କୋଟିଆରେ ପରିସ୍ଥିତି ଅନୁଧ୍ୟାନ କଲେ ନିରଞ୍ଜନ, ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚିବା ଦରକାର

ବିଧାନସଭାରେ ବାରମ୍ବାର ଉଠିବ ପ୍ରସଙ୍ଗ

ପଟାଙ୍ଗି: ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଠାରୁ କୋଟିଆ ଆମର ଥିଲା। ଏବେ ବି ଅଛି, ଆଗକୁ ବି ରହିଥିବ। ଆନ୍ଧ୍ର ସରକାର ନିଜର ବୋଲି ଦାବି କରିବା ଦୁର୍ଭାଗ୍ୟଜନକ। ଓଡ଼ିଆ ସରକାରଙ୍କ ପକ୍ଷରୁ ନିହାତି ଭାବେ କିଛି କାର୍ଯ୍ୟ ଏହି ଅଞ୍ଚଳରେ ହୋଇଛି। ରାସ୍ତାଘାଟ ହୋଇଥିବା ବେଳେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଡାକ୍ତରଖାନା ବି ନିର୍ମାଣ କରାଯାଇଛି। କିନ୍ତୁ ଲୋକଙ୍କର ଯେଉଁ ଆନ୍ତରିକତା ରହିବା କଥା, ତାହା ନାହିଁ। ଏହାପଛର ମୁଖ୍ୟ କାରଣ ହେଲା ଅନେକ ମୌଳିକ ସୁବିଧା ଲୋକଙ୍କ ନିକଟରେ ପହଞ୍ଚି ପାରୁନି। ଲୋକଙ୍କ ଜୀବନ ସହ ଜୀବିକାର ଉନ୍ନତି ନିମନ୍ତେ ଗୁରୁତ୍ବ ଦେବା ଜରୁରୀ। ଆଜି କୋଟିଆ ଗସ୍ତ କରି ଏମିତି ପ୍ରତିକ୍ରିୟା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଆଜି ଅପରାହ୍ନରେ କଂଗ୍ରେସର ଗୋଟିଏ ଟିମ୍ ସହ ଶ୍ରୀ ପଟ୍ଟନାୟକ କୋଟିଆରେ ପହଞ୍ଚିଥିଲେ। ମାଡ଼କାର, ଫଗୁଣସିନେରୀ, ଫାଟୁସିନେରୀ ଓ କୋଟିଆ ଗ୍ରାମରେ ବାସ୍ତବ ସ୍ଥିତି ଅନୁଧ୍ୟାନ ସହ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଏହାପରେ ସେ କହିଥିଲେ ଯେ, ମଧୁବାବୁ ଅନେକ ପରିଶ୍ରମ କରିବାରୁ ଓଡ଼ିଶାକୁ ସ୍ବତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା ମିଳିଥିଲା। ନୂଆ ରାଜ୍ୟ ଗଠନ ଠାରୁ କୋଟିଆ ଓଡ଼ିଶାର ଥିଲା ଏବଂ ମାଡ୍ରାସ୍ ପ୍ରେସିଡେନ୍ସି ଅଧୀନରେ ରହିଥିଲା। ଏଠାକାର ଲୋକ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ଓଡ଼ିଶା ପାଇଁ ଭୋଟ ଦେଉଛନ୍ତି। ରାଜ୍ୟ ସରକାରଙ୍କ ଉଦାସୀନତା କାରଣରୁ ଆନ୍ଧ୍ର ସରକାର ଏଠାରେ ପଞ୍ଚାୟତ ନିର୍ବାଚନ କରାଇଲେ। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ସୀମା ନିର୍ଦ୍ଧାରଣ ଏବଂ ଦୁଇ ରାଜ୍ୟର ବିବାଦର ସମାଧାନ ପାଇଁ ସଂସଦର ଗୁରୁଦାୟିତ୍ବ ରହିଛି। ବିଜେପି ଟିମ୍ ଏହି ଅଞ୍ଚଳକୁ ଆସି କେବଳ ବୁଲି ଚାଲିଗଲେ ଚଳିବ ନାହିଁ। କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପାଇଁ ଚାପ ପକାଉ। କଂଗ୍ରେସ ଅଞ୍ଚଳବାସୀଙ୍କ ସୁଖଦୁଃଖରେ ସାମିଲ ହୋଇ ଯାହା ବି ଅସୁବିଧା ରହିଛି ସରକାରଙ୍କ ନିକଟରେ ଉପସ୍ଥାପନ କରିବ। ଯେଉଁ ମା, ଭଉଣୀ ପାହାଡ଼ ଓ ଜଙ୍ଗଲ ମଧ୍ୟରେ ରହିଛନ୍ତି ସେମାନଙ୍କ ଆର୍ଥିକ ମାନଦଣ୍ଡ ସହ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ନିହାତି ଦରକାର। ଏହି ପ୍ରସଙ୍ଗ ବିଧାନସଭାରେ ବାରମ୍ବାର ଉଠିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେହିପରି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଅଞ୍ଚଳବାସୀ ନାନା ସମସ୍ୟା ମଧ୍ୟରେ ରହିଥିବା ପ୍ରକାଶ କରିଥିଲେ। ଲୋକଙ୍କୁ ଠିକ୍ ରୂପେ ଖାଇବା ମିଳୁନି। ଚାଉଳ କିମ୍ବା କିରାସିନି ବି ଲୋକଙ୍କ ପାଖରେ ପହଞ୍ଚୁନାହିଁ। ଏହି ସୁଯୋଗ ନେଇ ଆନ୍ଧ୍ର ସରକାର ଘରେ ଘରେ ପହଞ୍ଚି ଫାଇଦା ନେଉଛନ୍ତି। ଏହି ଅଞ୍ଚଳ ଜୟପୁର ମହାରାଜାଙ୍କ ଅଧୀନରେ ରହିଥିଲା। ଯାହାର ଅନେକ ପ୍ରମାଣ ରହିଛି। ଏଠାରେ କୌଣସି କାର୍ଯ୍ୟକ୍ରମ କରିବା ପାଇଁ ଆନ୍ଧ୍ର ସରକାରଙ୍କ ନୈତିକ ଅଧିକାରୀ ନାହିଁ। ଓଡ଼ିଶା ସରକାର ସଂପୂର୍ଣ୍ଣ ଭାବେ ଏହି ଅଞ୍ଚଳକୁ ଅବହେଳା କରିଛନ୍ତି। ତେଣୁ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହୋଇଛି। ପୁନର୍ବାର ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବେ ବୋଲି କହିଥିଲେ।

ପିସିସି ସଭାପତିଙ୍କ ସହ ଏହି ଗସ୍ତରେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ସଦନ ନାୟକ, କୈଳାସ କୁଲେସିକା, ଚନ୍ଦ୍ରଶେଖର ମାଝୀ, ରାମଚନ୍ଦ୍ର କାଡ଼ାମ, ସାଂସଦଙ୍କ ପ୍ରତିନିଧି ଅର୍ଜୁନ ବାଙ୍କା, ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକ ସଭାପତି, ଯୁବ ସଭାପତି ଓ କଂଗ୍ରେସ କର୍ମୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର