ମିଥ୍ୟା ଜାତି ପ୍ରମାଣପତ୍ର ଦେବା ଘଟଣା : ମନ୍ତ୍ରୀ ନିରଞ୍ଜନଙ୍କ ବିରୋଧରେ ମାମଲା ପାଇଁ ଦାବି କଲା ବିଜେପି

ବିଧାୟକ ଭାବରେ ପ୍ରମାଣପତ୍ର ଦେବାରେ ଅସୁବିଧା ନାହିଁ: ମନ୍ତ୍ରୀ

ସୋନପୁର : ନେପାଳର ଜଣେ ମୂଳ ବାସିନ୍ଦାଙ୍କୁ ଅନୁସୂଚିତ ଜାତି ପ୍ରମାଣପତ୍ର ଦେବା ଘଟଣାରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି କରିଛି ବିଜେପି।

ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ କୁହାଯାଇଛି ଯେ, ନେପାଳର ତନହୁ ଜିଲ୍ଲା ଚୁଡିରଙ୍ଗା ଗ୍ରାମର ମୂଳ ବାସିନ୍ଦା ଗୋବର୍ଦ୍ଧନ କାର୍କୀଙ୍କୁ ବିଞ୍ଝାଲ ଜାତି ଦର୍ଶାଇ ୨୦୦୪ ମସିହାରେ ଶ୍ରୀ ପୂଜରୀ ବିନିକା ବିଧାୟକ ଥିବା ବେଳେ ତାଙ୍କୁ ଅନୁସୂଚିତ ଜାତି ପ୍ରମାଣପତ୍ର ଦେଇଥିଲେ। ଏହି ପ୍ରମାଣପତ୍ର ଆଧାରରେ ଗୋବର୍ଦ୍ଧନ ଡୁଙ୍ଗୁରିପାଲି ଆର୍‌ଏମ୍‌ସିରେ ୱାଚ୍‌ମେନ ଚାକିରି ପାଇଥିଲେ। ତେବେ ଏହି ଜାତି ପ୍ରମାଣପତ୍ର ମିଥ୍ୟା ପ୍ରମାଣିତ ହେବାପରେ ଏସ୍‌ଏଲ୍‌ଏସି (ରାଜ୍ୟସ୍ତରୀୟ ଜାତି ପ୍ରମାଣପତ୍ର ଯାଞ୍ଚ କମିଟି) ଉତ୍ତରାଞ୍ଚଳ, ସମ୍ବଲପୁରଙ୍କ ଆଦେଶ କ୍ରମେ ଗୋବର୍ଦ୍ଧନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଓ ସେ ଗିରଫ ହୋଇ ଜେଲ ଯିବା ସହିତ ଚାକିରି ହରାଇଥିଲେ। ଏହି ଜାଲ ଜାତିଗତ ପ୍ରମାଣକୁ ନେଇ ଏସଏଲସି ୧୭/୫/୨୦୧୪ରେ ଉଭୟ ମନ୍ତ୍ରୀ ଶ୍ରୀ ପୂଜାରୀ ଏବଂ ଗୋବର୍ଦ୍ଦନ କାର୍କୀଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ ପାଇଁ ଆଦେଶନାମା ଦେଇଥିଲେ। ଏ ସମ୍ପର୍କରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ମଧ୍ୟ ଜଣାଇଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀ ତା. ୨୪|୫ା୨୦୧୪ ରେ ତତ୍କାଳୀନ ଆର୍‌ଡିସି ପ୍ରମୋଦ ମେହେର୍ଦ୍ଦାଙ୍କୁ ପତ୍ର ଲେଖି ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ ବୋଲି କହିଥିଲେ। ଜିଲ୍ଲାପାଳଙ୍କ ନିେର୍ଦ୍ଦଶକ୍ରମେ ସୁବର୍ଣ୍ଣପୁର ଜିଲ୍ଲା ମଙ୍ଗଳ ଅଧିକାରୀ କେବଳ ଗୋବର୍ଦ୍ଧନଙ୍କ ବିରୋଧରେ ଥାନାରେ ମାମଲା ଦାଏର କରିଥିଲେ। ଗତ ୭/୩/୨୦୨୦ରେ ସମ୍ବଲପୁର ଆରଡିସି ନିରଞ୍ଜନ ସାହୁ ତାଙ୍କ ପତ୍ର ସଂଖ୍ୟା ୬୩୬ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଏବଂ ଏସପିଙ୍କୁ ୧୭/୫/୨୦୧୪ର ମୂଳ ଆଦେଶ ଯାହା ଥିଲା ତାହା କାଏମ୍ ରହିଲା ବୋଲି ଜଣାଇଛନ୍ତି। ଏହି ଆଦେଶକୁ ପାଳନ କରି ଜିଲ୍ଲାପାଳ ଓ ଏସ୍‌ପି ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିେର୍ଦ୍ଦଶ ଦେବା କଥା କିନ୍ତୁ ଆଜିକୁ ୧୨ ଦିନ ବିତି ଯାଇଥିଲେ ମଧ୍ୟ ଏହା ହୋଇ ପାରି ନାହିଁ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଏଣୁ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ବିରୋଧରେ ଶୀଘ୍ର ମାମଲା ରୁଜୁ କରିବା ପାଇଁ ବିଜେପି ଦାବି କରିଛି।ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର, ଜିଲ୍ଲା ସଂପାଦକ ରାମଶଙ୍କର ଭୋଇ, ଜଗତଜ୍ୟୋତି ତ୍ରିପାଠୀ, ସୁରେଶ ବିଶ୍ବାଳ ପ୍ରମୁଖ ସୂଚନା ଦେଇଥିଲେ।

ଏ ସଂପର୍କରେ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ପଚରାଯିବାରୁ ଏ ସଂପର୍କରେ ଆସନ୍ତାକାଲି ମତାମତ ଦେବେ ବୋଲି କହିଥିଲେ। ତେବେ ବିଧାୟକ ଭାବରେ ଜାତି ପ୍ରମାଣପତ୍ର ଦେବାରେ କିଛି ଅସୁବିଧା ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର