‘ନିର୍ଭୟ କଢ଼ି’ ଜିଲ୍ଲା ଟାସ୍କଫୋର୍ସ କମିଟି ବୈଠକ : ୬ ମାସ ମଧ୍ୟରେ ଗଞ୍ଜାମକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହମୁକ୍ତ ଲକ୍ଷ୍ୟ’

ଛତ୍ରପୁର : ‘ସାଂପ୍ରତିକ ପରିସ୍ଥିତିରେ ବାଲ୍ୟ ବିବାହ ହେଉଛି ଏକ ସାମାଜିକ ବ୍ୟାଧି। ଏହାକୁ ରୋକିବା ଲାଗି ବିଭିନ୍ନ ସ୍ତରରେ ବ୍ୟାପକ ପଦ‌କ୍ଷେପ ନିଆଯାଉଛି। ଯାହାର ଫଳସ୍ବରୁପ ଗଞ୍ଜାମ ଜିଲ୍ଲାର ୧୦୩୨ଗାଁ ଏବଂ ସହରା‌ଞ୍ଚଳ ୪୦ଟି ୱାର୍ଡ଼ ଆଜିସୁଦ୍ଧା ବାଲ୍ୟ ବିବାହମୁକ୍ତ ଭାବେ ଘୋଷିତ ହୋଇଛି। ତଥାପି ଏହି ଅଭିଯାନକୁ ଆହୁରି ସୁଦୂରପ୍ରସାରୀ କରିବାକୁ ହେବ। ୬ ମାସ ଭିତ‌ରେ ସମ୍ପୂର୍ଣ୍ଣ ଗଞ୍ଜାମ ଜିଲ୍ଲା ଯେମିତି ବାଲ୍ୟ ବିବାହମୁକ୍ତ ହେବ ଏଦିଗରେ ପ୍ରୟାସ ଆରମ୍ଭ କରିବା ଦିଗରେ ପଦକ୍ଷେପ ନେବାକୁ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି’ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

‘ନିର୍ଭୟ କଢ଼ି’ ସମ୍ବନ୍ଧୀୟ ଜିଲ୍ଲା ଟାସ୍କଫୋର୍ସ କମିଟି ବୈଠକରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି କହିଥିଲେ, ୨୦୧୯ ସେପ୍ଟେମ୍ବରରୁ ନିର୍ଭୟ କଢ଼ି କାର୍ଯ୍ୟକ୍ରମ ଜିଲ୍ଲାରେ ଆରମ୍ଭ ହୋଇଥିଲା। ବର୍ଷକ ପରେ ଏହାର ସଫଳତା ମିଳିଛି। ଏହି କାର୍ଯ୍ୟଧାରାକୁ ବଜାୟ ରଖିବା ସହ ଆସନ୍ତା ୬ମାସ ମଧ୍ୟରେ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହମୁକ୍ତ କରିବା ପାଇଁ ଲକ୍ଷ୍ୟ ରହିଛି। ଏଥିପାଇଁ ସଚେତନତାକୁ ବ୍ୟାପକ କରିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପଦକ୍ଷେପ ନେବାକୁ ପଡ଼ିବ। ବର୍ଷକ ମଧ୍ୟରେ ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିରୋଧ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ, ଚାଇଲଡ୍‌ଲାଇନ୍, ଆରକ୍ଷୀ ବିଭାଗ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ସହାୟତାରେ ୨୨୮ଟି ବାଲ୍ୟ ବିବାହକୁ ରୋକାଯାଇ ପାରିଛି। ବାଲ୍ୟ ବିବାହକୁ ରୋକିବାରେ ଅଙ୍ଗନବାଡ଼ି କର୍ମୀ, ସ୍ବାସ୍ଥ୍ୟକର୍ମୀ, ପଞ୍ଚାୟତସ୍ତରୀୟ ଲୋକପ୍ରତିନିଧି ଓ ଶିକ୍ଷକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ବାଲ୍ୟ ବିବାହ ସଂପର୍କରେ ସୂଚନା ଦେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୫ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନର ବି ନିୟମ ରହିଛି।

ଅନ୍ୟପକ୍ଷରେ ବିବାହ ସମୟରେ ଯୁବକ ଓ ଯୁବତୀଙ୍କ ଆଧାରକାର୍ଡ଼ ସମେତ ଅନ୍ୟ ପ୍ରମାଣପତ୍ରକୁ କଡ଼ାକଡ଼ି ଭାବେ ଯା‌ଞ୍ଚ କରାଯିବ। କୁଳ ସମାଜକୁ ବିଭିନ୍ନ ବର୍ଗରୁ ସଚେତନ କରାଯିବ। ସେହିପରି ବିବାହ ବେଳେ ପୁରୋହିତ ଉଭୟ ବରକନ୍ୟାଙ୍କ ଆଧାରକାର୍ଡ଼ ଯାଞ୍ଚ କରିବେ। ଯଦି ଏହାକୁ ଯା‌ଞ୍ଚ ନକରି ବାଲ୍ୟ ବିବାହକୁ ପୁରୋହିତ ପ୍ରୋତ୍ସାହନ ଦିଅନ୍ତି, ତା’ହେଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରୀ ଅନୁପସ୍ଥିତ ରହିଲେ ଶିକ୍ଷକଶିକ୍ଷୟିତ୍ରୀ ଏହାର କାରଣ ଖୋଜି ବାହାର କରିବେ। ଏଦିଗରେ ୩ ଉପଖଣ୍ତର ଉପଜିଲ୍ଲାପାଳ ତଦାରଖ କରିବେ। ସମାଜ ମଙ୍ଗଳ ଓ ଶିକ୍ଷା ବିଭାଗ ବାଲ୍ୟ ବିବାହକୁ ରୋକିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ବୈଠକରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କିର୍ତ୍ତୀ ଭାଷନ, ଡେପୁଟି କଲେକ୍ଟର ଜନ୍ମେଜୟ ସାହୁ, ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ମହାରଣା, ଜିଲ୍ଲା ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠିଆ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ଡିପିଏମ୍ ଶ୍ୟାମସୁନ୍ଦର ତ୍ରିପାଠୀ, ଶିଶୁ ମଙ୍ଗଳ ସମିତିର ସିଏଚ୍.ଜ୍ୟୋତି କୁମାରୀ, ଜିଲ୍ଲା ଶିଶୁ ଯତ୍ନ ଅଧିକାରୀ ଶରତ ଚନ୍ଦ୍ର ମହାରଣା, ସୁଦାମ ପାଣିଗ୍ରାହୀ, ଶିବପ୍ରସାଦ ରଥ, ବାଲ୍ୟ ବିବାହ ପ୍ରତିରୋଧ ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ଓ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ଡିପିଏମ୍ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର