ପୁଣି ସମ୍ବଲପୁରୀ ଶାଢ଼ିରେ ବଜେଟ୍‌ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ବର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ବଜେଟ ଉପସ୍ଥାପନ ସମୟରେ ସେ କ’ଣ କହିବେ, ଏହା ଶୁଣିବା ପାଇଁ ସାରା ଦେଶର ଜନତା ନଜର ରଖିଥିଲା ବେଳେ ଓଡ଼ିଶାବାସୀଙ୍କ ନଜର ତାଙ୍କ ଅଭିଭାଷଣ ସହ ପୋଷାକ ଉପରେ ଥିଲା। ପ୍ରତି ଥର ଭଳି ଏଥର ବି ଏକ ସୁନ୍ଦର ସମ୍ବଲପୁରୀ ଶାଢ଼ି ପିନ୍ଧିଥିଲେ ସୀତାରମଣ। ମାଟିଆ ଏବଂ ଖଇରିଆ ରଙ୍ଗର  ଏହି ଶାଢ଼ିରେ ଖୁବ୍ ଆକର୍ଷଣୀୟ ଦିଶୁଥିଲେ ଅର୍ଥମନ୍ତ୍ରୀ।

କରୋନା ଯୋଗୁଁ ବିଗତ ୨ ବର୍ଷ ହେଲା ଦେଶ ଏକ ସଂକଟ ମଧ୍ୟ ଦେଇ ଅଗ୍ରସର ହେଉଥିବା ବେଳେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣଙ୍କ ଦ୍ବାରା ଉପସ୍ଥାପିତ ହୋଇଥିବା ବଜେଟ୍‌ ଗୁରୁତ୍ବପୂର୍ଣ୍ଣ ଥିଲା। ସେ ଓଡ଼ିଶାର ଅତି ପରିଚିତ ସମ୍ବଲପୁରୀ ଶାଢ଼ି (ମୁହଁ ବାନ୍ଧ ବୁଟି ପାଟ ଶାଢ଼ି)ରେ ସଂସଦ ଭବନରେ ଉପସ୍ଥିତ ହୋଇଥିଲେ।

ସୂଚନାଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓଡ଼ିଶାର ସଂସ୍କୃତି ତଥା ସମ୍ବଲପୁରୀ ଶାଢ଼ିକୁ ବହୁତ ଭଲ ପାଆନ୍ତି। ଓଡ଼ିଆ ସଂସ୍କୃତିର ଅନ୍ୟତମ ପରିଚୟ ବହନ କରୁଥିବା ସମ୍ବଲପୁରୀ ଶାଢ଼ିକୁ ସେ ବହୁଥର ପରିଧାନ କରୁଛନ୍ତି। ଅର୍ଥମନ୍ତ୍ରୀ ଭାବରେ ସେ ବଜେଟ ଉପସ୍ଥାପନ କରିବା ସମୟରେ ୨ ଥର ସମ୍ବଲପୁରୀ ଶାଢ଼ି ପିନ୍ଧିଛନ୍ତି। ଶ୍ରୀମତୀ ସୀତାରମଣ ୨୦୧୯ରେ ରାଜ୍ୟ ସଭାରେ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ ବେଳେ ମଧ୍ୟ ସମ୍ବଲପୁରୀ ଶାଢ଼ି ପିନ୍ଧିଥିଲେ।

କେବଳ ସେତିକି ନୁହେଁ, ୨୦୧୪ ମସିହାରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏନ୍‌ଡିଏ ଯେତେବେଳେ ସରକାର ଗଢ଼ିଥିଲା, ସେହି ସମୟରେ ନିର୍ମଳା ସୀତାରମଣଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ଦାୟିତ୍ବ ମିଳିଥିଲା। ‌ସେ ସେହି ସମୟରେ ମଧ୍ୟ ସମ୍ବଲପୁରୀ ଶାଢ଼ି ପିନ୍ଧି ମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ। ବଜେଟ ଓ ମନ୍ତ୍ରୀ ଦାୟିତ୍ବ ନେବା କଥା ଛାଡ଼ନ୍ତୁ, ସଂସଦର ଅନ୍ୟ ଅଧିବେଶନରେ ମଧ୍ୟ ନିର୍ମଳା ସୀତାରମଣ ସମ୍ବଲପୁରୀ ଶାଢ଼ି ପିନ୍ଧନ୍ତି। ଏହା ତାଙ୍କର ସମ୍ବଲପୁରୀ ଶାଢ଼ି ପ୍ରତି ଦୁର୍ବଳତା ବୋଲି କହିଲେ କିଛି ଭୁଲ ହେବ ନାହିଁ।

ଭାରତର ବିଭିନ୍ନ ପ୍ରାନ୍ତରେ ବହୁ ଡିଜାଇନ୍‌ର ପ୍ରସିଦ୍ଧ ଶାଢ଼ି ମିଳୁଥିଲା ବେଳେ ଏହି ସ୍ବତନ୍ତ୍ର ଦିନରେ ସମ୍ବଲପୁରୀ ଶାଢ଼ିକୁ ବାଛିଥିଲେ ନିର୍ମଳା। ଭାରତୀୟ ବଜେଟ୍ ଉପରେ ସାରା ଦୁନିଆଁର ନଜର ଥିବାବେଳେ ସେ ପିନ୍ଧିଥିବା ଆକର୍ଷଣୀୟ ଫିକା ଖଇରିଆ ରଂଗର ବୋମ୍‌କାଇ ଡିଜାଇନ୍‌ର ସମ୍ବଲପୁରୀ ଶାଢ଼ି ଫେସନ୍‌ ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏଥି ସହ ପୁଣିଥରେ ସମ୍ବଲପୁରୀ ଶାଢ଼ିର ସୁନ୍ଦରତା, ଗ୍ରହଣୀୟତା ପ୍ରମାଣିତ ହୋଇଥିଲା।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମାଧୁରୀ ଦିକ୍ଷିତ, ଐଶ୍ବର୍ୟା ରାୟ, ଅନୁଷ୍କା ଶର୍ମା, ବିଦ୍ୟା ବାଲନ୍‌ଙ୍କ ଭଳି ବହୁ ବିଶିଷ୍ଟ ମହିଳା ଓ ସେଲିବ୍ରିଟିଙ୍କୁ ସମ୍ବଲପୁରୀ ଶାଢ଼ିରେ ଦେଖିବାକୁ ମିଳିଛି। ବିଦ୍ୟା ବାଲନ, ସୋନିଆ ଗାନ୍ଧୀ, ନିର୍ମଳା ସୀତାରମଣ ଭଳି ବିଶିଷ୍ଟ ମହିଳାଙ୍କର ଏହା ଅତି ପ୍ରିୟ ବସ୍ତ୍ର ହୋଇଥିବା ବେଳେ ସେମାନେ ଅନେକ ବାର ବିଭିନ୍ନ ଡିଜାଇନ୍‌ର ସମ୍ବଲପୁରୀ ଶାଢ଼ି ପିନ୍ଧିଥିବା ପୂର୍ବରୁ ଦେଖିବାକୁ ମିଳିଛି। କେବଳ ମହିଳା ନୁହେଁ ବହୁ ବିଶିଷ୍ଟ ପୁରୁଷ ମଧ୍ୟ ସମ୍ବଲପୁରୀ ବୁଣା କପଡ଼ାରେ ପ୍ରସ୍ତୁତ ଡିଜାଇନର୍ ପୋଷାକ ପିନ୍ଧିବାର ନଜିର ରହିଛି। ଏକଦା ଲୋକସଭାର ବହୁ ସାଂସଦଙ୍କୁ ଏକତ୍ର ସମ୍ବଲପୁରୀ ମାସ୍କ ପରିଧାନ କରିଥିବା ଦେଖିବାକୁ ମିଳିଥିଲା। ସାଂସଦ ସୁରେଶ ପୂଜାରୀ ଏହା ସେମାନଙ୍କୁ ଉପହାର ରୂପେ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର