ଭୁବନେଶ୍ବର : ବଙ୍ଗଳା ତଥା ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର ଆଉ ନାହାନ୍ତି। ଗତକାଲି (ଶନିବାର)ରାତି ପ୍ରାୟ ୨ଟା ୫ ମିନିଟ୍ ସମୟରେ କୋଲକାତାର ଚେତଲା ଅଞ୍ଚଳସ୍ଥିତ ବାସଭବନରେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ମୃତ୍ୟୁରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକପ୍ରକାଶ କରିଛନ୍ତି।

ନିର୍ମଳା ମିଶ୍ର ଓଡ଼ିଆ ସିନେଜଗତର ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ଥିଲେ।

Advertisment

ଓଡ଼ିଆ ‌‌ଶ୍ରୋତାଙ୍କ ହୃଦୟରେ ପାଇଥିଲେ ସ୍ବତନ୍ତ୍ର ସ୍ଥାନ
ବଙ୍ଗଳା ଓ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା

ଷାଠିଏ ଓ ସତୁରି ଦଶକରେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରି ନିଜ ଅଲିଭା ପଦଚିହ୍ନ ଛାଡ଼ି ଯାଇଛନ୍ତି। ସେ ‘ନିଦଭରା ରାତି ମଧୁଝରା ଜହ୍ନ..., ମୋ ମନର ବୀଣାର ତାରେ…, ଜୀବନ ଯମୁନାରେ ଜୁଆର ଉଠେରେ…., ମାୟା ଘେରା ମଧୁବନେ…, ଯା ଯାରେ ଯା ମନପବନ ନଉକା…, ମାୟାବିନି ଏଇ ରାତି…, ନା ମାରନା…., ଛାଡ଼ ଛାଡ଼ ମୋର ଆଚଲ୍‌…, ହେମହାରିଣୀ ମଥାରମଣୀ…, ପରଦେଶୀ ବନ୍ଧୁ ତୁମେ ଯିବ ଉଡ଼ି ଉଡ଼ିକି…, ଢେଉ ଢେଉକା ପାହାଡ଼ ତଳେ…, ମୁଁ ତୁମକୁ ଭଲ ପାଏ ଲୁଚିଲୁଚିକା…, ଜୋଛନା ଲୁଚନା…, ସଞ୍ଜ ସକାଳେ ତୁମ ଛବି ‌…, ତୁମେ ଯଦି ସାଥୀ ….,ସୁଲସୁଲିଆ…, ପ୍ରଭୁପଦ ତଳେ ପ୍ରଣତି ଢାଳେ.., ସପନ ବିଳାସୀ… ଓ ଏଇ ଚିକିମିକି ହସେ… ଆଦି ଚିରସବୁଜ ସଙ୍ଗୀତ ଗାଇ ଓଡ଼ିଆ ସଙ୍ଗୀତ ଭଣ୍ଡାରକୁ ରୁଚିସମ୍ପନ୍ନ କରି ଯାଇଛନ୍ତି। ଭୁବନେଶ୍ବର ମିଶ୍ର, ବାଳକୃଷ୍ଣ ଦାଶ, ଅକ୍ଷୟ ମହାନ୍ତି, ରାଖାଲ ମହାନ୍ତି ଓ ଶାନ୍ତନୁ ମହାପାତ୍ରଙ୍କ ପରି ପ୍ରଖ୍ୟାତ ସଙ୍ଗୀତଜ୍ଞଙ୍କ ସହ ସ୍ବର୍ଗତା ମିଶ୍ର କାମ କରିଛନ୍ତି। ସେ ପ୍ରାୟ ୨୦ଟି ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ହେବାର ସୌଭାଗ୍ୟପ୍ରାପ୍ତ କରିଥିଲେ।

୧୯୩୮ ଅକ୍ଟୋବର ୨୧ ତାରିଖରେ ପଶ୍ଚିମବଙ୍ଗର ମଜିଲ୍‌ପୁରରେ ସ୍ବର୍ଗତା ମିଶ୍ର ଜନ୍ମଗ୍ରହଣ କରିଥିଲେ। ବାପା ପଣ୍ଡିତ ମୋହିନୀମୋହନ ମିଶ୍ର ଓ ବଡ଼ ଭାଇ ମୁରାରୀମୋହନ ମିଶ୍ର ଉଭୟ ବଙ୍ଗଳାର ପ୍ରସିଦ୍ଧ କଣ୍ଠଶିଳ୍ପୀ ଥିଲେ। ସ୍ବର୍ଗତା ମିଶ୍ରଙ୍କ ପରିବାର ବନ୍ଦୋପାଧ୍ୟା‌ୟ ହୋଇଥିବା‌ ବେଳେ ପରେ ସେମାନଙ୍କୁ ‘ମିଶ୍ର’ ଉପନାମରେ ସମ୍ବର୍ଦ୍ଧିତ କରାଯାଇଥିଲା। ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ପ୍ରଥମେ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର ‘ଶ୍ରୀ ଲୋକନାଥ’ରେ ଗାଇବାର ସୁଯୋଗ ଦେଇଥିଲେ। ଏହାପରେ ସେ ‘ଅମଡ଼ାବାଟ’, ‘ସ୍ତ୍ରୀ’, ‘କା’, ‘ମଲାଜହ୍ନ’, ‘ଅଭିନେତ୍ରୀ’, ‘ଅନୁତାପ’, ‘କିଏ କାହାର’ ଓ ‘ଅଦିନା ମେଘ’ ଆଦି ବହୁ ଚଳଚ୍ଚିତ୍ରରେ କଣ୍ଠଦାନ କରି ସେ ଓଡ଼ିଆ ଦର୍ଶକଙ୍କୁ ବିଭୋର କରିଛନ୍ତି। ୧୯୬୦ରୁ ୮୦ ମଧ୍ୟରେ ସେ ଗାଇଥିବା ପ୍ରାୟ ସମସ୍ତ ଗୀତ ଚିରସବୁଜ ଓ ‌ଅତି ଲୋକପ୍ରିୟ। ଓଡ଼ିଆ ସଙ୍ଗୀତରେ ତାଙ୍କୁ ବାଳକୃଷ୍ଣ ଦାଶ ଗୀତ ଗାଇବାର ସୁଯୋଗ ଦେଇଥିବା ବେଳେ ସଙ୍ଗୀତରେ ଜୀବନବ୍ୟାପୀ ସାଧନା ନିମନ୍ତେ ୨୦୧୨ ମସିହାରେ ତାଙ୍କୁ ‘ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜି ତାଙ୍କର ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି।