ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ନିରଞ୍ଜନ

ପୁଷ୍ପଗୁଚ୍ଛ, ଉତ୍ତରୀୟ କିଣାର ଅର୍ଥକୁ କଂଗ୍ରେସକୁ ଦାନ କରିବାକୁ ନିବେଦନ

ଭୁବନେଶ୍ବର : ରାଜ୍ୟବାସୀଙ୍କୁ ୨୦୨୨ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନବବର୍ଷ ସମସ୍ତଙ୍କ ପାଇଁ ଶାନ୍ତି, ମୈତ୍ରୀ ଏକତା ଓ ପ୍ରଗତିର ବର୍ଷ ହେଉ। ତେବେ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ପାଇଁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟରେ ଅର୍ଥ ବ୍ୟୟ ନ କରି ସେହି ଅର୍ଥକୁ ରାଜ୍ୟର ହିତ ପାଇଁ କଂଗ୍ରେସ ଦଳକୁ ଦାନ କରିବାକୁ ରାଜ୍ୟବାସୀ ଓ କଂଗ୍ରେସ ନେତୃବୃନ୍ଦଙ୍କୁ ନିବେଦନ କରିଛନ୍ତି।

ଶୁଭେଚ୍ଛା ବାର୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ବିଗତ ଦୁଇବର୍ଷ ପୃଥିବୀ ପାଇଁ ଦୁଃଖର ବର୍ଷ ଥିଲା। ବେରୋଜଗାର, ଆର୍ଥିକ ଦୂରାବସ୍ଥା ଓ ମହାମାରୀ ସାଧାରଣ ଜନତାଙ୍କ ଜୀବନକୁ ଦୁର୍ବିସହ କରି ପକାଇଛି। ଏ ପର୍ଯ୍ୟନ୍ତ ବି ମହାମାରୀ ଶେଷ ହୋଇନାହିଁ। ଆସନ୍ତାବର୍ଷ ନିର୍ବାଚନର ବର୍ଷ। ଗଣତନ୍ତ୍ରକୁ ବେପାର ହିସାବରେ ଅର୍ଥ ମାଧ୍ୟମରେ ଶାସନକୁ ଅକ୍ତିଆର କରିବାକୁ ଚେଷ୍ଟା କରାଯାଉଛି। ହେଲେ କଂଗ୍ରେସ ଦଳ ମହାତ୍ମା ଗାନ୍ଧୀଙ୍କୁ ଆଦର୍ଶରେ ଅନୁପ୍ରାଣିତ ହୋଇ ଗଣତନ୍ତ୍ରୀ ମୂଲ୍ୟବୋଧକୁ ବୁଝି ନିର୍ବାଚନ ଲଢ଼ିବ। ଅର୍ଥ ବଦଳରେ ଭୋଟ୍ କିଣିବାକୁ କଂଗ୍ରେସ ପ୍ରତି ସ୍ତରରେ ବିରୋଧ କରିବ। ଓବିସିକୁ ବାଦ୍ ଦେବା ପାଇଁ ଯେଉଁ ଧାରା ଆରମ୍ଭ ହୋଇଛି ତାହା ଠିକ୍ ନୁହେଁ। ବିଧି ବ୍ୟବସ୍ଥା ଅନୁସାରେ ନିର୍ବାଚନ ପରିଚାଳନା କରି ଓବିସି ଗ୍ରୁପ୍‌କୁ ସାମିଲ କରିବାର ଆବଶ୍ୟକତା ରହିଛି। ସବୁବର୍ଗଙ୍କୁ ସାମିଲ କରି କଂଗ୍ରେସ ନିର୍ବାଚନ ଲଢ଼ିବାର ସୁଯୋଗ ଦେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର