ଭୁବନେଶ୍ବର: ବିଧାୟକ ଭାବେ ଆଉ ନିର୍ବାଚନ ଲଢ଼ିବିନି। କିନ୍ତୁ ପ୍ରତ୍ୟକ୍ଷ ରାଜନୀତି ଛାଡ଼ିବିନି। ଆଜି ‘କନକ ନ୍ୟୁଜ୍‌’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏମିତି କହିଛନ୍ତି ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି, ନିର୍ବାଚନ ଫଳାଫଳ ପ୍ରକାଶ ପରଠାରୁ ସେ ଏଭଳି ନିଷ୍ପତ୍ତି ନେଇସାରିଛନ୍ତି। ସାମ୍ପ୍ରତିକ ରାଜନୀତିରେ ନୂଆ ଯୁବଗୋଷ୍ଠୀଙ୍କୁ ସୁଯୋଗ ଦେବାର ବେଳ ଆସିଛି। ତେଣୁ ବହୁଦିନ ଧରି ଗାଦି ମାଡ଼ି ବସିଥିବା ନେତାମାନେ ନୂଆ ଚେହେରାଙ୍କୁ ବାଟ ଛାଡ଼ିବା ଆବଶ୍ୟକ। 

Advertisment

ଶ୍ରୀ ପଟ୍ଟନାୟକ କହିଛନ୍ତି, ‘ମୁଁ ଘସିପୁରାବାସୀଙ୍କ ପାଖରେ କୃତଜ୍ଞ। ସେମାନେ ୪ ଥର ମୋତେ ବିଧାନସଭାକୁ ପଠାଇଛନ୍ତି। ଭଣ୍ଡାରୀପୋଖରୀବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ଖୁବ କମ୍‌ ଭୋଟ୍‌ରେ ହାରିଥିଲେ ବି ସେମାନେ ମୋତେ ବହୁତ ଭଲ ଭୋଟ୍‌ ଦେଇଛନ୍ତି। ଭବିଷ୍ୟତରେ ମୁଁ ଘସିପୁରା ଓ ଭଣ୍ଡାରୀପୋଖରୀ ନିର୍ବାଚନମଣ୍ଡଳିବାସୀଙ୍କ ସେବା ଜାରି ରଖିବି।’ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଛଳରେ ନିରଞ୍ଜନ କହିଥିଲେ. ନିର୍ବାଚନ ଲଢ଼ିବା ଲାଗି କୌଣସି ନିର୍ଦ୍ଦିଷ୍ଟ ବୟସ ନାହିଁ। କିନ୍ତୁ ବୟସାଧିକ୍ୟ କାରଣ ଓ ଯୁବପିଢ଼ିଙ୍କୁ ସୁଯୋଗ ଦୃଷ୍ଟିରୁ ବରିଷ୍ଠମାନେ ବାଟ ଛାଡ଼ନ୍ତୁ। ଏବେ ରାଜନୀତିରେ ନୀତି ଆଦର୍ଶ ପଛେଇ ଗଲାଣି। ଟିକେଟ୍‌ ଆଶାରେ ନେତାଏ ସକାଳେ ବିଜେଡି, ଦିନରେ ବିଜେପି ଓ ରାତିରେ କଂଗ୍ରେସରେ ମିଶିଲେଣି। କିଏ କ’ଣ ସୁଯୋଗ ଦେଉଛି ତାହା ସେମାନଙ୍କ ପାଇଁ ବିଶେଷ ଗୁରୁତ୍ବ ରଖୁଛି। ଖାସ୍ ଏହି କାରଣରୁ ଅନେକ ପଥଭ୍ରଷ୍ଟ ହେଉଛନ୍ତି। ପ୍ରତ୍ୟେକ ରାଜନୈତିକ ଦଳର ନେତାମାନେ ନୂତନ ପିଢ଼ିକୁ ବାଟ ଛାଡ଼ନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ।

ଘସିପୁରା, ଭଣ୍ଡାରୀପୋଖରୀବାସୀଙ୍କ ପାଖେ କୃତଜ୍ଞ
ଦୁଇଟି ଆସନରେ ଲଢ଼ିବା ବଡ଼ ଭୁଲ ନିଷ୍ପତ୍ତି ଥିଲା
ନୂଆ ଯୁବଗୋଷ୍ଠୀଙ୍କ ପାଇଁ ବାଟ ଛାଡ଼ନ୍ତୁ ବରିଷ୍ଠ ନେତା

ଶ୍ରୀ ପଟ୍ଟନାୟକ କହିଥିଲେ, ‘ଆମ ସମୟରେ ବୁଥ୍‌ ଖର୍ଚ୍ଚ ଅନେକ ଫେରାଇଛନ୍ତି। କିନ୍ତୁ ଏବେ ସ୍ଥିତି ଭିନ୍ନ। ଯୋଜନା ନାଁରେ ସରକାରୀ ଟଙ୍କା ଲୋକଙ୍କୁ ବାଣ୍ଟି ଭୋଟ୍‌ ନେବାକୁ ଅପଚେଷ୍ଟା କରାଯାଉଛି। କାଳିଆ, ସୁଭଦ୍ରା ଯୋଜନା ଏହାର ଉଦାହରଣ। ମୁଁ ଟଙ୍କା ବାଣ୍ଟି ନିର୍ବାଚନ ଜିତିବାରେ ବିଶ୍ବାସ କରେନି। ବାଧ୍ୟବାଧକତାରେ ମୁଁ ୨ଟି ଆସନରେ ଲଢ଼ିଛି। ତାହା ମୋର ସବୁଠାରୁ ବଡ଼ ଭୁଲ ନିଷ୍ପତ୍ତି ଥିଲା।’ 
କେବଳ ଦେଶକୁ ରକ୍ଷା କରିବାକୁ ରାଜନୀତି ଜାରି ରଖିବେ ବୋଲି ସେ କହିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ସମୟ ଆସିଲେ କଂଗ୍ରେସ ନିଶ୍ଚିତ ଭଲ ପ୍ରଦର୍ଶନ କରିବ। କଂଗ୍ରେସ ହିଁ ଦେଶକୁ ରକ୍ଷା କରିପାରିବ। ଏଥିସହ ଦଳରେ ତାଙ୍କର ଭୂମିକା କ’ଣ ରହିବ, ତାହା ଦଳ ନିର୍ଦ୍ଧାରଣ କରିବ ବୋଲି ସେ ସୂଚନା ଦେଇଥିଲେ। ବିଜେପିକୁ କଡ଼ା ଭାଷାରେ ଭର୍ତ୍ସନା କରି ଶ୍ରୀ ପଟ୍ଟନାୟକ କହିଥିଲେ, ବିଜେପି ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା; ସରକାର ଆସିବା ପରେ ତାହା ପୂରଣ ହୋଇଛି କି? ବିଜେଡି, ବିଜେପି ଅଲଗା ଅଛନ୍ତି କି? ବରଂ,ମୁଁ ଯାହା ଦେଖୁଛି, ଏବେ ବି ଦୁଇ ଦଳ ଭିତରେ ଭିତରେ ଏକାଠି ରହିଛନ୍ତି। ଯାହାର ପ୍ରଭାବ ରାଜ୍ୟ ରାଜନୀତି ଉପରେ ପଡ଼ୁଛି। ଶ୍ରୀ ପଟ୍ଟନାୟକଙ୍କ ଏଭଳି ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଛି।