ଝାରସୁଗୁଡ଼ା: ଜନ୍ମରୁ ପୋଲିଓଗ୍ରସ୍ତ କାରଣରୁ ଚାଲିବାରେ ସକ୍ଷମ ନୁହନ୍ତି। କିନ୍ତୁ କାହା ଉପରେ ବୋଝ ନ ହୋଇ ନିଜେ ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣର ଦାୟିତ୍ବ ନେବାରେ ସକ୍ଷମ ହୋଇଛନ୍ତି ଝାରସୁଗୁଡ଼ା ବ୍ଲକ୍ ରାଜପୁର ପଞ୍ଚାୟତ ଅଭୟପୁର ଗାଁର ଉଦ୍ୟୋଗୀ ନିର୍ମଳା ସାରଥୀ। ନିର୍ମଳାଙ୍କ ଦ୍ବାରା ପ୍ରସ୍ତୁତ ଫିନାଇଲ୍, ସାବୁନ ଜିଲ୍ଲା ବାହାରକୁ ମଧ୍ୟ ଯାଉଛି। ନିଜ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରି ସେ ନିଜ ସହିତ ପରିବାର ପ୍ରତିପୋଷଣରେ ଯୋଗଦାନ ଦେଇପାରୁଛନ୍ତି। ଯାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି।
ନିର୍ମଳା ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବାବେଳେ ତାଙ୍କ ପାରିବାରିକ ସ୍ଥିତି ସ୍ବଚ୍ଛଳ ନଥିଲା। ବାପା ରାଜମିସ୍ତ୍ରି ଓ ଭାଇ ଶ୍ରମିକ ଭାବେ କାମ କରନ୍ତି। ନବମ ଶ୍ରେଣୀରୁ ପାଠପଢ଼ା ଛାଡ଼ି ଦେଇଥିବା ନିର୍ମଳା ପ୍ରାପ୍ତବୟସ୍କ ହେବା ପରେ ନିଜ ଗୋଡ଼ରେ ଛିଡ଼ା ହେବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୨ ମସିହାରେ ବ୍ରଜରାଜନଗରର ମଣ୍ଡଳିଆରେ ୨୨ ଜଣ ଦିବ୍ୟାଙ୍ଗଙ୍କୁ ‘ଆର୍ସେଟି’ ପକ୍ଷରୁ ତାଲିମ ପ୍ରଦାନ କରାଯାଇଥିଲା। ସେଥିରେ ନିର୍ମଳା ବି ଥିଲେ। ସେଠାରେ ସେ ଅନ୍ୟ ଦିବ୍ୟାଙ୍ଗଙ୍କ ସହିତ ଫିନାଇଲ୍, ସାବୁନ ଆଦି ତିଆରି କରିବାର ତାଲିମ ନେଇଥିଲେ। ତାଲିମ ନେଇଥିବା ଅଧିକାଂଶ ତାକୁ କାମରେ ଲଗାଇ ନଥିବାବେଳେ ନିର୍ମଳାଙ୍କ କିନ୍ତୁ ଦୃଢ଼ ପରିକର ଥିଲେ। ତାଲିମ ପରେ ସେ ଲକ୍ଷ୍ୟ ଗ୍ରୁପ୍ରେ ସାମିଲ ହୋଇଥିଲେ।
ଏହା ପରେ ‘ଆର୍ସେଟି’ ଦ୍ବାରା ଯୋଗାଇ ଦିଆଯାଉଥିବା କଞ୍ଚାମାଲ୍କୁ ବିନିଯୋଗ କରି ସେ ଧଳା ଫିନାଇଲ୍, ବାସନ ସଫା ପାଇଁ ଡିସ୍ୱାସ୍ ଲିକ୍ବିଡ୍, ଗାଡ଼ିୱାସ୍ ଲିକ୍ବିଡ୍, ଉଜାଲା ଆଦି ପ୍ରସ୍ତୁତ କରୁଛନ୍ତି। ଲକ୍ଷ୍ୟ ଗ୍ରୁପ୍ ଦ୍ବାରା ଉକ୍ତ ସାମଗ୍ରୀ ବିକ୍ରି କରାଯାଉଛି। ବ୍ରଜରାଜନଗର ଅଞ୍ଚଳର କିଛି ହସ୍ପିଟାଲ, କଲେଜ, ସ୍କୁଲ ଆଦି ନିର୍ମଳାଙ୍କ ଉତ୍ପାଦିତ ସାମଗ୍ରୀକୁ ବେଶ୍ ପସନ୍ଦ କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ମଧ୍ୟ ସେ ଦୋକାନ ଦୋକାନ ବୁଲି ନିଜ ଉତ୍ପାଦ ବିକ୍ରି କରୁଛନ୍ତି। ଫଳରେ ସେ ଏବେ ମାସିକ ପ୍ରାୟ ୧୦ ହଜାର ଟଙ୍କା ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ତାଙ୍କ ଉତ୍ପାଦିତ ସାମଗ୍ରୀ ବିଭିନ୍ନ ଜିଲ୍ଲା ମହୋତ୍ସବରେ ବି ସ୍ଥାନିତ ହେଉଛି।