କଟକ : ଚୌଦ୍ୱାର କପାଳେଶ୍ୱର ଅଞ୍ଚଳର ନିର୍ଝର ବେହେରା ଓରଫ ଲିଟିଲ୍ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସମେତ ୫ ହତ୍ୟାକାରୀଙ୍କୁ ଧରିବା ପାଇଁ କମିସନରେଟ ପୁଲିସର ୧୩ ଜଣିଆ ଟିମ୍ ତିନିଟି ଅଞ୍ଚଳକୁ ଆଜି ଗସ୍ତ କରିଛି। ଏକକାଳୀନ ପୁଲିସ ଟିମ୍ ୩ଟି ସ୍ଥାନରେ ରାତି ଅଧିଆ ଚଢ଼ଉ କରିବାକୁ ଯୋଜନା କରୁଛିା ମୋବାଇଲ୍ ଟ୍ରାକିଂରେ ହତ୍ୟାକାରୀଙ୍କ ଗତିବିଧିରେ କୌଣସି ପରିବର୍ତ୍ତନ ଆସିଲେ ପୁଲିସ ନିଜ ରଣକୌଶଳରେ ପରିବର୍ତ୍ତନ ଆଣିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ ପଛରେ ନିର୍ଝର ଏବଂ ଯୁବତୀଙ୍କ ସମ୍ପର୍କୀୟ କୁହାଯାଉଛି ଅଭିଯୁକ୍ତକୁ ପୁଲିସ ଚିହ୍ନଟ କରିସାରିଛି। ନିର୍ଝରଙ୍କ ବାହାଘର ପରିବାର ଲୋକେ ନିଷ୍ପତ୍ତି ନେଇଥିବା ଯୁବତୀଙ୍କ ସହିତ ହେଉ ବୋଲି ମୁଖ୍ୟ ଅଭିଯୁକ୍ତ ଚାହୁଁନଥିବା ପୁଲିସ ସୁରାକ୍ ପାଇଛି।
ନିର୍ଝର ହତ୍ୟାକାଣ୍ଡକୁ ଆଜି ଆଠ ଦିନ ପୂରିଲା। ବର୍ତ୍ତମାନ ସୁଦ୍ଧା ନିର୍ଝରଙ୍କ ମୋବାଇଲ୍ ଫୋନ୍ ସମ୍ପର୍କରେ ପୁଲିସ ଆଇଏମ୍ଆଇ ନମ୍ବରରୁ କୌଣସି ତଥ୍ୟ ହାସଲ କରିପାରି ନାହିଁ। ସେଦିନ ରାତି ପ୍ରାୟ ୧୦ଟା ବେଳେ କମଳଙ୍କ ପୁଅ ନିର୍ଝରଙ୍କ ମୋବାଇଲ୍କୁ ଏକ ନମ୍ବରରୁ ଫୋନ୍ ଆସିଥିଲା। ମାତ୍ର ୫ରୁ ୧୦ ସେକେଣ୍ଡ ଫୋନ୍ରେ କଥା ହୋଇଥିଲେ। ଫୋନ୍ କଲ୍ ପାଇ ନିଜ କାର୍ରେ ଘରୁ ବାହାରି ଯାଇଥିଲେ ନିର୍ଝର। କିନ୍ତୁ ସେବେଠୁ ନିର୍ଝର ଆଉ ଘରକୁ ଫେରିନାହାନ୍ତି। ଏବେ ପୁଲିସ ତଦନ୍ତରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ନିର୍ଝରଙ୍କ ବାହାଘର ନିଷ୍ପତ୍ତି ହୋଇଥିବା ଯୁବତୀଙ୍କ ସହିତ ଯେମିତି ନହୁଏ, ସେଥିପାଇଁ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚାଯାଇଥିଲା। ଅତି ପରିଚିତ ଲୋକ ହିଁ ନିର୍ଝରଙ୍କ ବାହାଘର ପ୍ରସ୍ତାବରେ ଅମଙ୍ଗ ଥିବା କୁହାଯାଉଛି। ସେହି ବ୍ୟକ୍ତି ହିଁ ଉକ୍ତ ଯୁବତୀଙ୍କୁ ବିବାହ କରିବାକୁ ଯୋଜନା କରୁଥିଲେ। କିନ୍ତୁ ସମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକେ ନିର୍ଝରଙ୍କ ସହିତ ବିବାହ କରିବାକୁ ନିଷ୍ପତ୍ତି ନେବାରୁ ସମ୍ପୃକ୍ତ ବ୍ୟକ୍ତି ବିିଗିଡ଼ିଯାଇଥିଲେ।
ନିଜ ସ୍ୱପ୍ନ ଧୂଳିସାତ୍ ହେବା ଭୟରେ ହତ୍ୟାକାଣ୍ଡ ଭଳି ଚରମ ପଦକ୍ଷେପ ଗ୍ରହଣ କରିବାକୁ ଚକ୍ରାନ୍ତ କରିଥିବା ପୁଲିସ ଏବେ ସୁରାକ୍ ପାଇଛିା ଏହି ଘଟଣା ସତ ହୋଇଥିଲେ ଉକ୍ତ ସମ୍ପର୍କୀୟ କୁହାଯାଉଥିବା ହତ୍ୟାକାରୀଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ତାଙ୍କୁ ଭାରତୀୟ ପିଙ୍ଗଳ କୋଡ୍ ଆଇନର ଦଫା ୩୦୨(ହତ୍ୟା)ରେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ପୁଲିସ ତାଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ସଂଗ୍ରହ କରୁଥିବା ବେଳେ ସେ ସୁପାରି ଦେଇଥିବା ଅନ୍ୟ ୪ ଜଣ ବାହାର ଜିଲ୍ଲାର ଅପରାଧୀ ମଧ୍ୟ ଫସିବାର ଆଶଙ୍କା ରହିଛି। ଅନ୍ୟପଟେ ଗଣମାଧ୍ୟମରେ ଗତ ୧୧ ତାରିଖରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ହତ୍ୟାକାରୀ ତଥା ନିର୍ଝରଙ୍କ ସମ୍ପର୍କୀୟ କୁସପଙ୍ଗିରେ ଲୁଚିଥିବା ବାବଦରେ ଖବର ପ୍ରକାଶ ପାଇବା ପରେ ସେ ସେଠୁ ଖସିଯାଇଥଲା। ସେଠୁ ପଶ୍ଚିମଓଡ଼ିଶା ଆଡ଼କୁ ଯାଇଥିବା ପୁଲିସ ଖବର ପାଇଛି।
ସେହି ଆଧାରରେ ଡିସିପି ଅଖିଳେଶ୍ୱର ସିଂହଙ୍କ ନିର୍ଦ୍ଦେଶକ୍ରମେ ଗଠିତ ୧୩ ଜଣିଆ ଟିମ୍ ଆଜି ବିହାର, କଲିକତା ଓ ପଶ୍ଚିମ ଓଡ଼ିଶା ଗସ୍ତ କରିଛି। ଏଥିରେ ଜଗତପୁର ଥାନା ଅଧିକାରୀ ଅନିଲ ବେଉରିଆଙ୍କ ସମେତ ୨ ଜଣ ଏସ୍ଆଇ ଏବଂ ୧୩ ଜଣ ସ୍ପେଶାଲ ସ୍କ୍ଵାଡ୍ର କର୍ମଚାରୀ ସାମିଲ ହୋଇଛନ୍ତି। ଆସନ୍ତାକାଲି ସୁଦ୍ଧା ଟିମ୍ ଚିହ୍ନଟ ହୋଇଥିବା ଅଞ୍ଚଳରେ ପହଞ୍ଚିଯିବ। ସେଠି ଏକକାଳୀନ ଚଢ଼ଉ କରିବାକୁ ଯୋଜନା ହୋଇଛି। କାରଣ ଅପରାଧୀ ଗଣମାଧ୍ୟମରେ ପ୍ରକାଶିତ ଖବର ଏବଂ ପୁଲିସର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ପୁଲିସ ଅଡ଼ୁଆରେ ପଡ଼ୁଥିବା କୁହାଯାଉଛି। ତେବେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସମସ୍ତ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।