ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସର୍ବାଧିକ ସେସ୍ ସଂଗ୍ରହ

ଭୁବନେଶ୍ବର : ୨୦୧୮/୧୯ ଆର୍ଥିକ ବର୍ଷରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ସର୍ବାଧିକ ସେସ୍ ସଂଗୃହୀତ ହୋଇଛି। ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରି ଗତ ଆର୍ଥିକ ବର୍ଷରେ ୪୨୭ କୋଟି ଟଙ୍କା ସଂଗୃହୀତ ହୋଇଛି, ଯାହାକି ପୂର୍ବ ବର୍ଷମାନଙ୍କ ତୁଳନାରେ ସର୍ବାଧିକ। କଲ୍ୟାଣ ବୋର୍ଡରେ ଅଦ୍ୟାବଧି ସମୁଦାୟ ୧୯୨୦ କୋଟି ଟଙ୍କା ସଂଗୃହୀତ ହୋଇଛି ଓ ଏ ପର୍ଯ୍ୟନ୍ତ ୧୪୦୮କୋଟି ଟଙ୍କା ୧୨ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ପ୍ରଦାନ କରାଯାଇଛି। ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗଙ୍କ ନେତୃତ୍ବରେ ହୋଇଥିବା ସମୀକ୍ଷା ବୈଠକରେ ଏହା ଜଣାପଡ଼ିଛି।

ରାଜ୍ୟରେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧୀନରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଗଠନ କରାଯାଇଛି। ୨୦୦୮ମସିହାରେ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ‌ସେସ୍ ଆଇନ ଅନୁସାରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରଜ୍ୟର ପ୍ରତ୍ୟେକ ନିର୍ମାଣ ସଂସ୍ଥାଠାରୁ ନିର୍ମାଣ ପ୍ରକଳ୍ପର ମୋଟ ଖର୍ଚର ୧ପ୍ରତିଶତ ସେସ୍ ବାବଦରେ କଲ୍ୟାଣ ବୋର୍ଡ ପାଣ୍ଠିରେ ପଇଠ କରିବା ଜରୁରୀ। ମାତ୍ର ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ବାସଗୃହ ନିର୍ମାଣ କ୍ଷେତ୍ରରେ ଏହି ୧ପ୍ରତିଶତ ସେସ୍ ଆଦାୟକୁ ବାଦ୍ ଦିଆଯାଇଛି। କଲ୍ୟାଣ ବୋର୍ଡ ପକ୍ଷରୁ ପଞ୍ଜୀକୃତ ହିତାଧିକାରୀଙ୍କ ସହାୟତା ପ୍ରଦାନ ପାଇଁ ଏହି ପାଣ୍ଠିରୁ ଅର୍ଥ ବ୍ୟବସ୍ଥା କରାଯାଉଛି। ଏବେ ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଇଁ ସଂଗୃହୀତ ସେସ୍ ଅର୍ଥରୁ ଶିକ୍ଷା ସହାୟତା, ବିବାହ, ପ୍ରସୂତିକାଳୀନ, ଯନ୍ତ୍ରପାତି କ୍ରୟ, ସାଇକେଲ ସହାୟତା, ନିରାପତ୍ତା ଉପକରଣ, ମୃତ୍ୟୁକାଳୀନ ସହାୟତା, ଅନ୍ତ୍ୟେଷ୍ଟିକ୍ରିୟା, ଦୁର୍ଘଟଣାଜନିତ, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ସହାୟତା ପ୍ରଦାନ କରାଯାଉଛି। ନିର୍ମାଣ କୁସୁମ ଯୋଜନାରେ ନିର୍ମାଣ ଶ୍ରମିକଙ୍କ ପିଲାଙ୍କ ପାଇଁ ସରକାରୀ ଆଇଟିଆଇ ଓ ପଲିଟେକନିକ୍ ବୈଷୟିକ ଶିକ୍ଷା ପାଇଁ ଶତପ୍ରତିଶତ ଆର୍ଥିକ ସହାୟତା ଦିଆଯାଉଛି।

ଚଳିତବର୍ଷ ସେସ୍ ଆଦାୟକୁ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଏହାସହ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ ପ୍ରକ୍ରିୟାରେ ଅଧିକ ସ୍ବଚ୍ଛତା ଆଣିବା ଲକ୍ଷ୍ୟରେ କାର୍ଯ୍ୟସ୍ଥଳରେ ଶ୍ରମିକମାନଙ୍କ ନିକଟରେ ପହଞ୍ଚି ପଞ୍ଜୀକରଣ କରିବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଖିଲାପ କରୁଥିବା ସଂସ୍ଥା ଓ ବ୍ୟକ୍ତବିଶେଷଙ୍କ ଦେୟ ଠିକଣା ସମୟରେ ପ୍ରଦାନ କରିବାକୁ ଶ୍ରମ କମିସନର ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର