ଭୁବନେଶ୍ୱର: ଚିଟ୍‌ ଫଣ୍ଡ୍‌ କଂପାନିରେ ୧୦ ହଜାର ଟଙ୍କାରୁ ଅଧିକ ଜମା କରି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ନାହିଁ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ସ୍ପଷ୍ଟ କରି ଦେଇଛନ୍ତି।

Advertisment

publive-image

ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ମାନ୍ୟବର ଜଷ୍ଟିସ୍‌ ମଦନ ମୋହନ ଦାସ ତଦନ୍ତ କମିଶନଙ୍କୁ ପ୍ରଦତ୍ତ ‘ଟର୍ମସ ଅଫ୍‌ ରେଫେରେନ୍ସ’ରେ ୧୦ ହଜାର ଟଙ୍କାରୁ ଅଧିକ ଜମା କରି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ କୌଣସି ବ୍ୟବସ୍ଥା ନାହିଁ।

ବିଧାୟକ ଶ୍ରୀ ପଟ୍ଟନାୟକ ପଚାରିଥିଲେ-‘‘୧୦ ହଜାର ଟଙ୍କାରୁ ଅଧିକ ଜମା କରି ଠକେଇର ଶିକାର ହୋଇଥିବା ସବୁ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ ପାଇଁ ଆଉ କେତେ ଦିନ ଲାଗିବ?’’

ଅର୍ଥମନ୍ତ୍ରୀ ବିଧାୟକ ଶ୍ରୀ ପଟ୍ଟନାୟକଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି-ମାନ୍ୟବର ତଦନ୍ତ କମିଶନରଙ୍କଠାରେ ଦାଖଲ ସତ୍ୟପାଠ ମଧ୍ୟରୁ କ୍ଷେତ୍ରୀୟ ତଦନ୍ତ ପରେ ଚିହ୍ନଟ ହେଉଥିବା ପ୍ରକୃତ କ୍ଷୁଦ୍ର ଜମାକାରୀ (ଯେଉଁମାନେ ୧୦ ହଜାର ଟଂକା ମଧ୍ୟରେ ଜମା କରି କ୍ଷତିଗ୍ରସ୍ତ ହୋଇଥିବେ) ସେମାନଙ୍କର ଜମା ରାଶି କ୍ଷତିପୂରଣ ଆକାରରେ ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ୩୦୦ କୋଟି ଟଂକାର କର୍ପସ ପାଣ୍ଠି ଗଠନ କରିଛନ୍ତି।

ପ୍ରକାଶ ଥାଉକି ,ରାଜ୍ୟ ସରକାର କ୍ଷୁଦ୍ର ଜମାକରୀଙ୍କୁ ଚିହ୍ନଟ କରିବା ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ମଦନ ମୋହନ ଦାସଙ୍କୁ ତଦନ୍ତ କମିଶନ ରୂପେ ନିଯୁକ୍ତ କରିଥିଲେ। ଇତି ମଧ୍ୟରେ ଜଷ୍ଟିସ ଦାସ ତଦନ୍ତ କମିଶନ ୬ କୋଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି।

publive-image

ତଦନ୍ତ କମିଶନ ୨୦୧୯ ଫେବୃୟାରୀ ୧୨ ତାରିଖ ସୁଦ୍ଧା ମୋଟ ୩ ଲକ୍ଷ ୬୧ ହଜାର ୮୭୧ ଜଣ କ୍ଷତିଗ୍ରସ୍ତ କ୍ଷୁଦ୍ର (୧୦ ହଜାର ଟଂକା ମଧ୍ୟରେ) ଜମାକରୀଙ୍କୁ ଚିହ୍ନଟ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧୭୧୪ ଜଣ ଏପର୍ଯ୍ୟନ୍ତ ସହାୟତା ପାଇଛନ୍ତି।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ମାନ୍ୟବର ତଦନ୍ତ କମିଶନଙ୍କ ସୁପାରିସ ମୁତାବକ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କମିଶନଙ୍କ ଠାରୁ ଚୂଡ଼ାନ୍ତ ରିପୋର୍ଟ ପ୍ରାପ୍ତି ପରେ ତଦନ୍ତ କମିଶନ ଆଇନ,୧୯୫୨ ର ଧାରା (୩)ର ଉପଧାରା (୪)ଅନୁଯାୟୀ ତଦନ୍ତ ରିପୋର୍ଟ ଏବଂ ଏହାର କାର୍ଯ୍ୟାନ୍ଵୟନ ବିବରଣୀ ବିଧାନସଭାରେ ଉପସ୍ଥାପନ କରାଯିବ।

ଚିଟ୍‌ ଫଣ୍ଡ୍‌ ତଦନ୍ତ କମିଶନଙ୍କ ୨୦୧୩ ମସିହାର ବିଜ୍ଞପ୍ତି ଅନୁଯାୟୀ ନିର୍ଦ୍ଧାରିତ ସୀମା ମଧ୍ୟରେ ସତ୍ୟପାଠ ଦାଖଲ କରି ନଥିବା କ୍ଷତିଗ୍ରସ୍ତଙ୍କୁ ପୁନର୍ବାର ସୁଯୋଗ ଦେବା ପାଇଁ କମିଶନ ସାନି ବିଜ୍ଞପ୍ତି ଜାରୀ କରି ୨୦୧୯ ଜାନୁଆରୀ ୩୧କୁ ଶେଷ ତାରିଖ ଧାର୍ଯ୍ୟ କରିଥିଲେ। ଏହି ଶେଷ ତାରିଖ ସୁଦ୍ଧା ପ୍ରାୟ ସାତ ଲକ୍ଷ ସତ୍ୟପାଠ କମିଶନଙ୍କ ନିକଟରେ ଦାଖଲ ହୋଇଛି। ଖୁବ୍‌ଶୀଘ୍ର ଏହି ସତ୍ୟପାଠଗୁଡ଼ିକର ଡିଜିଟାଇଜେସନ୍‌ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଡିଜିଟାଇଜେସନ୍‌ ପରେ ସେହି ସତ୍ୟପାଠଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରକାଶ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ମାନ୍ୟବର ତଦନ୍ତ କମିଶନ ଓ ବିଭିନ୍ନ ନ୍ୟାୟାଳୟରେ ଚାଲୁଥିବା ମାମଲାଗୁଡ଼ିକ ନ୍ୟାୟିକ ପ୍ରକ୍ରିୟା ଦ୍ୱାରା ଚୂଡ଼ାନ୍ତ ହେବା ପରେ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଚିହ୍ନଟ ସମ୍ଭବ ହେବ।

ତଦନ୍ତ ଚାଲୁ ରହିଥିବାରୁ ରାଜ୍ୟରେ ଜମାକାରୀଙ୍କୁ ଠକିଥିବା ବେଆଇନ୍‌ ଆର୍ଥିକ ପ୍ରତିଷ୍ଠାନଙ୍କ ସଂଖ୍ୟା ଓ ସେମାନେ ହଡପ କରିଥିବା ଟଂକାର ପରିମାଣ ବର୍ତ୍ତମାନ ପ୍ରକାଶ କରିବା ସମ୍ଭବ ନୁହେଁ ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ପୂଜାରୀ ବିଧାୟକ ଶ୍ରୀ ପଟ୍ଟନାୟକଙ୍କର ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି।

ତେବେ ,ରାଜ୍ୟ କ୍ରାଇମ୍‌ ବ୍ରାଞ୍ଚ୍‌  ପୋଲିସର ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ୨୬୮ଟି ବେଆଇନ୍‌ ଆର୍ଥିକ ପ୍ରତିଷ୍ଠାନ ବିରୁଦ୍ଧରେ ୬୭୫ଟି ମୋକଦ୍ଦମା ବିଭିନ୍ନ ଥାନାରେ ରୁଜୁ କରାଯାଇଛି। ସେଥିମଧ୍ୟରୁ ୧୩୫ଟି ମୋକଦ୍ଦମାରେ ତଦନ୍ତ ଶେଷ ହେବା ପରେ ଚାର୍ଜସିଟ୍‌ ଦାଖଲ କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଉପରୋକ୍ତ ୨୬୮ଟି ବେଆଇନ୍‌ ଆର୍ଥିକ ପ୍ରତିଷ୍ଠାନର ନାମ ତାଲିକା ସେ ଉପସ୍ଥାପନ କରିଥିଲେ।