ଚାନ୍ଦିପୁରରୁ ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ‘ଆଇଟିସିଏମ-୦୨’ର ସଫଳ ପରୀକ୍ଷଣ

ଚାନ୍ଦିପୁର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ଆଜି ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ‘ଆଇଟିସିଏମ-୦୨’ର ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ରକୁ ଆଜି ସକାଳ ୯ଟା ୫୩ ମିନିଟ୍‌ରେ ଉତ୍‌କ୍ଷେପଣ କରାଯାଇଛି । ପରୀକ୍ଷା ସମୟରେ ସ୍ବତନ୍ତ୍ର ଭାବେ ଲଗାଯାଇଥିବା ରାଡ଼ାର ମାଧ୍ୟମରେ ସଂଗୃହିତ ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ପୂର୍ବରୁ ନିର୍ଭୟ ମିସାଇଲରେ ଟର୍ବୋଫ୍ୟାନ୍‌ ଇଞ୍ଜିନ୍‌ ବ୍ୟବହାର କରାଯାଉଥିବାବେଳେ, ଚଳିତ ଥର ଏହି କ୍ଷେପଣାସ୍ତ୍ରରେ ‘ମାଣିକ୍‌ ଟର୍ବୋଫ୍ୟାନ୍‌’ ଇଞ୍ଜିନ୍‌ ବ୍ୟବହାର କରାଯାଇ ପରୀକ୍ଷା କରାଯାଇଛି ।

ଫଳରେ ଡ଼ିଆରଡ଼ିଓ ତରଫରୁ ଏହାକୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ ମିସାଇଲ୍ ବୋଲି କୁହାଯାଉଛି । ‘ମାଣିକ୍‌ ଟର୍ବୋଫ୍ୟାନ୍‌’ ଇଞ୍ଜିନ୍‌ ମାଧ୍ୟମରେ ଏହି ମିସାଇଲ ଅଧିକ ବେଗ ପାଇବା ସହିତ କମ୍‌ ଶବ୍ଦ କରିବ । ନିର୍ଭୟ ମିସାଇଲର ଓଜନ ୧୫୦୦ କିଲୋଗ୍ରାମ ହୋଇଥିବାବେଳେ ଏହାର ଲମ୍ବ ୬ ମିଟର, ମୋଟେଇ ୦.୫୨ ମିଟର ଓ ଏହାର ଡ଼େଣାର ଲମ୍ବ ୨.୭ ମିଟର ରହିଛି ।

ଏହି କ୍ଷେପଣାସ୍ତ୍ରରେ ୨ଶହରୁ ୩ଶହ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ନିର୍ଭୟ ମିସାଇଲର ବେଗ ଶବ୍ଦର ବେଗ ଠାରୁ ୭ରୁ ୯ ଗୁଣ ଅଧିକ । ଏହି କ୍ଷେପଣାସ୍ତ୍ରକୁ ପ୍ରଥମେ ୨୦୧୩ ମସିହା ମାର୍ଚ୍ଚମାସ ୧୨ ତାରିଖରେ ଚାନ୍ଦିପୁରରୁ ପରୀକ୍ଷା କରାଯାଇଥିବାବେଳେ, ଆଜି ୯ମ ଥର ପାଇଁ ପରୀକ୍ଷା କରାଯାଇଛି ।

ସମ୍ବନ୍ଧିତ ଖବର