ବିଶ୍ବବିଦ୍ୟାଳୟ ପାଇଁ ଏନ୍‌ଆଇଆର୍‌ଏଫ୍‌ ବାଧ୍ୟତାମୂଳକ

ଭାଗ ନେବାକୁ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ପରାମର୍ଶ, ୭ବର୍ଷ ହେଲା ନିରାଶ କରୁଛନ୍ତି ବିଶ୍ବବିଦ୍ୟାଳୟ ଓ କଲେଜ

ଭୁବନେଶ୍ବର : କେନ୍ଦ୍ର ଶିକ୍ଷା ମନ୍ତ୍ରା‌ଳୟର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ରାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ(ଏନ୍‌ଆଇଆରଏଫ୍‌)ରେ ଦେଶର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଭାଗ ନେବା ନିତ୍ୟାନ୍ତ ଜରୁରୀ। ପ୍ରତିବର୍ଷ ପ୍ରକାଶ ପାଉଥିବା ଏହ‌ି ରୢାଙ୍କିଙ୍ଗ୍‌ରେ କିଭଳି ଭଲ ପ୍ରଦର୍ଶନ କରିହେବ ସେଦିଗରେ ଶିକ୍ଷାନୁଷ୍ଠାନଗୁଡ଼ିକ ପଦକ୍ଷେପ ନେବେ। ନହେଲେ ନାକ୍‌ ମାନ୍ୟତା ମିଳିପାରିବ ନାହିଁ। ତେଣୁ ଶିକ୍ଷାନୁଷ୍ଠାନରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଉଭୟ ନାକ୍‌ ଓ ଏନ୍‌ଆଇଆରଏଫ୍‌ ରୢାଙ୍କିଙ୍ଗ୍‌ରେ ଭଲ ପ୍ରଦର୍ଶନ କରିବାକୁ ଅଲ୍‌ ଇଣ୍ଡିଆ କାଉନସିଲ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ(ଏଆଇସିଟିଇ) ପକ୍ଷରୁ ଦେଶର ସମସ୍ତ ବୈଷୟିକ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷ/ନିର୍ଦ୍ଦେଶକମାନଙ୍କୁ କୁହାଯାଇଛି। ଆହୁରି ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ଜାତୀୟ ଶିକ୍ଷା ନୀତି-୨୦୨୦ରେ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ୨୦୨୨ ଅଗଷ୍ଟ ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକରେ ନୂତନ ଶିକ୍ଷା ନୀତି ଉପରେ ସମୀକ୍ଷା କରାଯିବା ସହ ସମସ୍ତ ବିଶ୍ବବିଦ୍ୟାଳୟ ଲାଗି ଏନ୍‌ଆଇଆରଏଫ୍‌ ବାଧ୍ୟତାମୂଳକ ହୋଇଛି। ତେଣୁ ସମସ୍ତ ଶିକ୍ଷାନୁଷ୍ଠାନ ଏଦିଗରେ ପଦକ୍ଷେପ ନେବାକୁ ‌ପରିଷଦ ପରାମର୍ଶ ଦେଇଛି।

ଏନ୍‌ଆଇଆରଏଫ୍‌ରେ ଓଡ଼ିଶାର ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତିବର୍ଷ ଦୟନୀୟ ପ୍ରଦର୍ଶନ ରହୁଛି। ୭ବର୍ଷ ହେଲା କରାଯାଉଥିବା ଏହି ରୢାଙ୍କିଙ୍ଗ୍‌ରେ କୌଣସି ଗୋଟିଏ ବି ସରକାରୀ ଶିକ୍ଷାନୁଷ୍ଠାନ ୧୧ଟି ବିଭାଗର ଶ୍ରେଷ୍ଠ ଶହେ ଭିତରକୁ ଆସି ପାରି ନାହାନ୍ତି। ଭିଏସ୍‌ଏସ୍‌ୟୁଟି, ବୁର୍ଲା ଗତବର୍ଷ ବିଶ୍ବବିଦ୍ୟାଳୟ ବର୍ଗରେ ୧୫୦ରୁ ୨୦୦ ରୢାଙ୍କ୍‌ ମଧ୍ୟରେ ସ୍ଥାନ ପାଇଥିବା ବେଳେ ଇଞ୍ଜିନିୟରିଂ ବର୍ଗରେ‌ ୧୧୧ତମ ସ୍ଥାନରେ ରହିଥିଲା। ଆଇଆଇଆଇଟି ଭୁବନେଶ୍ବର ୨୦୦ରୁ ୨୫୦ ରୢାଙ୍କ୍‌ ମଧ୍ୟରେ ସ୍ଥାନ ପାଇଥିଲା। ରାଜ୍ୟରେ ୩ଟି ସରକାରୀ ବୈଷୟିକ ବିଶ୍ବବିଦ୍ୟାଳୟ ଓ ବହୁ ସଂଖ୍ୟକ ଯାନ୍ତ୍ରିକ କଲେଜ ରହିଥିଲେ ମଧ୍ୟ ଆଉ କାହାର ବି ଆଖିଦୃଶିଆ ସଫଳତା ମିଳିପାରି ନାହିଁ। ଯେତେବେଳେ କି ରାଜ୍ୟର ୧୦ରୁ ଅଧିକ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ ରୢାଙ୍କିଙ୍ଗ୍‌ ତାଲିକାରେ ପ୍ରତିବର୍ଷ ନିଜର ସ୍ଥିତି ଜାହିର କରୁଛନ୍ତି। ଏଥର ସମସ୍ତ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଭାଗ ନେବା ବାଧ୍ୟତାମୂଳକ କରାଯାଇଥିବାରୁ ଆଉ କିଛି ଶିକ୍ଷାନୁଷ୍ଠାନ ଭାଗ ନେବା ନେଇ ଆଶା ସଞ୍ଚାର ହୋଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଏନ୍‌ଆଇଆରଏଫ୍‌ ରାଙ୍କିଙ୍ଗ୍‌ ପାଇଁ ପ୍ରସ୍ତୁତ ହେବାକୁ ୨୦୧୮ ଜୁନ୍‌ ୧୩ରେ ବୈଷୟିକ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଚିଠି ଲେଖାଯାଇଥିଲା। ମାତ୍ର କୌଣସି ବି କଲେଜ କିମ୍ବା ବିଶ୍ବବିଦ୍ୟାଳୟ ଏହାର ଜବାବ ଦେଇ ନ ଥିଲେ। ଭିଏସ୍‌ଏସ୍‌ୟୁଟି ବ୍ୟତୀତ ଆଉ କୌଣସି ବି ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଏଥିରେ ଭାଗ ନେଇ ନ ଥିଲେ ମଧ୍ୟ। ଯେଉଁଥିପାଇଁ ବିଭାଗ ପକ୍ଷରୁ ୭ଟି ଶିକ୍ଷାନୁଷ୍ଠାନ ଯଥା ବିପିୟୁଟି କୁଳପତିଙ୍କ ସମେତ ଆଇଜିଆଇଟି ସରାଙ୍ଗ, ଭୁବନେଶ୍ବରସ୍ଥିତ ସିଇଟି, ବ୍ରହ୍ମପୁରସ୍ଥିତ ପିଏମ୍‌ଇସି, କଳାହାଣ୍ଡି ଓ କେନ୍ଦୁଝରସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ, କଟକସ୍ଥିତ ଆଇଏମ୍‌ଆଇଟି, ଭୁବନେଶ୍ବରସ୍ଥିତ ସିଆଇଏମ୍‌ଇ କଲେଜ ନିର୍ଦ୍ଦେଶକଙ୍କଠାରୁ ରିପୋର୍ଟ ତଲବ କରାଯାଇଥିଲା। ତା’ପରେ ବି କିଛି ସୁଫଳ ମିଳିପାରି ନାହିଁ। ୨୦୧୯, ୨୦୨୦, ୨୦୨୧, ୨୦୨୨ ରୢାଙ୍କିଙ୍ଗ୍‌ରେ ମଧ୍ୟ ବୈଷୟିକ ଶିକ୍ଷାନୁଷ୍ଠାନର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଥିଲା। ସିଇଟି ଇତିମଧ୍ୟରେ ଗବେଷଣା ବିଶ୍ବବିଦ୍ୟାଳୟରେ ପରିଣତ ହୋଇଛି। ତେଣୁ ଭଲ ରୢାଙ୍କ୍‌ ମିଳିବା ନେଇ ସମସ୍ତେ ଆଶାବାଦୀ ରହିଛନ୍ତି।

ରାଙ୍କିଙ୍ଗ୍‌ରେ ପଛରେ ପଡ଼ିବା ନେଇ କେତେକ କଲେଜ କହିଥିଲେ ଯେ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଶିକ୍ଷକ, କର୍ମଚାରୀଙ୍କ ଅଭାବ ରହିଛି। କେଉଁଠି ପର୍ଯ୍ୟାପ୍ତ ଅଧ୍ୟାପକ ନାହାନ୍ତି ତ ଆଉ କେଉଁଠି ଭିତ୍ତିଭୂମି ଅଭାବ। ତେଣୁ କେଉଁଭଳି ଭାବେ ରୢାଙ୍କିଙ୍ଗ୍‌ ପାଇଁ ଆବେଦନ କରିବୁ। ଇତିମଧ୍ୟରେ ୫ ବର୍ଷ ବିତିଗଲାଣି। ତଥାପି ଆଜି ପର୍ଯ୍ୟନ୍ତ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ଭିତ୍ତିଭୂମି ସଜାଡ଼ିବାରେ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଯେଉଁଥିପାଇଁ ଏଥର ବି ସମାନ ସ୍ଥିତି ଉପୁଜିବା ନେଇ ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର