ଏପ୍ରିଲରେ ର‍୍ୟାଙ୍କିଙ୍ଗ୍‌: ଶ୍ରେଷ୍ଠ ଶହେ ଦୌଡ଼ରେ ଓଡ଼ିଶାରୁ ୧୫ ଶିକ୍ଷାନୁଷ୍ଠାନ

ଏଥର ବି ସରକାରୀ ଶିକ୍ଷାନୁଷ୍ଠାନ ସଂଖ୍ୟା ନୈରାଶ୍ୟଜନକ
ସଫଳତା ଦୋହରାଇବା ଲକ୍ଷ୍ୟରେ ଘରୋଇ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ ର‍୍ୟାଙ୍କିଂ ଫ୍ରେମ୍‌ଓ୍ଵାର୍କ (ଏନ୍‌ଆଇଆରଏଫ୍‌) ପକ୍ଷରୁ ୨୦୧୮ ଲାଗି ଦେଶର ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ ଚୟନ ଲାଗି ଆରମ୍ଭ ହୋଇଛି କାଉଣ୍ଟଡାଉନ୍‌। ଗତ ଦୁଇ ବର୍ଷ ହେଲା ଓଡ଼ିଶାର ଗୋଟିଏ ବି ସରକାରୀ ଶିକ୍ଷାନୁଷ୍ଠାନ ଶହେ ଭିତରକୁ ଆସିପାରୁ ନ ଥିବାରୁ ଏଥର ସମସ୍ତଙ୍କ ଆଶା ରହିଛି। ୨୦୧୬ରେ ଉତ୍କଳ ବିଶ୍ୱବିଦ୍ୟାଳୟ ‘ନାକ୍‌ ଏ+’ ଗ୍ରେଡ୍‌ ମାନ୍ୟତା ପାଇଥିବାରୁ ୨୦୧୮ରେ ଶହେ ଭିତରେ ରହିବାର ସମ୍ଭାବନା ସୃଷ୍ଟି ହୋଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ଆଉ କିଛି ବିଶ୍ୱବିଦ୍ୟାଳୟ ଦୌଡ଼ରେ ସାମିଲ ହୋଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। କେତେକ ବିଶ୍ୱବିଦ୍ୟାଳୟ ସମସ୍ତ ନିୟମ ପୂରଣ କରୁ ନ ଥିବାରୁ ଶେଷ ସମୟରେ ଆବେଦନ ପ୍ରକ୍ରିୟାରୁ ଓହରି ଯାଇଛନ୍ତି। ୨୦୧୭ ପରି ଏଥର ମଧ୍ୟ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଏନ୍‌ଆଇଆରଏଫ୍‌ରେ ଭଲ ର‍୍ୟାଙ୍କ ହାତେଇବା ଲାଗି ଆବେଦନ କରିଥିବା ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

୨୦୧୬ ଓ ୨୦୧୭ରେ ସରକାରୀ ବିଶ୍ୱବିଦ୍ୟାଳୟ ର‍୍ୟାଙ୍କ ପାଇଁ ଆବେଦନ କରିପାରି ନ ଥିବାରୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଯେଉଁଥିପାଇଁ ଏଥର ବିଶ୍ୱବିଦ୍ୟାଳୟଗୁଡ଼ିକ ଆଗୁଆ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ଘନ ଘନ ବୈଠକ ବି ଅନୁଷ୍ଠିତ ହୋଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ନିଜର ସ୍ୱତନ୍ତ୍ର ବୈଠକ କରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। କିନ୍ତୁ କିଛି ବି ସୁଫଳ ମିଳି ନାହିଁ। ଗତବର୍ଷ ପରି ଏଥର ମଧ୍ୟ ହାତଗଣତି ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ ଶହେ ଦୌଡ଼ରେ ସାମିଲ ହୋଇଛନ୍ତି। ୨୦୧୭ ଡିସେମ୍ବର ୧୫ରେ ଶେଷ ହୋଇଥିବା ଆବେଦନରେ ସେଭଳି ଆଖିଦୃଶିଆ ହୋଇ ନାହିଁ। ଉତ୍କଳ ବିଶ୍ୱବିଦ୍ୟାଳୟ ସମସ୍ତ ନିୟମ ପୂରଣ କରିବା ସହ ବହୁ କଷ୍ଟରେ ଆବେଦନ କରିିଛି। ଆଉ ୩ଟି ସରକାରୀ ବିଶ୍ୱବିଦ୍ୟାଳୟ ପ୍ରଥମ ପର୍ଯ୍ୟାୟରେ ଆବେଦନ କରିଥିଲେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ବିଫଳ ହୋଇ ଆବେଦନ ପ୍ରକ୍ରିୟାରୁ ଓହରି ଯାଇଛନ୍ତି। ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ ଓ କଲେଜ ମଧ୍ୟ ଏଥର ଆବେଦନ ପ୍ରକ୍ରିୟାରେ ସାମିଲ ହୋଇପାରି ନ ଥିବା ସୂଚନା ମିଳିଛି। ଓଡ଼ିଶାରେ ଥିବା ଜାତୀୟ ଶିକ୍ଷାନୁଷ୍ଠାନ ଆଇଆଇଟି, ଏନ୍‌ଆଇଟି ଏଥର ବି ଆବେଦନ କରିଛନ୍ତି। ଗତବର୍ଷ ଭଲ ର‍୍ୟାଙ୍କ ପାଇ ଶ୍ରେଷ୍ଠ ଶହେରେ ରହିଥିବାରୁ ୨୦୧୮ରେ ଭଲ ର‍୍ୟାଙ୍କ ମିଳିବ ବୋଲି ଆଶା ରଖିଛନ୍ତି। ଭିତ୍ତିଭୂମି, ଗବେଷଣା, ଶିକ୍ଷାଦାନ କ୍ଷେତ୍ରରେ ଭୁବନେଶ୍ୱର ଆଇଆଇଟି ସୁଦୃଢ଼ ହୋଇଥିବାରୁ ଏଥର ର‍୍ୟାଙ୍କ ବଢ଼ିବାର ଆଶା କରାଯାଉଛି।

ଗତଥର ପରି ଏଥର ମଧ୍ୟ ୩ଟି ଘରୋଇ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ଶହେ ଦୌଡ଼ ପାଇଁ ଆବେଦନ କରିଛନ୍ତି। ୨୦୦ରୁ ଅଧିକ ଇଞ୍ଜିଂନିୟରିଂ, ମ୍ୟାନେଜ୍‌ମେଣ୍ଟ ଓ ଫାର୍ମାସି କଲେଜ ଓଡ଼ିଶାରେ ରହିଥିଲେ ମଧ୍ୟ ହାତଗଣତି ଇଞ୍ଜିନିୟରିଂ କଲେଜ ଆବେଦନ କରିଛନ୍ତି। ଗତ ଦୁଇ ବର୍ଷ ହେଲା ଶ୍ରେଷ୍ଠ ଶହେ ମଧ୍ୟରେ ସ୍ଥାନ ବଜାୟ ରଖୁଥିବା ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଏଥର ମଧ୍ୟ ସଫଳତା ଦୋହରାଇବାକୁ ଲକ୍ଷ୍ୟ ରଖିଛନ୍ତି। ବିଗତବର୍ଷ ପରି ଏଥର ମଧ୍ୟ ଛାତ୍ରଛାତ୍ରୀ-ଶିକ୍ଷକଙ୍କ ଅନୁପାତ, ପରୀକ୍ଷା ଫଳ, ଛାତ୍ରଛାତ୍ରୀଙ୍କୁ ପଢ଼ାଯାଉଥିବା ବିଷୟ, ଏମ୍‌.ଫିଲ୍‌, ପିଏଚ୍‌ଡି ପ୍ରଭୃତି ବିଷୟକୁ ଗୁରୁତ୍ୱ ଦିଆଯାଇଛି। ଗବେଷଣାତ୍ମକ ପ୍ରକଳ୍ପ, ଛାତ୍ରଛାତ୍ରୀଙ୍କ ନିଯୁକ୍ତି, ଶିକ୍ଷକ ଏବଂ ବିଭାଗଗୁଡ଼ିକର ପ୍ରକାଶନ, ଉଚ୍ଚଶିକ୍ଷା ଲାଗି ବାହାର ଶିକ୍ଷାନୁଷ୍ଠାନକୁ ଯାଉଥିବା ଛାତ୍ରଛାତ୍ରୀ, ଲାଇବ୍ରେରି, ଲାବରୋଟାରି, ଛାତ୍ରଛାତ୍ରୀ ଅଦଳବଦଳ ପରି ବିଷୟରେ ପ୍ରାଧାନ୍ୟ ଦିଆଯାଇଛି। ଏପ୍ରିଲ ପ୍ରଥମ ସପ୍ତାହରେ ଏହି ତାଲିକା ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର