ଝିଅ ବିବାହ ସହାୟତା ୫୦ହଜାରକୁ ବଢ଼ିଲା, ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ନିର୍ମାଣ ଶ୍ରମିକ

ଭୁବନେଶ୍ବର : ନିର୍ମାଣ ଶ୍ରମିକଙ୍କ ଝିଅ ବିବାହ ପାଇଁ ରାଜ୍ୟ ସରକାର ପୂର୍ବରୁ ୨୫ହଜାର ଟଙ୍କା ଦେଉଥିବାବେଳେ ଏହାକୁ ବଢ଼ାଇ ୫୦ହଜାର ଟଙ୍କା କରିଛନ୍ତି। ଏହାସହ ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ୨ଲକ୍ଷରୁ ୪ଲକ୍ଷକୁ ବୃଦ୍ଧି, ୬୦ବର୍ଷ ପରେ ପେନସନ୍‌ ୩୦୦ଟଙ୍କାରୁ ୫୦୦ଟଙ୍କାକୁ, ୮୦ ବର୍ଷ ପରେ ପେନସନ୍‌ ୫୦୦ଟଙ୍କାରୁ ୭୦୦ଟଙ୍କାକୁ ବୃଦ୍ଧି କରାଯାଇଛି।

ନିର୍ମାଣ ଶ୍ରମିକଙ୍କ ପାଇଁ ଏହି ଘୋଷଣା ହେବା ପରେ ଆଜି ୫୦୦ରୁ ଅଧିକ ମହିଳା ଓ ପୁରୁଷ ଶ୍ରମିକ ସୁରକ୍ଷା ପୋଷାକ ପିନ୍ଧି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ, କଲ୍ୟାଣ ବୋର୍ଡ ସଦସ୍ୟ ରାଜେନ୍ଦ୍ର ଦାସ, ଡିଭିଜନାଲ ଶ୍ରମ କମିସନର ପ୍ରଦୀପ କୁମାର ମହାପାତ୍ର, ଜିଲ୍ଲା ଶ୍ରମ ଅଧିକାରୀ ଅମ୍ବିକା ମିଶ୍ର, ସହ ଶ୍ରମ ଅଧିକାରୀ ସତ୍ୟ ଆଚାର୍ଯ୍ୟ, ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି, ଶ୍ରମିକ ନେତ୍ରୀ ସଂଜୁକ୍ତା ମହଲ, ମଞ୍ଜୁ ମିଶ୍ର, ମହାବୀର ମିଶ୍ର, ଭାଗିରଥୀ ସେନାପତି, ବିରଞ୍ଚି ବିଶ୍ବାଳ, ଜିତେନ୍‌ ଖଟୁଆ, ସୁନିଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ସୁବାସ ସିଂହ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନା ଘୋଷଣା କରି ସାରା ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି। ସାରା ରାଜ୍ୟରେ ୨୬ଲକ୍ଷ ୩୦ହଜାର ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଥିବାବେଳେ ସେଥିରୁ ୧୭ଲକ୍ଷ ହିତାଧିକାରୀଙ୍କୁ ୧୫୦୦କୋଟି ଟଙ୍କାର ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି। ଏଥିରେ ମୃତ୍ୟୁକାଳୀନ ସହାୟତା, ପାଠପଢ଼ିବା ସହାୟତା, ଝିଅ ବିବାହ, ସାଇକେଲ୍‌ ପ୍ରଦନା, ଯନ୍ତ୍ରପାତି ପ୍ରଦାନ, ପ୍ରସୂତିକାଳୀନ ସହାୟତା ଆଦି ଅନ୍ତର୍ଭୁକ୍ତ।

ସମ୍ବନ୍ଧିତ ଖବର