ନିର୍ଭୟା ଦୋଷୀମାନଙ୍କୁ ଫାଶୀ ମିଳିବା ପରେ… ଆଇନର ଗଳାବାଟ ବନ୍ଦ କର, ଅନେକ ପୀଡ଼ିତା ନ୍ୟାୟ ପାଇବେ: ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ବର : ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ୪ଜଣ ଯାକ ଦୋଷୀଙ୍କୁ ଫାଶୀ ମିଳିବା ପରେ ଆଇନର ଦୁର୍ବଳ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ବିଜେପି। ଆଇନର ଗଳାବାଟ ବନ୍ଦ ହେଲେ ରାଜ୍ୟରେ ଅନେକ ଦୁଷ୍କର୍ମ ପୀଡ଼ିତା ନ୍ୟାୟ ପାଇପାରିବେ ବୋଲି ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି।

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ଆଜି ଦିନଟି ଆମ ସମସ୍ତଙ୍କ ପାଇଁ ଏକ ଖୁସିର ଦିନ। ବିଳମ୍ବ ହେଲେ ମଧ୍ୟ ନ୍ୟାୟିକ ପ୍ରକ୍ରିୟାରେ ବିଶ୍ବାସ ରଖୁଥିବା ଆମ ସମସ୍ତଙ୍କୁ ନ୍ୟାୟ ମିଳିଛି। ଗଣତନ୍ତ୍ରରେ ନ୍ୟାୟିକ ବ୍ୟବସ୍ଥା ଉପରେ ଲୋକଙ୍କର ବିଶ୍ବାସ ରହିଛି। ନିର୍ଭୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଅତ୍ୟନ୍ତ ମହତ୍ବପୂର୍ଣ୍ଣ। ନିର୍ଭୟାଙ୍କ ପିତା ମାତା ଓ ପରିବାର ନ୍ୟାୟ ପାଇବା ପାଇଁ ଯେପରି ୭ ବର୍ଷ କାଳ ଲଢ଼େଇ ଜାରି ରଖିଲେ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଭଳି କାମ କରିବ। ଏହି ଦଣ୍ଡବିଧାନରୁ ଅନ୍ୟ ଦୁଷ୍କର୍ମକାରୀମାନେ ସତର୍କ ହେବେ ଏବଂ ଏପରି ହୀନ କାର୍ଯ୍ୟ କରିବାକୁ ଭୟ କରିବେ। ପୁଲିସ ଓ ଆଇନ ବ୍ୟବସ୍ଥାରେ ଥିବା କିଛି ତ୍ରୁଟି ବା ଗଳାବାଟ ଥିବାରୁ ଅପରାଧୀମାନଙ୍କୁ ଫାଶୀରେ ଝୁଲାଇବା ପାଇଁ ୭ ବର୍ଷ ସମୟ ଲାଗିଲା। ଦୁଷ୍କର୍ମ କରୁଥିବା ଅପରାଧୀମାନଙ୍କୁ ତୁରନ୍ତ ସଜା ଶୁଣାଇବା ପାଇଁ ନୂଆ ନିୟମ ଆସିବା ଦରକାର। ନିର୍ଭୟା ମାମଲାରେ ଯେପରି ଦୋଷୀମାନଙ୍କୁ ଦଣ୍ଡ ମିଳିଛି, ଠିକ୍‌ ସେହିପରି ନାବାଳିକା ଦୁଷ୍କର୍ମକାରୀଙ୍କୁ ପୋକ୍‌ସୋ ଆଇନ ଆଧାରରେ ଫାଶୀ ଦିଆଯାଉ ବୋଲି ଶ୍ରୀମତୀ ପରିଡ଼ା ଦାବି କରିଛନ୍ତି।

ସଶକ୍ତ ଆଇନ ହେଲେ ରାଜ୍ୟରେ ଇତିଶ୍ରୀ, ବେବିନା, କୁନ୍ଦୁଲି ପୀଡ଼ିତାଙ୍କ ପରି ଅନେକ ପୀଡ଼ିତା ତ୍ବରିତ୍‌ ନ୍ୟାୟ ପାଇବେ। ରାଜ୍ୟରେ ଯେଉଁ ପୀଡ଼ିତାମାନେ ନିଜ ମାମଲା ଲଢ଼ିବା ପାଇଁ ସମର୍ଥ ନ ଥିବେ ସେମାନଙ୍କୁ ନ୍ୟାୟ ଦେବା ପାଇଁ ଭାରତୀୟ ଜନତା ପାର୍ଟିର ମହିଳାମୋର୍ଚ୍ଚା ବିନା ପାରିଶ୍ରମିକରେ ଓକିଲ ସାଜି ମାମଲା ଲଢ଼ିବ ବୋଲି ଶ୍ରୀମତୀ ପରିଡ଼ା ଘୋଷଣା କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଓ ସୋନାଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର