ଏନ୍‌ଆଇଆର୍‌ଏଫ୍‌ ରାଙ୍କିଙ୍ଗ୍‌: ଶ୍ରେଷ୍ଠ ଶହେରେ ଓଡ଼ିଶାରୁ ୪

୫ଟି ବର୍ଗରେ ସୋଆ, ଦୁଇଟିରେ ଏନ୍‌ଆଇଟି ଶ୍ରେଷ୍ଠ, ଉତ୍କଳ ଖସିଲା ଉପରକୁ ଉଠିଲା ଏମ୍‌ସ, ତଳକୁ ଖସିଲା ଆଇଆଇଟି

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆଜି ପ୍ରକାଶ ପାଇଥିବା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍‌ ରୢାଙ୍କିଙ୍ଗ୍‌ ଫ୍ରେମଵାର୍କ(ଏନ୍‌ଆଇଆର୍‌ଏଫ୍‌) ତାଲିକାରେ ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ମୋଟ ୧୧ଟି ବର୍ଗକୁ ନେଇ ହୋଇଥିବା ଏନ୍‌ଆଇଆର୍‌ଏଫ୍‌ ରୢାଙ୍କିଙ୍ଗ୍‌ରେ ଓଡ଼ିଶାର ୨୦ଟି ଶିକ୍ଷାନୁଷ୍ଠାନ ବିଭିନ୍ନ ରୢାଙ୍କରେ ସ୍ଥାନ ପାଇଛନ୍ତି। ମାତ୍ର ବିଗତ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ରାଜ୍ୟ ସରକାରଙ୍କ କୌଣସି ଗୋଟିଏ ବି ଶିକ୍ଷାନୁଷ୍ଠାନ ସାମଗ୍ରିକ ସଫଳତାକୁ ଆଧାର କରି ପ୍ରକାଶିତ ଶ୍ରେଷ୍ଠ ଶହେ ଭିତରକୁ ଆସିପାରି ନାହାନ୍ତି। ଦେଶର ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାରୁ ୪ଟି ଶିକ୍ଷାନୁଷ୍ଠାନ ପୂର୍ବ ଭଳି ସ୍ଥାନ ବଜାୟ ରଖିଛନ୍ତି। ଗତବର୍ଷ ୩୭ତମ ସ୍ଥାନରେ ଥିବା ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍‌ଡ ବିଶ୍ବବିଦ୍ୟାଳୟ ଏ ବର୍ଷ ୩୦ତମ ସ୍ଥାନକୁ ଉଠିଛି। କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍‌) ଡିମ୍‌ଡ ବିଶ୍ବବିଦ୍ୟାଳୟ ମଧ୍ୟ ଗତବର୍ଷ ତୁଳନାରେ ଉନ୍ନତ ପ୍ରଦର୍ଶନ କରି ୩୪ତମ ସ୍ଥାନରେ ପହଞ୍ଚିଥିବା ବେଳେ ଏନ୍‌ଆଇଟି ରାଉରକେଲା ୩୯ତମ ସ୍ଥାନକୁ ଉନ୍ନୀତ ହୋଇଛି। ମାତ୍ର ଆଇଆଇଟି ଭୁବନେଶ୍ବର ତଳକୁ ଖସୁଛି। ଗତଥର ୫୮ତମ ସ୍ଥାନରେ ଥିବା ଏହି ଶିକ୍ଷାନୁଷ୍ଠାନ ଏଥର ୬୫କୁ ଖସି ଯାଇଛି। ପ୍ରତିଥର ପରି ଏଥର ମଧ୍ୟ ଉତ୍କଳ ବିଶ୍ବବିଦ୍ୟାଳୟ ୧୦୧ରୁ ୧୫୦ ଶିକ୍ଷାନୁଷ୍ଠାନ ମଧ୍ୟରେ ରହିଛି। ସିଭି ରମଣ ଗ୍ଲୋବାଲ ୟୁନିଭରସିଟି, ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଭିସୁଟ୍‌ ବୁର୍ଲା ୧୫୧ରୁ ୨୦୦ ସ୍ଥାନ ମଧ୍ୟରେ ରହିଛନ୍ତି। ଆଇନ ଓ ଡେଣ୍ଟାଲ ବର୍ଗର ଦେଶର ଶ୍ରେଷ୍ଠ ୧୦ ଶିକ୍ଷାନୁଷ୍ଠାନରେ ସୋଆ ସ୍ଥାନ ପାଇବା ଓଡ଼ିଶା ଲାଗି ଗୌରବର ବିଷୟ ପାଲଟିଛି। କଲେଜ ବର୍ଗର ଶ୍ରେଷ୍ଠ ୩୦୦ ମଧ୍ୟରେ ଓଡ଼ିଶାର ଗୋଟିଏ ବି ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହାନ୍ତି। ଫାର୍ମାସି ବର୍ଗରେ ଦେଶର ୧୫୦ ତାଲିକା ଓ ଆର୍କିଟେକ୍ଚର୍‌ ବର୍ଗର ଶ୍ରେଷ୍ଠ ୩୦ତାଲିକାରେ ଆଦୌ ଶିକ୍ଷାନୁଷ୍ଠାନ ସ୍ଥାନ ନ ପାଇବା ଉଚ୍ଚଶିକ୍ଷା ବ୍ୟବସ୍ଥାର ପ୍ରକୃତ ଚିତ୍ରକୁ ପଦାରେ ପକାଇଛି।

୫ଟି ବର୍ଗରେ ସୋଆ, ଦୁଇଟିରେ ଏନ୍‌ଆଇଟି ଶ୍ରେଷ୍ଠ
ବିଶ୍ବବିଦ୍ୟାଳୟ ବର୍ଗରେ ସୋଆ, କିଟ୍‌ ବଢ଼ିଲେ,
ଉତ୍କଳ ଖସିଲା ଉପରକୁ ଉଠିଲା ଏମ୍‌ସ, ତଳକୁ ଖସିଲା ଆଇଆଇଟି

‘ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ’ ବର୍ଗରେ ଓଡ଼ିଶାରୁ ୩ଟି ବିଶ୍ବବିଦ୍ୟାଳୟ ସ୍ଥାନ ପାଇଛନ୍ତି। ସୋଆ ୧୬ ଓ କିଟ୍‌ ୨୦ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ମାତ୍ର ଉତ୍କଳ ବିଶ୍ବବିଦ୍ୟାଳୟ ଗତବର୍ଷ ତୁଳନାରେ ଗୋଟିଏ ସ୍ଥାନ ତଳକୁ ଖସି ୮୮ତମ ସ୍ଥାନରେ ରହିଛି। ଭିସୁଟ୍‌, ବୁର୍ଲା ଓ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି ୧୦୧ରୁ ୧୫୦ ଭିତରେ ଅଛନ୍ତି। ଫକୀର ମୋହନ ବିଶ୍ବବିଦ୍ୟାଳୟ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ଚଳିତବର୍ଷ ଉନ୍ନତ ପ୍ରଦର୍ଶନ କରି ସେଞ୍ଚୁରିଆନ୍‌ ବିଶ୍ବବିଦ୍ୟାଳୟ ସହ ୧୫୧ରୁ ୨୦୦ ରୢାଙ୍କ୍‌ ମଧ୍ୟରେ ରହିଛନ୍ତି। ଇଞ୍ଜିନିୟରି˚ କଲେଜ ବର୍ଗରେ ଦେଶର ଶ୍ରେଷ୍ଠ ୩୦୦ ମଧ୍ୟରେ ଓଡ଼ିଶାରୁ ୧୧ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି। ଏନ୍‌ଆଇଟି ରାଉରକେଲା ୧୫ତମ ସ୍ଥାନକୁ ଉନ୍ନୀତ ହୋଇ ଓଡ଼ିଶାରେ ଶ୍ରେଷ୍ଠ ସ୍ଥା‌ନ ହାସଲ କରିଛି। ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ବର୍ଗରେ ଜାଭିଅର ଭୁବନେଶ୍ବର, ଗବେଷଣା ବର୍ଗରେ ଏନ୍‌ଆଇଟି ରାଉରକେଲା, ମେଡିକାଲ, ଡେଣ୍ଟାଲ, ଆଇନ କଲେଜ ବର୍ଗରେ ସୋଆ ବିଶ୍ବବିଦ୍ୟାଳୟ ରାଜ୍ୟରେ ଶ୍ରେଷ୍ଠ ମାନ୍ୟତା ପାଇଛି।

ଏହି ତାଲିକାକୁ ଉନ୍ମୋଚନ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ଓ ଯୁବପିଢ଼ିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ କାର୍ଯ୍ୟ କରୁଛନ୍ତି। ତେବେ ଏହି ଉଚ୍ଚ ଶିକ୍ଷା ପରିସଂସ୍ଥାନର ଗୁଣାତ୍ମକ ମାନ ବୃଦ୍ଧି କରିବାରେ ଏକ ସୁଦୃଢ଼ ତଥା ଆସେସମେଣ୍ଟ, ଆକ୍ରିଡିଟେସନ୍‌ ଓ ରୢାଙ୍କିଙ୍ଗ୍‌ ପାଇଁ ଫ୍ରେମୱାର୍କ ମୁଖ୍ୟ ଭୂମିକା ଗ୍ରହଣ କରିବ। ଆକ୍ରିଡିଟେସନ୍‌ ଓ ଆସେସ୍‌ମେଣ୍ଟ ଆଗକୁ ବାଧ୍ୟତାମୂଳକ ହେବ। ଆତ୍ମଘୋଷଣା(ସେଲଫ ଡିକ୍ଲାରେସନ), ପାରଦର୍ଶିତା ମୂଲ୍ୟାଙ୍କନ ଓ ଆକ୍ରିଡିଟେସନ୍‌ ଆଧାରରେ ସମସ୍ତ ଶିକ୍ଷାନୁଷ୍ଠାନ ଆଗାମୀ ଦିନରେ ଏନଆଇଆରଏଫ୍‌ ରୢାଙ୍କିଙ୍ଗ୍‌ ବ୍ୟବସ୍ଥାର ଅଂଶ ହେବେ। ଆସନ୍ତା ବର୍ଷରୁ ଏହି ରୢାଙ୍କିଙ୍ଗ୍‌ରେ ଇନୋଭେସନ ଓ ଉଦ୍ୟମିତା ବିଭାଗ ମଧ୍ୟ ସାମିଲ କରାଯିବ। ସ୍କୁଲ୍‌, ଆଇଟିଆଇ ଓ ପଲିଟେକନିକ୍‌କୁ ଫ୍ରେମ୍‌ୱାର୍କରେ ସାମିଲ କରିବା ପାଇଁ ମଧ୍ୟ ଯୋଜନା କରାଯାଉଛି। ଭାରତର ଆକ୍ରିଡିଟେସନ୍‌ ଓ ରୢାଙ୍କିଙ୍ଗ୍‌ ବ୍ୟବସ୍ଥା ଅନ୍ତରାଷ୍ଟ୍ରୀୟ ହେବ। ବିଦେଶୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ଏଥିରେ ଭାଗୀଦାର ହେବା ଲାଗି ନିମନ୍ତ୍ରଣ କରାଯିବ। ନାକ୍ ଓ ଏନ୍‌ବିଏ ଦ୍ୱାରା କରାଯାଉଥିବା ଆକ୍ରିଡିଟେସନ୍‌କୁ ଏକୀକରଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ‌ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର