ବିଧାନସଭାରେ କିଏ କେଉଁ ସିଟ୍‌ରେ ବସିଲେ, ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସିଲେ ନିରଞ୍ଜନ

ଭୁବନେଶ୍ବର: ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ। ନୂଆ ହୋଇ ନିର୍ବାଚିତ ହୋଇ ଆସିଥିବା ବିଧାୟକଙ୍କ ପାଇଁ ବିଧାନସଭା ସଚିବାଳୟ ଆସନ ଆବଣ୍ଟନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବସିଛନ୍ତି। ଲଗାତର ଜିତି ଆସୁଥିବା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଓ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏଥର ନାହାନ୍ତି। ସେହିପରି ପୂର୍ବତନ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଆସନ ବଦଳିଛି, ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତଙ୍କର ବି। ଗତ ସରକାରରେ ଉଭୟ ବାରମ୍ବାର ମୁହାଁମୁହିଁ େହାଇଥିଲେ। ଏଥର କିନ୍ତୁ ନରସିଂହଙ୍କ ପାଖରେ ବସିଛନ୍ତି ପୂର୍ବତନ ବାଚସ୍ପତି ଶ୍ରୀ ଅମାତ। ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧୀ ଦଳ ଆସନରେ ବିଜେପିକୁ ଦେଖିବାକୁ ମିଳିଛି।

ନୂଆ ଆବଣ୍ଟନ ହୋଇଥିବା ଆସନ ବ୍ୟବସ୍ଥା ଅନୁଯାୟୀ, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୋଡିୟମ ଡାହାଣ ପଟୁ ଆରମ୍ଭ ହେଉଥିବା ବ୍ଲକ୍‌-ଏର ପ୍ରଥମ ଧାଡ଼ିର ଏକ ନମ୍ବର ଆସନଟି ଉପବାଚସ୍ପତିଙ୍କ ପାଇଁ ରହିଛି। ସେହି ବ୍ଲକ୍‌ର ଦୁଇ ନମ୍ବର ଆସନରେ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ୩ ନମ୍ବର ସ୍ଥାନରେ ପୂର୍ବତନ ମନ୍ତ୍ରୀ ତଥା ନର୍ଲା ବିଧାୟକ ଭୂପିନ୍ଦର ସିଂହଙ୍କୁ ଆସନ ଦିଆଯାଇଛି। ସେହି ଧାଡ଼ିର ୪ ନମ୍ବର ଆସନରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ଆବଣ୍ଟନ କରାଯାଇଛି। ରାଜ୍ୟସଭା ସାଂସଦ ପଦ ଛାଡ଼ି ଖଣ୍ଡପଡ଼ା ବିଧାନସଭା ଆସନରୁ ବିଜୟୀ ହୋଇଥିବା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଇ-ବ୍ଲକ୍‌ରେ ଆସନ ମିଳିଛି। ବ୍ଲକ-ବି ପ୍ରଥମ ଧାଡ଼ିରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସୁଛନ୍ତି। ତାଙ୍କ ପାଖକୁ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଆସନ ଆବଣ୍ଟନ େହାଇଛି।

ପ୍ରଥମ ଥର ପାଇଁ ଦୁଇ ନମ୍ବର ବିରୋଧୀ ଦଳର ମାନ୍ୟତା ପାଇଥିବା ବିଜେପି ବିଧାୟକ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ବିରୋଧୀ ଦଳ ନେତା ଆସନରେ ବସିଛନ୍ତି। ଶ୍ରୀ ନାୟକଙ୍କୁ ଜି-ବ୍ଲକର ପ୍ରଥମ ଧାଡ଼ିର ପ୍ରଥମ ଆସନ ଆବଣ୍ଟନ କରାଯାଇଛି। ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଏଫ୍‌-ବ୍ଲକର ୩ ନମ୍ବର ସ୍ଥାନ ମିଳିଛି। ବର୍ତ୍ତମାନର କୃଷିମନ୍ତ୍ରୀ ଅରୁଣ ସାହୁ ଡି-ବ୍ଲକର ପ୍ରଥମ ଧାଡ଼ିକୁ ଆସିଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମନ୍ତ୍ରୀ ପଦ ପାଇବା ପରେ ମୁଖ୍ୟମନ୍ତ୍ରୀ ବସୁଥିବା ବି-ବ୍ଲକ୍‌ର ୪ ନମ୍ବର ସ୍ଥାନରେ ବସିଛନ୍ତି। ସି-ବ୍ଲକ୍‌ର ଶେଷ ଧାଡ଼ିରେ ବସୁଥିବା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମନ୍ତ୍ରୀ ପଦ ପାଇବା ପରେ ତାଙ୍କୁ ସେହି ବ୍ଲକ୍‌ର ପ୍ରଥମ ଧାଡ଼ିରେ ପ୍ରଥମ ଆସନ ମିଳିଛି।

ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିରେ ବିଧାୟିକାରୁ କ୍ୟାବିନେଟ ମନ୍ତ୍ରୀ ପଦ ପାଇଥିବା ଟୁକୁନି ସାହୁ ଇ-ବ୍ଲକ୍‌ର ଶେଷ ଧାଡ଼ିରୁ ଆସି ପ୍ରଥମ ଧାଡ଼ିର ଏକ ନମ୍ବର ଆସନରେ ବସିଛନ୍ତି। ଶ୍ରୀମତୀ ସାହୁଙ୍କ ପାଖରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ବସିବା ପାଇଁ ଆସନ ଆବଣ୍ଟନ ହୋଇଛି। ପଞ୍ଚଦଶ ବିଧାନସଭାରେ ଇ-ବ୍ଲକ୍‌ର ଆଗଧାଡ଼ିରେ ବସୁଥିବା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ସେହି ବ୍ଲକ୍‌ର ପଛ ଧାଡ଼ିରେ ବସିଛନ୍ତି। ପୂର୍ବତନ ବିରୋଧୀଦଳ ମୁଖ୍ୟ ସଚେତକ ତଥା କଂଗ୍ରେସର ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏଚ୍‌-ବ୍ଲକ୍‌ର ଆଗ ଧାଡ଼ି ଛାଡ଼ି ଜି-ବ୍ଲକ୍‌ର ୫ ନମ୍ବର ଆସନରେ ବସିଥିଲେ। ୧୫ ବର୍ଷ ପରେ ବିଧାନସଭାକୁ ପୁଣି ଥରେ ନିର୍ବାଚିତ ହୋଇ ଆସିଥିବା କଂଗ୍ରେସର ଜଟଣୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କୁ ବ୍ଲକ୍‌-ଏଫ୍‌ର ୬ ନମ୍ବର ଆସନ ମିଳିଛି। ସେହିପରି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସାଲୁଜା ମଧ୍ୟ ସେହି ବ୍ଲକର ୫ ନମ୍ବର ଆସନରେ ବସିଛନ୍ତି। ବଣାଇ ଆସନରୁ ସିପିଏମ ଟିକଟରେ ପୁଣି ଥରେ ନିର୍ବାଚିତ ହୋଇଥିବା ବିଧାୟକ ଲକ୍ଷ୍ଣଣ ମୁଣ୍ଡାଙ୍କୁ ଏଫ୍‌-ବ୍ଲକ୍‌ର ୮ ନମ୍ବର ସ୍ଥାନ ମିଳିଥିବାବେଳେ ରାୟଗଡ଼ା ଆସନରୁ ନିର୍ବାଚିତ ହୋଇଥିବା ଏକମାତ୍ର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କୁ ଜି-ବ୍ଲକର ୨୦ ନମ୍ବର ସ୍ଥାନ ଆବଣ୍ଟନ କରାଯାଇଛି।

ସମ୍ବନ୍ଧିତ ଖବର