କଟକର ଏକ ହଷ୍ଟେଲରୁ ୧୩ ଜଣ ପଜିଟିଭ୍‌ ଆସିବାରୁ ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିଛି: ନିରଞ୍ଜନ ମିଶ୍ର

ଭୁବନେଶ୍ବର: ରାଜ୍ୟରେ ଆଜି କରୋନା ସଂକ୍ରମଣ ସାମାନ୍ୟ ବଢ଼ିଥିବା ହେତୁ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ‘ଦେଶରେ ସଂକ୍ରମଣ ବଢ଼ିଛି । ନିର୍ଦ୍ଦିଷ୍ଟ ଭାବେ ୩ଟି ରାଜ୍ୟ ମହାରାଷ୍ଟ୍ର, ଦିଲ୍ଲୀ ଓ କେରଳରେ ବଢ଼ିଛି । ଆଉ ବାକି ସବୁ ରାଜ୍ୟରେ ୫୦୦ ତଳକୁ ଅଛି ସଂକ୍ରମଣ ସଂଖ୍ୟା । ଓଡ଼ିଶାରେ ଆଜି ସଂଖ୍ୟା ବଢ଼ିଛି । କାରଣ କଟକର ଏକ ୱାର୍କିଂ ହଷ୍ଟେଲରେ ୧୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ହେଲେ ସେମାନଙ୍କଠାରେ କୌଣସି ଲକ୍ଷଣ ନାହିଁ । ଜଣେ ପଜିଟିଭ୍ ଆସିବା ପରେ କଣ୍ଟାକ୍ଟ ଟ୍ରେସିଂ ଦ୍ୱାରା ଅନ୍ୟମାନେ ସଂକ୍ରମିତ ବୋଲି ଜଣାପଡ଼ିଲା । ସେଠାରେ ସ୍ଥିତି ଅନୁଧ୍ୟାନ କରିବାକୁ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଯାଇଛି । ସଂଧ୍ୟା ସୁଦ୍ଧା ରିପୋର୍ଟ ଆସିଲେ, କଣ୍ଟେନମେଣ୍ଟର ଆବଶ୍ୟକତା ଅଛି କି ନାହିଁ ଜଣାପଡ଼ିବ। ପୂର୍ବରୁ ମଧ୍ୟ ସ୍ବାସ୍ଥ୍ୟ ବିଭାଗ କହିଛି ଯେ କୋଭିଡ୍ ରହିବ। ଏଭଳି ସ୍ପୋରାଡିକ ଆଉଟବ୍ରେକ ହେବ। ଟ୍ରାନ୍ସମିସନ ଏବେ ଯାଏଁ ବନ୍ଦ ହୋଇନାହିଁ । ସେଥିପାଇଁ ସବୁ ଜିଲ୍ଲାଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ଲଷ୍ଟର କଣ୍ଟେନମେଣ୍ଟ କଲେ ବ୍ୟାପିବ ନାହିଁ ।
କିନ୍ତୁ ଟିକାକରଣ ବ୍ୟାପକ ହେବା ଯୋଗୁ ସଂକ୍ରମଣ ମନ୍ଥର ହୋଇଛି ଏବଂ ରୋଗର ଭୟାବହତା କମିଛି। ପୂର୍ବରୁ ମଧ୍ୟ ମହାମାରୀ ବିଶେଷଜ୍ଞମାନେ କହିଥିଲେ ଯେ ଏଭଳି ଗୋଟିଏ ଦୁଇଟି ସ୍ଥାନରେ ଆଉଟବ୍ରେକ ହୋଇପାରେ। ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଟେଷ୍ଟିଂ, ଟ୍ରାକିଂ, ଚିକିତ୍ସା, ଟିକାକରଣ ଏବଂ କୋଭିଡ୍ ନିୟମ ମାନିବାକୁ ପଡ଼ିବ।
ବର୍ତ୍ତମାନ ଡେଙ୍ଗୁ ଋତୁ ଆରମ୍ଭ ହୋଇଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ରିପୋର୍ଟ ଆସୁଛି । ଗତବର୍ଷ ଭୁବନେଶ୍ୱରରେ ଡେଙ୍ଗୁ ବ୍ୟାପିଥିଲା । ତେଣୁ ଚଳିତବର୍ଷ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସର୍ଭିଲାନ୍ସ ମଧ୍ୟ ଚାଲିଛି । ଖୋର୍ଦ୍ଧାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍ପିଟାଲ, ଏମ୍ସ ଏବଂ ଆରଏମଆରସିକୁ ମିଶାଇ ୪ଟି ସେଣ୍ଟିନାଲ ସାଇଟ ଅଛି । ଲୋକମାନେ ଏହି କେନ୍ଦ୍ରଗୁଡ଼ିକରେ ଯାଇ ଟେଷ୍ଟ କରନ୍ତୁ ବୋଲି ଅପିଲ କରିଛି ଜନ ସ୍ବାସ୍ଥ୍ୟ ବିଭାଗ । କାରଣ ଏଲିସା ମେଥଡ଼ ଦ୍ୱାରା ହିଁ ସଠିକ ରିପୋର୍ଟ ମିଳିପାରିବ । ଏଡିସ ମଶା ଯୋଗୁଁ ଡେଙ୍ଗୁ ବ୍ୟାପୁଥିବାରୁ କୌଣସି ଜାଗାରେ ପାଣି ଜମିବାକୁ ଦିଅନ୍ତୁ ନାହିଁ ।’

ସମ୍ବନ୍ଧିତ ଖବର