କେନ୍ଦୁଝର: କାନପୁର ବିସ୍ଥାପିତମାନେ ବର୍ଷ ବର୍ଷ ଧରି ନାନା ହଇରାଣହରକତ ହେଉଛନ୍ତି। ଏମାନଙ୍କୁ ଥଇଥାନ କରାଯାଉ ନାହିଁ। ତୁରନ୍ତ ୨୦୦୬ ଥଇଥାନ ନୀତି ଅନୁସାରେ ଥଇଥାନ କରିବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି ଉଠାଇଛନ୍ତି।
ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, କଂଗ୍ରେସ ସରକାର ସମୟରେ କେନ୍ଦୁଝର ଜିଲ୍ଲାବାସୀଙ୍କ ଜଳସେଚନ ସୁବିଧା ପାଇଁ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ମାତ୍ର ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଏହା ସଂପୂର୍ଣ୍ଣ ହୋଇପାରିନାହିଁ। ଅନ୍ୟପଟେ ବିସ୍ଥାପିତଙ୍କୁ ଆଜି ଯାଏ ଥଇଥାନ ନ କରିବା ବିଡ଼ମ୍ବନାର ବିଷୟ। ସେମାନଙ୍କ ମୌଳିକ ଅଧିକାର ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ସେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ସେ କହିଥିଲେ, କେନ୍ଦୁଝର ଜିଲ୍ଲାର ଯୋଡା ବ୍ଲକ ଅନ୍ତର୍ଗତ ବାସୁଦେବପୁରଠାରେ କାନପୁର ବୃହତ୍ ଜଳ ସେଚନ ପ୍ରକଳ୍ପ ନିର୍ମାଣର ଶୁଭ ଦେଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ। ଏହି ପ୍ରକଳ୍ପ ପାଇଁ କଣ୍ଡରା, ବାସୁଦେବପୁର, ଚମକପୁର, ରୁଗୁଡି, ମୁରୁସୁଆଁ, ରେଭେନସାପୁର(କ), ରେଭେନାସାପୁର(ଖ), ହରିହରପୁର, ଧୋବାକୁଚୁଡା, ଶଙ୍କରପୁର, ଦଡୁଆଁ, ଗୋବିନ୍ଦପୁର, ବିରିକଳା ସଂପୂର୍ଣ୍ଣ କ୍ଷତଗ୍ରସ୍ତ ହୋଇଥିବାବେଳେ ବିଲେଇପଦା, ଲହଣ୍ଡା ଓ ବଳଭଦ୍ରପୁର ଗ୍ରାମଗୁଡିକ ଆଂଶିକ କ୍ଷତିଗ୍ରସ୍ତ ହୋଇଛନ୍ତି। ୨୦୦୬ ବିସ୍ଥାପନ ଓ ଥଇଥାନ ନୀତି ଅନୁଯାୟୀ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ଗ୍ରାମ ଗୁଡିକରୁ ସର୍ଭେ କରାଯାଇ ୩୮୬୯ ଜଣ ଗ୍ରାମବାସୀଙ୍କୁ ବିସ୍ଥାପିତ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ଥଇଥାନ କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିନ୍ତୁ ଯେଉଁ ବିସ୍ଥାପିତ କଲୋନୀ କରାଯାଇଛି, ସେଠାରେ ମୌଳିକ ସୁବିଧା ନାହିଁ। ତେଣୁ ବିସ୍ଥାପିତମାନେ ସେଠାରେ ରହିବା ସମ୍ଭବ ନୁହେଁ ବୋଲି ସେ କହିଥିଲେ।
ସେ କହିଥିଲେ ଯେ, ସରକାରଙ୍କ ୨୦୧୩ ଗାଇଡଲାଇନ ଅନୁଯାୟୀ ୧୮ ବର୍ଷରୁ ଊର୍ଦ୍ଧ୍ବ ପୁଅଝିଅଙ୍କୁ ବିସ୍ଥାପିତ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଗତ ୨୦୧୮ ମସିହାରେ ଥରେମାତ୍ର ସର୍ଭେ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୨୦ ମସିହା ପର୍ଯ୍ୟନ୍ତ ଆଉ ସର୍ଭେ କରାଯାଇନାହିଁ। ସର୍ଭେ ନ ହେବା କାରଣରୁ ହଜାରହଜାର ପୁଅଝିଅ ବିସ୍ଥାପିତ ତାଲିକାରୁ ବାଦ୍ ପଡ଼ିଛନ୍ତି। ୨୦୧୮ ମସିହାରେ ସର୍ଭେ କରାଯାଇଥିବା ୪୦୭ ଜଣ ପୁଅଝିଅଙ୍କୁ ଏପର୍ଯ୍ୟନ୍ତ ବିସ୍ଥାପିତ ତାଲିକାରେ ସ୍ଥାନ ଦିଆଯାଇନାହିଁ। ଯାହାଦ୍ୱାରା କି ଏହି ପୁଅଝିଅଙ୍କୁ ଥଇଥାନ କରାଯାଇ ପାରିନାହିଁ। ବର୍ତମାନ ପର୍ଯ୍ୟନ୍ତ ବିସ୍ଥାପିତ ତାଳିକା ଓ ଥଇଥାନ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇ ନ ଥିବାବେଳେ ୨୦୧୮ ଜାନୁଆରି ପହିଲାରେ ପ୍ରକଳ୍ପ ପକ୍ଷରୁ ଶେଷ ସର୍ଭେ ତାରିଖ ଘୋଷଣା କରାଯାଇଥିଲା। ବିସ୍ଥାପନ ଓ ଥଇଥାନ ନିୟମ ଅନୁଯାୟୀ ଥଇଥାନ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ଏହି ଶେଷ ସର୍ଭେ ତାରିଖ ଘୋଷଣା କରାଯିବା କଥା। ଏ ଦିଗରେ ପ୍ରକଳ୍ପ ପକ୍ଷରୁ କୌଣସି ଉଦ୍ୟମ କରାଯାଉ ନାହିଁ ବୋଲି ସେ କହିଥିଲେ। ସରକାର ତୁରନ୍ତ ଏହି ବିସ୍ଥାପିତଙ୍କ କଥାକୁ ଦୃଷ୍ଟିରେ ରଖି ୨୦୦୬ ମସିହା ବିସ୍ଥାପନ ଓ ଥଇଥାନ ନୀତି ଅନୁସାରେ ଥଇଥାନ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଥିଲେ।
ଆଜି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ମିଶ୍ର, ପୂର୍ବତନ କଂଗ୍ରେସ ସଭାପତି ମୋହନ ପରିଡା, ପୂର୍ବତନ ପିସିସି ସାଧାରଣ ସଂପାଦକ ଆଲୋକ ମିଶ୍ର, ପୂର୍ବତନ ପିସିସି ସଂପାଦକ ସଂଗ୍ରାମ ଦାସ, ବିଧାୟକ ପ୍ରାର୍ଥୀ ବିଦ୍ୟାଧର ଦେହୁରୀ, ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Niranjan_Patnaik_EPS.jpg)