆତଙ୍କୀଙ୍କ ଏଭଳି କାପୁରଷ କାର୍ଯ୍ୟ ବିରୋଧରେ ସାରାଦେଶ ଏକ ହୋଇ ଛିଡ଼ା ହୋଇଛି ।

ଶ୍ରୀ ପଟ୍ଟନାୟକ କହିଛନ୍ତି, କୌଣସି ହିଂସାତ୍ମକ କାର୍ଯ୍ୟ ଦେଶର ମୂଳଦୁଆକୁ ଦୋହଲାଇ ଦେଇ ପାରିବ ନାହିଁ । ଆମେ ଭାରତୀୟମାନେ ନିରାପତ୍ତାବାହିନୀଙ୍କ ସହିତ ଦୃଢ଼ ଭାବରେ ଛିଡ଼ା ହୋଇଛୁ ଏବଂ ତାହା ଚିରଦିନ ଜାରି ରହିବ। ଏଥିରେ ସହିଦ୍‍ ହୋଇଥିବା ଓଡ଼ିଶାର ଦୁଇ ବୀର ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରାଙ୍କ ପ୍ରାଣବଳିକୁ ସାରାଦେଶ ସଲାମ ଜଣାଉଛି। ଗୁଇନ୍ଦା ବିଫଳତା କାରଣରୁ ଯେଉଁଭଳି ବଡ଼ ଧରଣ ଆତଙ୍କବାଦୀ ଆକ୍ରମଣ ହେଲା ଏବଂ ଆମର ବହୁ ବୀର ଯବାନ ସହିଦ ହେଲେ ତା’ର ଜବାବ କେନ୍ଦ୍ର ସରକାର ଦେବା ଆବଶ୍ୟକ।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ଘଟଣା ଶତକଡ଼ା ୧୭୬ ପ୍ରତିଶତ ବୃଦ୍ଧି ପାଇଛି । ଏହା ସରକାରଙ୍କ ଶୋଚନୀୟ ବିଫଳତା। ସରକାର ଆମ ଯବାନଙ୍କର କଠିନ ପରିଶ୍ରମ ଓ ଆତ୍ମବଳିଦାନକୁ ନିଜର ବ୍ୟକ୍ତିଗତ ସଫଳତା ବୋଲି କହି ବୁଲୁଛନ୍ତି। ସେମାନଙ୍କ ମୂଲ୍ୟବାନ ଜୀବନକୁ ନେଇ ରାଜନୀତି କରୁଛନ୍ତି ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର