ଭାରତ କଂଗ୍ରେସମୁକ୍ତ ନୁହେଁ, ବିଜେପିମୁକ୍ତ ହେବ: ନିରଞ୍ଜନ

ଭୁବନେଶ୍ବର: ରାଜସ୍ଥାନ, ଛତିଶଗଡ଼, ମଧ୍ୟ ପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମ ରାଜ୍ୟଗୁଡ଼ିକରେ ଅନୁଷ୍ଠିତ ନିର୍ବାଚନର ଫଳାଫଳ ରାଜ୍ୟ କଂଗ୍ରେସକୁ ବେଶ୍‌ ଉତ୍ସାହିତ କରିଛି। ଏ ନେଇ ନିଜ ପ୍ରତିକ୍ରିୟାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ନିର୍ବାଚନର ଫଳାଫଳରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଏଣିକି ଭାରତ କଂଗ୍ରେସମୁକ୍ତ ନୁହେଁ, ବରଂ ବିଜେପିମୁକ୍ତ ଦେଶ ଗଠନ ହେବାକୁ ଯାଉଛି। ସାମ୍ବାଦିକମାନଙ୍କୁ ପିସିସି ସଭାପତି କହିଲେ, ଏହି ନିର୍ବାଚନରେ ବିପୁଳ ଅର୍ଥ ଖର୍ଚ କରି ମଧ୍ୟ ବିଜେପି ଦେଶକୁ କଂଗ୍ରେସମୁକ୍ତ କରିପାରିଲା ନାହିଁ। ଏଥିପାଇଁ ସେ ୫ଟି ଯାକ ରାଜ୍ୟର ଭୋଟରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେମାନେ ଗତ ଚାରି ବର୍ଷର ବିଜେପି ଶାସନକୁ ଭଲ ଭାବେ ଅନୁଭବ କରି ସେମାନଙ୍କର ରାୟ ଦେଇଛନ୍ତିି। ମୁଁ ବିଶେଷ କରି ଖୁସି ଯେ ଛତିଶଗଡ଼ରେ କଂଗ୍ରେସ ଜିତିଛି। ଛତିଶଗଡ଼ର ଲୋକେ ଯେପରି ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତିି, ଓଡ଼ିଶାବାସୀ  ବି ବିଜେଡି ବିରୁଦ୍ଧରେ ମତ ଦେବେ। ଛତିଶଗଡ଼ରେ କଂଗ୍ରେସ ଦଳ ସରକାର ଗଠନ କରିବା ପରେ ଆମେ ମହାନଦୀ ପ୍ରସଙ୍ଗରେ ସେଠାକାର ସରକାରଙ୍କ ସହିତ ଆଲୋଚନା କରିବୁ ବୋଲି ସେ କହିଥିଲେ।

ଲଡ଼ୁ ବଣ୍ଟା, ବାଜା ଓ ବାଣରେ କମ୍ପିଲା କଂଗ୍ରେସ ଭବନ

ଭୁବନେଶ୍ବର: ଆଜି ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ନ ଆସୁଣୁଁ, କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା। ଯୁବ, ଛାତ୍ର, ମହିଳା, ଜିଲ୍ଲା ଓ ପ୍ରଦେଶ କଂଗ୍ରେସ କମିଟିର କର୍ମକର୍ତା, କର୍ମୀମାନଙ୍କ କୋଳାହଳରେ ଫାଟି ପଡ଼ିଥିଲା କଂଗ୍ରେସ ଭବନ। ପରସ୍ପର ମଧ୍ୟରେ ବିପୁଳ ପରିମାଣର ଲଡ଼ୁ ବାଣ୍ଟି ଉତ୍ସବ ପାଳନ କରିଥିଲେ। ନିର୍ବାଚନ ଫଳାଫଳ ଧାରା କଂଗ୍ରେସ ସପକ୍ଷରେ ଯାଉଥିବା ଦେଖି ଦିନ ୧୦ଟାରୁ କଂଗ୍ରେସ ଭବନରେ କର୍ମୀ, କର୍ମକର୍ତାମାନଙ୍କ ସମାବେଶ ଆରମ୍ଭ ହୋଇଯାଇଥିଲା। ଦିନ ପ୍ରାୟ ସାଢ଼େ ୧୨ଟା ବେଳକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଭବନରେ ପହଞ୍ଚିଥିଲେ। ତାଙ୍କୁ ନେତା, କର୍ମୀ, କର୍ମକର୍ତାମାନେ ଘେରି ଯାଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ବରିଷ୍ଠ ନେତା ସୁର ରାଉତରାୟ ତାଙ୍କୁ ମିଠା ଖୁଆଇଥିଲେ। ସାମ୍ବାଦିକମାନେ କିଛି ପଚାରିବା ବେଳକୁ ଶ୍ରୀ ରାଉତରାୟ ଆଗୁଆ ଉତ୍ତର ଦେଇ ପକାଉଥିବା ଦେଖିବାକୁ ମିଳିଥିଲା। ସେ(ସୁରଭାଇ) କହିଲେ ଯେ ୨୦୧୯ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ୯୦ ଆସନରେ ଜିତିବ। ଏହା ବେଶ୍‌ ଉପଭୋଗ୍ୟ ହୋଇଥିଲା। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କଂଗ୍ରେସ କର୍ମୀମାନେ ବାଜା ବାଜିବା ସହିତ ବାଣ ଫୁଟାଇଥିଲେ। କନିଷ୍ଠ କର୍ମକର୍ତାମାନଙ୍କ ସହିତ ମିଶି କିଛି ବରିଷ୍ଠ ନେତା ନାଚି ସେମାନଙ୍କର ଖୁସି ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର