ଭୁବନେଶ୍ବର/ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆଜି ପ୍ରକାଶ ପାଇଥିବା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ୍ ଫ୍ରେମଵାର୍କ(ଏନ୍ଆଇଆରଏଫ୍)-୨୦୨୪ ତାଲିକାରେ ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ପୁଣିଥରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ମୋଟ ୧୬ଟି ବର୍ଗକୁ ନେଇ ହୋଇଥିବା ଏନ୍ଆଇଆରଏଫ୍ ରାଙ୍କିଙ୍ଗ୍ରେ ଓଡ଼ିଶାର ଶିକ୍ଷାନୁଷ୍ଠାନ ବିଭିନ୍ନ ରାଙ୍କରେ ସ୍ଥାନ ପାଇଛନ୍ତି। ମାତ୍ର ବିଗତ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ରାଜ୍ୟ ସରକାରଙ୍କ କୌଣସି ଗୋଟିଏ ବି ଶିକ୍ଷାନୁଷ୍ଠାନ ସମଗ୍ର ସଫଳତାକୁ ଆଧାର କରି ପ୍ରକାଶିତ ଶ୍ରେଷ୍ଠ ଶହେ ଭିତରକୁ ଆସିପାରି ନାହାନ୍ତି। ବରଂ ଦୁଇଟି ଘରୋଇ ଓ ଗୋଟିଏ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ ଶହେ ମଧ୍ୟରେ ରହିଛନ୍ତି।
ସମଗ୍ର ସଫଳତା ବର୍ଗରେ ଗତବର୍ଷ ୨୬ତମ ସ୍ଥାନରେ ଥିବା ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍ଡ ବିଶ୍ବବିଦ୍ୟାଳୟ ଏ ବର୍ଷ ୨୪ତମ ସ୍ଥାନକୁ ଉଠିଛି। କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ତଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍) ଡିମ୍ଡ ବିଶ୍ବବିଦ୍ୟାଳୟ ମଧ୍ୟ ଗତବର୍ଷ ତୁଳନାରେ ଉନ୍ନତ ପ୍ରଦର୍ଶନ କରି ୨୮ତମ ସ୍ଥାନରେ ପହଞ୍ଚିଥିବା ବେଳେ ଏନ୍ଆଇଟି ରାଉରକେଲା ୩୪ତମ ସ୍ଥାନକୁ ଉନ୍ନୀତ ହୋଇଛି। ମାତ୍ର କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଆଇଆଇଟି ଭୁବନେଶ୍ବର ଆହୁରି ତଳକୁ ଖସିଛି। ୨୦୨୧ରେ ୫୮ତମ ସ୍ଥାନରେ ଥିବା ଆଇଆଇଟି ୨୦୨୨ରେ ୬୫, ୨୦୨୩ରେ ୯୧ତମ ସ୍ଥାନରେ ରହିଥିଲା। ଏଥର ୧୦୧ରୁ ୧୫୦ ମଧ୍ୟକୁ ଖସି ଯାଇଛି। ଭୁବନେଶ୍ବରସ୍ଥିତ ସିଭି ରମଣ ଗ୍ଲୋବାଲ ୟୁନିଭରସିଟି, ଓୟୁଏଟି ଓ ଉତ୍କଳ ବିଶ୍ବବିଦ୍ୟାଳୟ ୧୫୧ରୁ ୨୦୦ ସ୍ଥାନ ମଧ୍ୟରେ ରହିଛନ୍ତି। ତେବେ ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ପବ୍ଲିକ ବିଶ୍ବବିଦ୍ୟାଳୟଗୁଡ଼ିକୁ ନେଇ ହୋଇଥିବା ରାଙ୍କିଙ୍ଗ୍ରେ ଉତ୍କଳ ବିଶ୍ବବିଦ୍ୟାଳୟ ୪୨ତମ ସ୍ଥାନରେ ରହିଛି। ଏହି ବର୍ଗରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଫକୀରମୋହନ ବିଶ୍ବବିଦ୍ୟାଳୟ, ଆଇଆଇଆଇଟି ଭୁବନେଶ୍ବର, ଓୟୁଏଟି, ରେଭେନ୍ସା, ସମ୍ବଲପୁର ବିଶ୍ବବିଦ୍ୟାଳୟ, ଭିଏସ୍ଏସ୍ୟୁଟି ୫୧ରୁ ୧୦୦ ସ୍ଥାନ ମଧ୍ୟରେ ରହିଛନ୍ତି।
‘ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ’ ବର୍ଗରେ ଓଡ଼ିଶାରୁ ଦୁଇଟି ବିଶ୍ବବିଦ୍ୟାଳୟ ସ୍ଥାନ ପାଇଛନ୍ତି। ସୋଆ ଗୋଟିଏ ସ୍ଥାନ ଉପରକୁ ଉଠି ୧୪ ଓ କିଟ୍ ୧୫ତମ ସ୍ଥାନକୁ ଉନ୍ନୀତ ହୋଇଛି। ୨୦୨୩ରେ ୯୩ତମ ସ୍ଥାନରେ ଥିବା ଉତ୍କଳ ବିଶ୍ବବିଦ୍ୟାଳୟ ଏଥରକ ଶ୍ରେଷ୍ଠ ଶହେରୁ ବାଦ୍ ପଡ଼ିଛି। ସିଭି ରମଣ ଗ୍ଲୋବାଲ ୟୁନିଭରସିଟି, ଓୟୁଏଟି, ସମ୍ବଲପୁର ବିଶ୍ବବିଦ୍ୟାଳୟ ସହ ଉତ୍କଳ ୧୦୧ରୁ ୧୫୦ ସ୍ଥାନ ମଧ୍ୟରେ ରହିଛନ୍ତି। ଫକୀର ମୋହନ ବିଶ୍ବବିଦ୍ୟାଳୟ ସମେତ ସେଞ୍ଚୁରିଅନ୍, ରେଭେନ୍ସା, ଭିଏସ୍ଏସ୍ୟୁଟି ୧୫୧ରୁ ୨୦୦ ରାଙ୍କ ମଧ୍ୟରେ ରହିଛନ୍ତି। ଗବେଷଣା ଅନୁଷ୍ଠାନ ବର୍ଗର ଶ୍ରେଷ୍ଠ ୫୦ ମଧ୍ୟରେ ଏନ୍ଆଇଟି ରାଉରକେଲା ୩୦, କିଟ୍ ୪୬, ସୋଆ ୫୦ତମ ସ୍ଥାନରେ ରହିଛି।
ସୋଆ ରାଜ୍ୟରେ ପ୍ରଥମ, କିଟ୍ ଦ୍ବିତୀୟ
ଶହେ ତଳକୁ ଖସିଲା ଆଇଆଇଟି ଭୁବନେଶ୍ବର
ବିଶ୍ବବିଦ୍ୟାଳୟ ବର୍ଗରେ ଶ୍ରେଷ୍ଠ ଶହେରୁ ଉତ୍କଳ ବାଦ୍
କୃଷି ବର୍ଗରେ ୧୫ତମ ସ୍ଥାନରେ ଓୟୁଏଟି
ଦେଶର ଶ୍ରେଷ୍ଠ ୧୦୦ ଇଂଜିନିୟରିଂ କଲେଜ ମଧ୍ୟରେ ଏନ୍ଆଇଟି ରାଉରକେଲା ୧୯, ସୋଆ ୨୬, କିଟ୍ ୩୭, ଆଇଆଇଟି ଭୁବନେଶ୍ବର ୫୪, ସିଭିରମଣ ଗ୍ଲୋବାଲ ୟୁନିଭରସିଟି ୯୬ ତମ ସ୍ଥାନରେ ରହିଛନ୍ତି। ୧୫୧ରୁ ୨୦୦ ମଧ୍ୟରେ ଭିଏସ୍ଏସ୍ୟୁଟି ବୁର୍ଲା, ୨୦୧ରୁ ୩୦୦ ମଧ୍ୟରେ ଭୁବନେଶ୍ବରସ୍ଥିତ ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜିକାଲ ଆଡଭାନ୍ସମେଣ୍ଟ (ଗୀତା), ଗୁଣୁପୁରସ୍ଥିତ ଜିଆଇଇଟି ବିଶ୍ବବିଦ୍ୟାଳୟ, ଗାନ୍ଧୀ ଇଞ୍ଜିନିୟରିଂ କଲେଜ, ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ, ସିଇଟି ଭୁବନେଶ୍ବର, ଆଇଆଇଆଇଟି ଭୁବନେଶ୍ବର, ସିଲିକନ୍ ବିଶ୍ବବିଦ୍ୟାଳୟ ସ୍ଥାନ ପାଇଛନ୍ତି। ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ବର୍ଗରେ ଜାଭିଅର ଭୁବନେଶ୍ବର ୪୩, ଆଇଆଇଏମ୍ ସମ୍ବଲପୁର ୫୦, ଆଇଏମ୍ଆଇ ୬୧, ସୋଆ ୬୨, କିଟ୍ ୬୭ତମ ସ୍ଥାନରେ ରହିଛି। ଡେଣ୍ଟାଲ ବର୍ଗର ଶ୍ରେଷ୍ଠ ୪୦ ମଧ୍ୟରେ ସୋଆ ୯ମ ଓ କିଟ୍ ୨୨ତମ ସ୍ଥାନରେ ରହିଛି। ସେହିପରି ଦେଶର ଶ୍ରେଷ୍ଠ ୫୦ ମେଡିକାଲ କଲେଜ ବର୍ଗରେ ଏମ୍ସ ଭୁବନେଶ୍ବର ୧୫, ସୋଆ ୨୧ ଓ କିଟ୍ ୨୫ତମ ସ୍ଥାନରେ ରହିଛି। ଆଇନ ବର୍ଗରେ ଦେଶର ଶ୍ରେଷ୍ଠ ୪୦ ମଧ୍ୟରେ ସୋଆ ୯, କିଟ୍ ୧୧, ନ୍ୟାସନାଲ ଲ’ ୟୁନିଭରସିଟି, କଟକ ୨୬ତମ ସ୍ଥାନରେ ରହିଛି। ଦେଶର ୪୦ଟି ଶ୍ରେଷ୍ଠ ଆର୍କିଟେକଚର ଓ ପ୍ଲାନିଂ ବର୍ଗରେ ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଏନଆଇଟି ରାଉରକେଲା ୯ମ ଏବଂ କୃଷି ବିଜ୍ଞାନ ବର୍ଗରେ ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ୧୫ତମ ସ୍ଥାନରେ ରହିଛି। ଏତେ ସବୁ ପରେ ମଧ୍ୟ କଲେଜ ବର୍ଗର ଶ୍ରେଷ୍ଠ ୩୦୦, ଉଦ୍ଭାବନ ବର୍ଗର ଶ୍ରେଷ୍ଠ ୧୦, ଶ୍ରେଷ୍ଠ ଶହେ ଫାର୍ମାସୀ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାର କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ପାଇ ନାହାନ୍ତି। ମୁକ୍ତ ବିଶ୍ବବିଦ୍ୟାଳୟ ଓ ସ୍କିଲ୍ ବିଶ୍ବବିଦ୍ୟାଳୟ ତାଲିକାର ୩ଟି ସ୍ଥାନରେ ଓଡ଼ିଶାର କୌଣସି ଶିକ୍ଷାନୁଷ୍ଠାନ ନାହିଁ। ସୂଚନାଯୋଗ୍ୟ ଯେ, ଶିକ୍ଷାଦାନ, ଶିକ୍ଷଣ ଓ ସମ୍ବଳ(ଟିଏଲଆର୍) ଗବେଷଣା ଓ ବୃତ୍ତିଗତ ଅଭ୍ୟାସ(ଆରପି), ସ୍ନାତକ ଫଳାଫଳ, (ଜିଓ), ଆଉଟରିଚ ଏବଂ ଅର୍ନ୍ତଭୁକ୍ତୀକରଣ (ଓଆଇ) ଏବଂ ଧାରଣା(ପିଆର୍) ଆଦି ମାନଦଣ୍ଡ ଆଧାରରେ ଅନୁଷ୍ଠାନଗୁଡିକୁ ମାନ୍ୟତା ଓ ତାଲିକାଭୁକ୍ତ କରାଯାଇଛି।