କଟକ : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାରେ ନିରଂଜନ ସେଠୀଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ନିୟମିତ ଜାମିନ ଆବେଦନର ଶୁଣାଣି କରି ନିରଂଜନଙ୍କୁ ଆବଶ୍ୟକ ସର୍ତ୍ତପୂରଣ ପରେ ଜାମିନରେ ଛାଡିବାକୁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ନିରଂଜନ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ କେସ୍ ଡାଏରି ଓ ସାକ୍ଷୀଙ୍କ ବୟାନର କପି ଦାଖଲ କରାଯାଇଥିଲା। ଏହି ମାମଲାରେ ଗତ ସେପ୍ଟେମ୍ବର ୧୫ରେ ଅଭିଯୁକ୍ତ ପରମେଶ୍ବର ରାଉତଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଥିଲେ। ଏବେ ଝୁନା ଭୋଇ ଓ କୃଷ୍ଣଚନ୍ଦ୍ର ନାୟକଙ୍କ ଜାମିନ ଆବେଦନ ହାଇକୋର୍ଟରେ ବିଚାରାଧୀନ ରହିଛି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଚାନ୍ଦବାଲି ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ହସ୍ତାନ୍ତର କରିଥିଲେ। କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ସହିତ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶନ ନିରଂଜନ ସେଠୀ, ଝୁନା ଭୋଇ, କୃଷ୍ଣଚନ୍ଦ୍ର ନାୟକ, ପରମେଶ୍ବର ଓ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କ ବିରୋଧରେ ନିମ୍ନ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା। ନିରଂଜନଙ୍କ ତରଫରୁ ଆଇନଜୀବୀ ରମଣୀକାନ୍ତ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।